ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ: ଗଜପତିଙ୍କୁ ରାମକୃଷ୍ଣ ଦାସମହାପାତ୍ରଙ୍କ ଟାର୍ଗେଟ, ବୈଜୟନ୍ତ କହିଲେ ଜାତୀୟ ତଦନ୍ତକାରୀ ସଂସ୍ଥା ଦ୍ୱାରା ଯାଞ୍ଚ ହେଉ

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ପଷ୍ଟୀକରଣ  ଦିଆଯାଇଛି। ଜିଲ୍ଲାପାଳଙ୍କ ନିକଟରେ ଥିବା ଏହି ଚାବି ହଜିଥିବା ସ୍ୱୀକାର କରାଯାଇଛି। ଏଥିସହ ମହାପ୍ରଭୁଙ୍କ ସମସ୍ତ ଅଳଙ୍କାର ରତ୍ନଭଣ୍ଡାରରେ ସୁଦୃଢ ସଂରକ୍ଷଣ ବ୍ୟବସ୍ଥାରେ ଅଛି ବୋଲି ଗତକାଲି ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ସ୍ପଷ୍ଟୀକରଣ ଦେଇଥିଲା ଶ୍ରୀମନ୍ଦିର ପ୍ରଶାସନ। ଅନ୍ୟପଟେ ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଗଜପତି ମହାରାଜାଙ୍କୁ ଦଇତାପତି ନିଯୋଗ ସଭାପତି ରାମକୃଷ୍ଣ ଦାସମହାପାତ୍ର ଟାର୍ଗେଟ କରିଥିବା ବେଳେ […]

puri

puri

Rakesh Mallick
  • Published: Tuesday, 05 June 2018
  • Updated: 05 June 2018, 03:50 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ପଷ୍ଟୀକରଣ  ଦିଆଯାଇଛି। ଜିଲ୍ଲାପାଳଙ୍କ ନିକଟରେ ଥିବା ଏହି ଚାବି ହଜିଥିବା ସ୍ୱୀକାର କରାଯାଇଛି। ଏଥିସହ ମହାପ୍ରଭୁଙ୍କ ସମସ୍ତ ଅଳଙ୍କାର ରତ୍ନଭଣ୍ଡାରରେ ସୁଦୃଢ ସଂରକ୍ଷଣ ବ୍ୟବସ୍ଥାରେ ଅଛି ବୋଲି ଗତକାଲି ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ସ୍ପଷ୍ଟୀକରଣ ଦେଇଥିଲା ଶ୍ରୀମନ୍ଦିର ପ୍ରଶାସନ। ଅନ୍ୟପଟେ ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଗଜପତି ମହାରାଜାଙ୍କୁ ଦଇତାପତି ନିଯୋଗ ସଭାପତି ରାମକୃଷ୍ଣ ଦାସମହାପାତ୍ର ଟାର୍ଗେଟ କରିଥିବା ବେଳେ ଘଟଣାରେ ଏକ ଜାତୀୟ ତଦନ୍ତକାରୀ ସଂସ୍ଥା ଦ୍ୱାରା ଯାଞ୍ଚ କରାଯାଉ ବୋଲି ଦାବି କରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା।

ସୂଚନା ଅନୁଯାୟୀ, ଏପ୍ରିଲ ମାସରେ ପୁରୀ ଜିଲ୍ଲାପାଳ ଚାବି ନ ଥିବା ଜଣାଇଥିଲେ। ଶେଷଥର ପାଇଁ ୧୯୮୫ ମସିହାରେ ରତ୍ନଭଣ୍ଡାର ଖୋଲାଯାଇଥିଲା।  ସେତେବେଳେ ୩ଟି ତାଲା ମଧ୍ୟରୁ ଗୋଟିକରେ ଜଉମୁଦ ଦିଆଯାଇଥିଲା। ଯାହା ଅଦ୍ୟାବଧି ଅକ୍ଷୁର୍ଣ୍ଣ ଅବସ୍ଥାରେ ରହିଛି। ତେଣୁ ମହାପ୍ରଭୁଙ୍କୁ ସମସ୍ତ ଅଳଙ୍କାର ରତ୍ନଭଣ୍ଡାରରେ ସୁଦୃଢ ସଂରକ୍ଷଣ ବ୍ୟବସ୍ଥାରେ ରହିଥିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଅନ୍ୟପଟେ ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଗଜପତି ମହାରାଜାଙ୍କୁ ଟାର୍ଗେଟ୍ କରିଛନ୍ତି ଦଇତାପତି ନିଯୋଗ ସଭାପତି ରାମକୃଷ୍ଣ ଦାସମହାପାତ୍ର। ଗତକାଲି ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ରାମକୃଷ୍ଣ କହିଛନ୍ତି,“ଗଜପତି ଘରର ମୁରବି, ସେ ଏନେଇ ପଦକ୍ଷେପ ନେବା କଥା। ‘ଏହି ପ୍ରସଙ୍ଗରେ ଗଜପତି ଜରୁରୀ ମିଟିଂ ଡାକି ଆଲୋଚନା କରନ୍ତୁ।  ଯଦି ମିଟିଂରେ ଚାବି ତଥ୍ୟ ମିଳିଯାଏ ତେବେ ତଦନ୍ତ ଅନାବଶ୍ୟକ।”

ସେହିପରି ଭଣ୍ଡାର ଘରର ଅନ୍ୟ ଏକ ଚାବି ଗଜପତିଙ୍କ ପାଖରେ ରହିବା କଥା, ତେଣୁ ତାହା ଅଛି ନା ନାହିଁ ସେ ସ୍ପଷ୍ଟ କରନ୍ତୁ ବୋଲି ରାମକୃଷ୍ଣ କହିଛନ୍ତି। ତେବେ ଏନେଇ ଗଜପତି ମହାରାଜଙ୍କ ପ୍ରତିକ୍ରିୟା ମିଳିନାହିଁ।

 ଅନ୍ୟପଟେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଚାବି ହଜିବା ଘଟଣାର ଯାଞ୍ଚ ଏକ ଜାତୀୟ ତଦନ୍ତକାରୀ ସଂସ୍ଥା ଦ୍ୱାରା କରିବାକୁ ଦାବି କରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ଏ ସମ୍ପର୍କିତ ଏକ ଖବର ଉପରେ ଟୁଇଟ୍ କରି ବୈଜୟନ୍ତ କହିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ବିରୋଧରେ ସିରିଜ୍ ଲୁଟପାଟ୍ ଚାଲିଥିବା ବେଳେ ଚାବି ହଜିବା ହେଉଛି ସଦ୍ୟତମ ଘଟଣା। ଏଭଳି ସ୍ପର୍ଶକାତର ଘଟଣାକୁ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ୨ ମାସରୁ ଅଧିକ ସମୟ ଧରି ଚାପି ରଖିବା ଲଜ୍ଜାଜନକ।  ଆଗରୁ ଅନେକ ଗୁଡ଼ିଏ ତଦନ୍ତକୁ ଲୋକେ ଭୁଲି ଯାଇଥିବା ବେଳେ ଚାବି ହଜିବା ପ୍ରସଙ୍ଗରେ ହେବାକୁ ଥିବା ନୂଆ ତଦନ୍ତ ଫଳପ୍ରଦ ହେବ କି ବୋଲି ପ୍ରଶ୍ନ କରିଛନ୍ତି  ବୈଜୟନ୍ତ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos