ନୀଳଗିରି(ବିଶ୍ୱମ୍ବର ଦାସ ): କରୋନା କଟକଣା ଯୋଗୁ ପୁରୀ ବ୍ୟତୀତ ରାଜ୍ୟର ଅନ୍ୟ ସମସ୍ତ ସ୍ଥାନରେ ରଥ ଯାତ୍ରା ଆୟୋଜନକୁ ସୁପ୍ରିମ କୋର୍ଟ ବାରଣ କରିବା ସତ୍ତ୍ୱେ ନୀଳଗିରି ଜଗନ୍ନାଥ ମନ୍ଦିରରେ ରଥ ଯାତ୍ରାର ଆୟୋଜନ କରାଯାଇଛି। ରାତି ଅଧରେ ଗଡ଼ିଲା ରଥ । ମଧ୍ୟରାତ୍ରିରେ ଅଣସର ଗୃହରୁ ବାହାରିଲେ ମହାପ୍ରଭୁ ।
ନୀଳଗିରିର ପରମ୍ପରା ଅନୁଯାୟୀ, ପୁରୀ ରଥ ଦିନ ଠାକୁର ମନ୍ଦିରରୁ ପହଣ୍ଡି ହୋଇ ରଥାରୁଢ଼ ହୋଇଥାନ୍ତି । ଦୁଇଦିନ ଧରି ରଥଟଣା ହୋଇ ମାଉସୀ ମା’ ମନ୍ଦିରରେ ବିଜେ ହୁଅନ୍ତି । ହେଲେ ରଥଯାତ୍ରା ବନ୍ଦ ପାଇଁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ପରେ ସେବାୟତମାନେ ଠାକୁରଙ୍କୁ ମାଉସୀ ମା’ ମନ୍ଦିର ନେବାକୁ ଜିଦ୍ ଧରି ମନ୍ଦିର ଆଗରେ ଧାରଣା ଦେଇଥିଲେ ।
ଶେଷରେ ସେବାୟତ ଓ ପୂଜକଙ୍କ ଏକ ଟିମ୍ ୨୪ ତାରିଖରେ ପୁରୀ ଯାଇ ଛତିଶା ନିଯୋଗ ମୁଖ୍ୟ ଓ ଶଙ୍କରାଚାର୍ଯ୍ୟଙ୍କୁ ୨୫ ତାରିଖରେ ଭେଟିଥିଲେ। ଏହାପରେ ନୀତିକାନ୍ତି ନେଇ ଅବଗତ କରାଇବା ପରେ ରାତିରେ ମନ୍ଦିର ଭିତରେ ରଥଯାତ୍ରା ପାଇଁ ସୂଚନା ଦେଇଥିଲେ । ଏହାପରେ ଗତକାଲି ରାତି ଅଧରେ ୨ ଘଣ୍ଟା ଭିତରେ ୩ଟି କୁନି ରଥ ପ୍ରସ୍ତୁତ କରାଯାଇଥିଲା ।
ରାଜ ଉଆସରୁ ରାଜା ସାହେବ ବି ଛେରାପହଁରା ପାଇଁ ପହଞ୍ଚିଥିଲେ । ଠାକୁରଙ୍କୁ ପହଣ୍ଡି କରି କୁନି ରଥରେ ଆଣି ମନ୍ଦିର ପରିସରରେ ପ୍ରସ୍ତୁତ ଅସ୍ଥାୟୀ ମାଉସୀ ମା’ଙ୍କ ଟେଣ୍ଟରେ ରଖାଯାଇଥିଲା । ବିଳମ୍ବିତ ରାତି ପ୍ରାୟ ୨ଟାରେ ରଥଯାତ୍ରା ସମ୍ପୂର୍ଣ୍ଣ ହୋଇଥିଲା। ଯାହା ହେଲେ ବି ଠାକୁର ଜନ୍ମ ବେଦୀକୁ ନ ଯାଇ ଅସ୍ଥାୟୀ ମାଉସୀ ଘରେ ରହିଥିଲେ ବି ପରମ୍ପରା ଅନୁଯାୟୀ ସବୁ ରୀତିନୀତି ସମ୍ପନ୍ନ ହୋଇଥିବାରୁ ଶ୍ରଦ୍ଧାଳୁମାନେ ବେଶ୍ ଖୁସି ଥିବା କହିଛନ୍ତି।
ଠାକୁର ମହଲର ନିର୍ବାହୀ ଅଧିକାରୀ କହିଛନ୍ତି ପୂଜକ, ସେବକଙ୍କ ଗୋଟିଏ ଟିମ୍ ପୁରୀ ଯାଇଥିଲେ। ଠାକୁର ରଥରେ ନ ବସିଲେ ମନ୍ଦିରରେ କିପରି ରୀତିନୀତି ହୋଇପାରିବ ସେ ସମ୍ପର୍କରେ ସେମାନେ ମୁକ୍ତି ମଣ୍ଡପର ପଣ୍ଡିତ, ଶଙ୍କରାଚାର୍ଯ୍ୟଙ୍କୁ ପଚାରି ବୁଝିଲେ । ଏହାପରେ ଠାକୁରଙ୍କୁ ରଥାରୁଢ଼ କରାଯାଇ କିପରି ରୀତିନୀତି ସମ୍ପନ୍ନ କରାଯାଇ ପାରିବ ସେ ସମ୍ପର୍କରେ ସେମାନେ ଉପାୟ ବତାଇ ଦେଇଥିଲେ। ସୂଚନା ମିଳିବାର ୨ ଘଣ୍ଟା ଭିତରେ ସବୁ ଆୟୋଜନ ହୋଇଗଲା।
ନିଳଗିରି ମନ୍ଦିରର ସେବାୟତ କହିଛନ୍ତି, ଠାକୁରଙ୍କୁ ଜନ୍ମ ବେଦୀକୁ ନେଇପାରି ନ ଥିବାରୁ ମନ ଦୁଃଖ ହେଲା । ତଥାପି ଠାକୁର ରଥାରୁଢ଼ ହେବାରୁ ଖୁବ ଖୁସି ଲାଗିଲା। ଠାକୁରଙ୍କ ଆଶିର୍ବାଦ ରହିଲେ ଆସନ୍ତା ବର୍ଷଠାରୁ ପୁଣି ଥରେ ପରମ୍ପରା ଅନୁଯାୟୀ, ରଥ ଯାତ୍ରା ହେବ। ମାଉସୀ ମନ୍ଦିରକୁ ଯିବେ ଠାକୁର। ନିଳାନ୍ଦ୍ରି ବିଜେ କରିବେ ଠାକୁର ବୋଲି କହିଛନ୍ତି।