ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୁରତରୁ କେବଳ ଟ୍ରେନ୍ରେ ଫେରିବାକୁ ଅନୁମତି । କରୋନା ମୁକାବିଲା ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ସୁରତରୁ କେବଳ ଟ୍ରେନ ଯୋଗେ ଫେରିବାକୁ ମିଳିବ ଅନୁମତି । ସୁରତରୁ ଆସୁଥିବା ବସ୍ ଦୁର୍ଘଟଣାଗ୍ରସ୍ତ ହେଉଥିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୀର୍ଘ ପଥରେ ଖାଇବା ପିଇବା ଅସୁବିଧା, ଦୁର୍ଘଟଣା ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି। ସେହିପରି କରୋନା ମୁକାବିଲା ଲାଗି ଆଗକୁ ଦୈନିକ ୧୫ ହଜାର ସାମ୍ପଲ ଟେଷ୍ଟ ପାଇଁ ପଦକ୍ଷେପ ନିଆଯାଉଛି। ଗ୍ରୀନ୍ ଜୋନରେ କୃଷି, ଶିଳ୍ପ, ଜୀବିକା, ପରିବହନ ସ୍ୱାଭାବିକ୍ କରାଯିବ। ସେହିପରି ଶିଳ୍ପ ସଂସ୍ଥାର ସମସ୍ୟା ସମାଧାନ ପାଇଁ ଆଦର୍ଶ ନୀତି ଆସିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଏହାସହ ଚାଷୀ ଓ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଋଣ ସହାୟତା ବଢ଼ିବ। ମିଶନ ଶକ୍ତି ମହିଳାମାନେ ୨ କୋଟିରୁ ଅଧିକ ମିଲ୍ ଯୋଗାଇଲେଣି । ମିଶନ ଶକ୍ତି ମହିଳାଙ୍କୁ ପ୍ରତି ମିଲ୍ ପିଛା ୨ ଟଙ୍କା ଲେଖାଏଁ ପ୍ରୋତ୍ସାହନ ଦିଆଯିବ। ବାହାରେ ଅଧିକ ଲୋକ କାମ କରୁଥିବା ଜିଲ୍ଲା ଉପରେ ସ୍ବତନ୍ତ୍ର ଦୃଷ୍ଟି ରଖିବାକୁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସୂଚନା ଅନୁଯାୟୀ କରୋନା ଲାଗି ସୁରତରେ ଫିସି ରହିଥିବା ପ୍ରବାସୀ ଓଡ଼ିଆମାନେ ଏବେ ଓଡ଼ିଶା ଫେରିବା ଆରମ୍ଭ କରିଛନ୍ତି। ବସ୍ରେ ସେମାନେ ଫେରୁଥିବା ବେଳେ ଗତ ୪ ଦିନ ମଧ୍ୟରେ ୫ଟି ବସ୍ ଦୁର୍ଘଣାଗଗସ୍ତ ହେଲାଣି।