ଖୋର୍ଦ୍ଧା (ବଳରାମ ଲେଙ୍କା): ଚାଲିଥିଲା ଅପରେସନ୍ ଅମ୍ରିତ ପାତ୍ର ଉଦ୍ଧାର। ଲାଗିଥିଲେ ନୟାଗଡ଼ ଜିଲ୍ଲା ୧୨ ପୁଲିସ୍ କର୍ମଚାରୀ ଓ ସନ୍ଧାନୀ କୁକୁର। ୫୦୦ କିଲୋମିଟର ଭିତରେ ଘୂରି ବୁଲିଲା ପୁଲିସ୍। ହେଲେ ଅମ୍ରିତଙ୍କ ପତ୍ତା ପାଇଲା ନାହିଁ। ୫ ଦିନ ପରେ ହଠାତ୍ ସାମ୍ନାକୁ ଆସିଲେ ଅମ୍ରିତ। ନିଜ ଘରଠାରୁ କେଇ ମିଟର ଦୂରରେ ବନ୍ଦୀ ଅବସ୍ଥାରେ ଥିଲେ ଅମ୍ରିତ। ତେବେ କିଏ କାହିଁକି ତାଙ୍କୁ ବନ୍ଦୀ କରି ରଖିଥିଲା, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ଶୁଣିବାକୁ ମିଳୁଛି ଟଙ୍କା ପାଇଁ ଅମ୍ରିତଙ୍କୁ ଅପହରଣ କରାଯାଇଥିଲା। ନୟାଗଡ଼ ପୁଲିସ୍ ଏହି ଘଟଣାର ତଦନ୍ତ ଚଳାଇଛି।
ଓଡ଼ଗାଁ ଥାନା କୁରାଳ ପଞ୍ଚାୟତ ସୁବୁଦ୍ଧି ସାହିର କାଳିଆ ପାତ୍ରଙ୍କ ୧୨ ବର୍ଷର ପୁଅ ହେଉଛନ୍ତି ଅମ୍ରିତ ପାତ୍ର। ଡିସେମ୍ବର ୧୫ ତାରିଖରେ ସେ ଟ୍ୟୁସନ୍ ଯାଇଥିଲେ। ସନ୍ଧ୍ୟା ପ୍ରାୟ ୭ଟା ବେଳେ ସେ ଟ୍ୟୁସନ୍ରୁ ସାଇକେଲ୍ରେ ଘରକୁ ଫେରୁଥିଲେ। ଅଧା ରାସ୍ତାରୁ କେଉଁ ଆଡ଼େ ନିଖୋଜ ହୋଇଯାଇଥିଲେ। ପୁଅ ଦୀର୍ଘ ସମୟ ଧରି ଘରକୁ ନଫେରିବାରୁ ପରିବାରରେ ଭୟର ବାତାବରଣ ଖେଳି ଯାଇଥିଲା। ଅମ୍ରିନ୍ଙ୍କୁ ଚାରିଆଡ଼େ ଖୋଜିଥିଲେ ମଧ୍ୟ ପାଇନଥିଲେ।
ଅମ୍ରିତ୍ଙ୍କୁ ନପାଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଅମ୍ରିତଙ୍କୁ ଉଦ୍ଧାର ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା ଜିଲ୍ଲା ପୁଲିସ୍। ୫ ଦିନ ଧରି ଚାଲିଥିବା ଅପରେସନ୍। ଆଉ ଏହି ଅପରେସନ୍ରେ ନିୟୋଜିତ ହେଲେ ୧୨ ପୁଲିସ୍ କର୍ମଚାରୀ। ପ୍ରାୟ ୫୦୦ କିଲୋମିଟର ବ୍ୟାପି ଚାଲିଥିଲା ସର୍ଚ୍ଚ ଅପରେସନ୍। ଡଗ୍ ସ୍କ୍ୱାର୍ଡ ମଧ୍ୟ ଅମ୍ରିତଙ୍କୁ ଖୋଜି ଥିଲା। ହେଲେ କେହି ତାଙ୍କ ପତ୍ତା ପାଇଥିଲେ ନାହିଁ।
ଶେଷରେ ରହସ୍ୟ ଜନକ ଭାବେ ଉଦ୍ଧାର ହେଲେ ଅମ୍ରିତ। ଆଜି ସକାଳ ପ୍ରାୟ ୮ଟା। ପଣ୍ଡିତସାହି ପାଖରେ ଥିବା ଏକ ଘର ସାମ୍ନାକୁ ଟ୍ୟାପରୁ ପାଣି ଆଣବାକୁ ଯାଇଥିଲେ କାବେରୀ ଦୋରା। ଠିକ୍ ସେହି ସମୟରେ ସେ ଶୁଣିବାକୁ ପାଇଲେ ନିରୀହ ଅମ୍ରିତ ପାତ୍ରର ଡାକ। କାବେରୀ ଦୋରା ଅନାଇଲା ବେଳକୁ ଅମ୍ରିତ ଘର ଭିତରେ ବନ୍ଦ ଅବସ୍ଥାରେ ଥିଲେ। ଗ୍ରୀଲ ଆର ପାର୍ଶ୍ୱରୁ ତାଙ୍କୁ ଦେଖି ସେ ଗାଁ ଲୋକଙ୍କୁ ଡାକିଥିଲେ। ସମସ୍ତେ ସେଠାକୁ ଆସି ଅମ୍ରିତଙ୍କୁ ଉଦ୍ଧାର କରିଥିଲେ। ପୁଅ ବିହୁନେ ଅନବରତ ଲୁହ ଝରାଉଥିଲେ ମା, ବାପା, ଜେଜେ ବାପା ଓ ପରିବାର ହଜିଲା ପୁଅକୁ ପାଇବା ପରେ ଖୁସିରେ ବିଭୋର ହୋଇଥିଲେ। ସ୍ଥାନୀୟ ସରପଞ୍ଚ ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଦୁର୍ବଳ ଥିବା ଅମ୍ରିତଙ୍କୁ ନୟାଗଡ଼ ମେଡ଼ିକାଲକୁ ନେଇଥିଲେ। ଚିକିତ୍ସା ପରେ ଅମ୍ରିତକୁ ଚାଇଲ୍ଡ ଲାଇନ୍କୁ ହସ୍ତାନ୍ତର କରିଛି ପୁଲିସ୍। ତାଙ୍କୁ ଅପହରଣ କରାଯାଇଥିବା ଚର୍ଚ୍ଚା ହେଉଛି।
ତେବେ ଏଠି ପ୍ରଶ୍ନ ଉଠୁଛି ଅମ୍ରିତଙ୍କୁ କିଏ ଅପହରଣ କରିଥିଲା? ପୁଲିସର ସୂଚନା ଅନୁସାରେ, ଅମ୍ରିତଙ୍କୁ ୩ ମୁଖାପିନ୍ଧା ଦୁର୍ବୃତ୍ତ ଏକ ପିକ୍ଅପ୍ ଭ୍ୟାନ୍ରେ ବସାଇ ନେଇ ଯାଇଥିଲେ। ତା’ପରେ ତାଙ୍କ ଆଖିରେ ପଟି ବାନ୍ଧି ଦେଇଥିଲେ। ଦୁର୍ବୃତ୍ତମାନେ ଅମ୍ରିତଙ୍କୁ ଧରି କୁରାଳ ଆଖପାଖ ଅଞ୍ଚଳରେ ଘୂରି ବୁଲିଥିଲେ। ଧମକ ଚମକ ମଧ୍ୟ ଦେଉଥିଲେ। କିଛି ସମୟ ପରେ ସର୍ଟର ଖୋଲା ଶବ୍ଦ ଶୁଣିଥିଲେ ଅମ୍ରିତ। ତା’ହାରି ଭିତରେ ଛାଡ଼ିଦେଇଥିଲେ ଅମ୍ରିତଙ୍କୁ। ସେହି ଘରେ ଅମ୍ରିତଙ୍କୁ ରଖିବା ସହ ଖାଇବାକୁ ଦେଉଥିଲେ ପକୋଡ଼ି, ବିସ୍କୁଟ୍ ଓ ପାଣି। ୫ ଦିନ କାଳ ସେହି ଗୋଟିଏ ଘରେ ଛାଡ଼ି ଦେଇଥିଲେ।
ଅମ୍ରିତ ବନ୍ଦୀ ଥିବା ଘରଟି କାହାର। ଆଜି ଅମ୍ରିତ ଉଦ୍ଧାର ହୋଇଥିବା ଘର ମାଲିକ ପଞ୍ଜାବରେ ରୁହନ୍ତି। ସେ ଏହି ଘରକୁ ଭଡ଼ା ସୂତ୍ରରେ ଦେଇଛନ୍ତି। ତେଣୁ ଘରଟି ଅନେକ ସମୟରେ ପ୍ରାୟତଃ ଖୋଲା ରହିଥାଏ। ଜଣେ ବ୍ୟକ୍ତି ଏହାକୁ ଗୋଦାମ ଭାବେ ବ୍ୟବହାର କରୁଛନ୍ତି। ଚର୍ଚ୍ଚା ହେଉଛି, ଅମ୍ରିତଙ୍କ ବାପାଙ୍କଠୁ ଟଙ୍କା ଆଦାୟ ଆଶାରେ ୩ ଜଣ ଦୁର୍ବୃତ୍ତ କରିଥିଲେ ଅପହରଣ। ଅମ୍ରିତଙ୍କୁ ପୁଲିସ ଚାଇଡ୍ଲାଇନ୍କୁ ହସ୍ତାନ୍ତର କରିଛି। ଚାଇଳ୍ଡ ଲାଇନ ଅମ୍ରିତଠୁ ସବୁ ତଥ୍ୟ କାଢ଼ିବ।ତେଣେ ଅମ୍ରିତ ଉଦ୍ଧାର ହୋଇଥିବା ଘରର ୨ଜଣ କେୟାର ଟେକରଙ୍କୁ ଥାନାକୁ ଆଣି ପୁଲିସ ପଚରାଉଚରା କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।