କରୋନା କାଳରେ ମନ୍ତ୍ରୀ ଓ ଅଧ୍ୟକ୍ଷଙ୍କ ପ୍ଲିଜର ଟ୍ରିପ୍: ସରକାରୀ ଖର୍ଚ୍ଚରେ ସପରିବାର ଯିବେ ଦୁବାଇ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୁହାଯାଏ ରୋମ୍ ଜଳୁଥିବାବେଳେ ସମ୍ରାଟ ନିରୋ ବଂଶୀବାଦନରେ ମଦମସ୍ତ ଥିଲେ । ଆଉ ଏଭଳି ମାନସିକତା ଏବେ ଓଡ଼ିଶା ସରକାରଙ୍କ କ୍ଷେତ୍ରରେ ପ୍ରଯୁଜ୍ୟ ହୋଇଛି । କରୋନା ମହାମାରୀର ନୂଆ ଭାରିଏଣ୍ଟ ‘ଓମିକ୍ରନ’ ସଂକ୍ରମଣର ଆଶଙ୍କା ଏବେ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଥିବାବେଳେ ରାଜ୍ୟବାସୀଙ୍କ ଟିକସ ଅର୍ଥରେ ଆସନ୍ତା ଜାନୁୟାରୀ ୨ତାରିଖରେ ମନ୍ତ୍ରୀ ଓ ଅଫିସରମାନେ ସପରିବାର ବିଦେଶ ଗସ୍ତରେ ଯିବେ ବୋଲି ଜଣାପଡ଼ିଛି । ଓଡ଼ିଆ ଖାଦ୍ୟ ଓ ସଂସ୍କୃତିର ପ୍ରଚାର ନାଁରେ […]

jyoti-prakash-and-asit-trip

Ordigital Desk
  • Published: Monday, 27 December 2021
  • , Updated: 27 December 2021, 10:32 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୁହାଯାଏ ରୋମ୍ ଜଳୁଥିବାବେଳେ ସମ୍ରାଟ ନିରୋ ବଂଶୀବାଦନରେ ମଦମସ୍ତ ଥିଲେ । ଆଉ ଏଭଳି ମାନସିକତା ଏବେ ଓଡ଼ିଶା ସରକାରଙ୍କ କ୍ଷେତ୍ରରେ ପ୍ରଯୁଜ୍ୟ ହୋଇଛି । କରୋନା ମହାମାରୀର ନୂଆ ଭାରିଏଣ୍ଟ ‘ଓମିକ୍ରନ’ ସଂକ୍ରମଣର ଆଶଙ୍କା ଏବେ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଥିବାବେଳେ ରାଜ୍ୟବାସୀଙ୍କ ଟିକସ ଅର୍ଥରେ ଆସନ୍ତା ଜାନୁୟାରୀ ୨ତାରିଖରେ ମନ୍ତ୍ରୀ ଓ ଅଫିସରମାନେ ସପରିବାର ବିଦେଶ ଗସ୍ତରେ ଯିବେ ବୋଲି ଜଣାପଡ଼ିଛି । ଓଡ଼ିଆ ଖାଦ୍ୟ ଓ ସଂସ୍କୃତିର ପ୍ରଚାର ନାଁରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ କୁମାର ତ୍ରିପାଠୀ, ପର୍ଯ୍ୟଟନ ସଚିବ ସୁରେନ୍ଦ୍ର କୁମାର ଓ ନିର୍ଦ୍ଦେଶକ ସଚିନ ଆର. ଯାଦବ ସପରିବାର ଦୁବାଇ ଗସ୍ତରେ ଯିବେ । କରୋନା କାଳରେ ସରକାରୀ ଖର୍ଚ୍ଚରେ ଏହି ମନ୍ତ୍ରୀ ଓ ଅଫିସରଙ୍କ ବ୍ୟୟବହୁଳ ପ୍ଲିଜର ଟ୍ରିପକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

ମିଳିଥିବା ସୂଚନା ଅନୁସାରେ, ୟୁଏଇ ଓ ସାଉଦିଆରବ ଆଦି ଦେଶରୁ ଆସୁଥିବା ଅଧିକାଂଶ ବିଦେଶ ଫେରନ୍ତା ଭାରତରେ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ସେହି ରାଷ୍ଟ୍ରକୁ ପ୍ଲିଜର ଟ୍ରିପ୍ ପାଇଁ ରାଜ୍ୟ ସରକାରଙ୍କ ଏହି ଉଚ୍ଚସ୍ତରୀୟ ଟିମ୍ ସପରିବାର ଭ୍ରମଣ କରିବେ । ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଓ ତାଙ୍କ ପତ୍ନୀ, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ତଥା ପର୍ଯ୍ୟଟନ ବିଭାଗର ପରାମର୍ଶଦାତା ଶ୍ରୀ ତ୍ରିପାଠୀ(କ୍ୟାବିନେଟ ମନ୍ତ୍ରୀ ପାହ୍ୟା) ଓ ତାଙ୍କ ପତ୍ନୀ, ପର୍ଯ୍ୟଟନ ସଚିବ ସୁରେନ୍ଦ୍ର କୁମାର ଓ ତାଙ୍କ ପତ୍ନୀଙ୍କ ସମେତ ପର୍ଯ୍ୟଟନ ନିର୍ଦ୍ଦେଶକ ଶ୍ରୀ ଯାଦବ ଆସନ୍ତା ୨ତାରିଖରୁ ୭ଦିନିଆ ଗସ୍ତରେ ଦୁବାଇ ବୁଲିଯିବେ ବୋଲି ଜଣାପଡ଼ିଛି । ଦୁବାଇରେ ଗତ ଅକ୍ଟୋବର ୧ରୁ ଆରମ୍ଭ ହୋଇଥିବା ‘ଏକ୍ସପୋ-୨୦୨୦ ଦୁବାଇ’ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ(ମୋଟ ୧୮୨ଦିନ)କୁ ବୁଲି ଦେଖିବାକୁ ଏହି ଟିମ୍ ଯାଉଥିବା ପର୍ଯ୍ୟଟନ ବିଭାଗ ସୂତ୍ରରୁ ସୂଚନା ମିଳିଛି ।

ପର୍ଯ୍ୟଟନ ବିଭାଗର ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି ଯେ, କରୋନା ସଂକ୍ରମଣ ସମୟରେ ସରକାରୀ ମନ୍ତ୍ରୀ ଓ ଅଫିସରମାନେ ଅତ୍ୟନ୍ତ ଜରୁରୀ ନଥିଲେ ବିଦେଶ ଗସ୍ତରେ ଯିବା ଉଚିତ୍ ନୁହେଁ । କିନ୍ତୁ ପର୍ଯ୍ୟଟନ ବିଭାଗ ଓ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଶ୍ରୀ ତ୍ରିପାଠୀ ନିଜେ ସପରିବାର ଏହି ଗସ୍ତରେ ଯିବା ପାଇଁ ଅଧିକ ଆଗ୍ରହ ଦେଖାଇଥିବାରୁ ବିଭାଗ ପକ୍ଷରୁ ଏନେଇ ଆବଶ୍ୟକ ବନ୍ଦୋବସ୍ତ କରାଯାଇଛି । ପର୍ଯ୍ୟଟନ ମନ୍ତ୍ରୀ, ସଚିବ ଓ ନିର୍ଦ୍ଦେଶକ ମଧ୍ୟ ଏହି ଗସ୍ତର ସୁଯୋଗ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଦ୍ୱିତୀୟ କ୍ଷମତାକେନ୍ଦ୍ରଙ୍କ ଘନିଷ୍ଠ ବୋଲାଉଥିବା ଶ୍ରୀ ତ୍ରିପାଠୀ ଏହି କାର୍ଯ୍ୟକ୍ରମ ଚାହୁଁଥିବା ଓ ପର୍ଯ୍ୟଟନ ମନ୍ତ୍ରୀଙ୍କ ବ୍ୟକ୍ତିଗତ ଆଗ୍ରହ ପରେ ଏହି କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି । ତେବେ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଓଡ଼ିଶାକୁ ୟୁଏଇ ସରକାର ଆମନ୍ତ୍ରଣ କରିନାହାନ୍ତି । ଦୁବାଇରେ ଥିବା ୟୁଏଇ ଓଡ଼ିଆ ସୋସାଇଟିର ନିମନ୍ତ୍ରଣରେ ଏହି ଉଚ୍ଚସ୍ତରୀୟ ଟିମ୍ ସରକାରୀ ଖର୍ଚ୍ଚରେ ସପରିବାର ଛୁଟି କଟାଇବାକୁ ଯାଉଥିବା ଏହି ଅଧିକାରୀ ନିଜ ନାମ ଗୁପ୍ତ ରଖିବା ସର୍ତ୍ତରେ ସୂଚନା ଦେଇଛନ୍ତି ।

ଏବେ ପ୍ରଶ୍ନ ଉଠୁଛି, କରୋନା ମହାମାରୀ ଯୋଗୁ ସମଗ୍ର ବିଶ୍ୱରେ ପର୍ଯ୍ୟଟନ ପ୍ରଭାବିତ ହୋଇଥିବାବେଳେ ରାଜ୍ୟ ସରକାରଙ୍କ ଏହି ଟିମକୁ ଓଡ଼ିଶାର ଖାଦ୍ୟର ‘ପ୍ରଚାରପ୍ରସାର’ କରିବା ଆଳରେ ଦୁବାଇ ଯିବାକୁ କିଭଳି ଅନୁମତି ମିଳିଲା । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ବିନା ଅନୁମତିରେ ଏହି ଟିମ୍ ସପରିବାର ଦୁବାଇ ଯିବା ସମ୍ଭବପର ନୁହେଁ । ରାଜ୍ୟରେ ଓମିକ୍ରନ ସଂକ୍ରମଣ ଆଶଙ୍କା ବଢ଼ୁଥିବାବେଳେ ସରକାରୀ ଖର୍ଚ୍ଚରେ ଏହି ମନ୍ତ୍ରୀ ଓ ଅଫିସରମାନେ ଦୁବାଇକୁ ‘ପ୍ଲିଜର ଟ୍ରିପ’ରେ ଯିବାଭଳି ସମ୍ବେଦନହୀନ ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କିପରି କ୍ଲିଅରାନ୍ସ ଦେଲା । ଯଦିବି ବାସ୍ତବରେ ଦୁବାଇରେ ଓଡ଼ିଆ ଖାଦ୍ୟ ଓ ସଂସ୍କୃତିର ପ୍ରଚାରପ୍ରସାର କରିବାର ଅଛି, ତା’ହେଲେ ବିଶେଷଜ୍ଞ ଟିମ୍ ଅବା ଏହି କ୍ଷେତ୍ର ସହ ଜଡ଼ିତ ବ୍ୟକ୍ତିମାନଙ୍କୁ ନପଠାଇ ଏହି ମନ୍ତ୍ରୀ ଓ ଅଫିସରମାନଙ୍କୁ କାହିଁକି ପଠାଯାଉଛି? ଏହି ଦୁଇ ଅଣଓଡ଼ିଆ ଅଫିସରଙ୍କର ଓଡ଼ିଶାର ପାରମ୍ପରିକ ଖାଦ୍ୟ ସମ୍ପର୍କରେ ଅଭିଜ୍ଞତା କଥା କ’ଣ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଅଫିସରମାନେ ଜାଣିନାହାନ୍ତି ?

ଆଗକୁ ପଂଚାୟତ ଓ ପୌର ନିର୍ବାଚନ ଥିବାବେଳେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ‘ପଶ୍ଚିମ ଓଡ଼ିଶା ବିକାଶ ପରିଷଦ’ର ଅଧ୍ୟକ୍ଷ ଦାୟିତ୍ୱ ଥିବା ଶ୍ରୀ ତ୍ରିପାଠୀ କିଭଳି ‘ପ୍ଲିଜର ଟ୍ରିପ’ରେ ଯିବାକୁ ଆଗ୍ରହ ଦେଖାଇଲେ । ଗତ ଏକବର୍ଷରୁ ଧରି ଅଧ୍ୟକ୍ଷ ଦାୟିତ୍ୱ ନେଇଥିଲେ ମଧ୍ୟ ପରିଷଦକୁ ପଙ୍ଗୁ କରି ପକାଇ ରଖିଥିଲେ ଓ ଆଜି ହିଁ ପରିଷଦର ପ୍ରଥମ ପୂର୍ଣ୍ଣାଙ୍ଗ ବୈଠକ ଅନୁଷ୍ଠିତ ହୋଇଛି। ଅବସର ପରେ ଶ୍ରୀ ତ୍ରିପାଠୀଙ୍କୁ ରାଜନୀତିକ ପଦବୀ (ପରିଷଦ ଅଧ୍ୟକ୍ଷ)ରେ ଥଇଥାନ କରିବା ବିଜେଡି ପାଇଁ ଏବେ ଏକପ୍ରକାର ବୋଝ ହୋଇଥିବା ଦଳୀୟ ମହଲରେ ଚର୍ଚ୍ଚା।

ସେହିପରି ମନ୍ତ୍ରୀପଦ ପାଇବାର ମାତ୍ର ୬ମାସ ନପୁରୁଣୁ ନିଜର ଅନ୍ତରଙ୍ଗ ବାନ୍ଧବୀଙ୍କୁ ସରକାରୀ ଖର୍ଚ୍ଚରେ ହାଇଦ୍ରାବାଦ ନେଇ ଫାଇଭ ଷ୍ଟାର ହୋଟେଲରେ ଆତିଥ୍ୟ ଦେଇ ବିବାଦୀୟ ହୋଇଥିବା ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଚଳିତଥର ନିଜର ପତ୍ନୀଙ୍କୁ ସାଙ୍ଗରେ ନେଇ ଦୁବାଇ ଯାଉଥିବା ସୂଚନା ମିଳିଛି ।

ତେବେ, କରୋନାର ସଂକ୍ରମଣ ବଢ଼ୁଥିବାବେଳେ ସରକାରୀ ଖର୍ଚ୍ଚରେ ଏଭଳି ‘ପ୍ଲିଜର ଟ୍ରିପ’ ପାଇଁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଅନୁମତି ଦେବା ନିଶ୍ଚିତ ଭାବେ ଓଡ଼ିଆଙ୍କ ପ୍ରତି ଉପହାସ ବୋଲି ସାଧାରଣରେ ଚର୍ଚ୍ଚା ।

Related story