ତୀବ୍ର ହେଉଛି ବିଧାୟକ-ଜିଲ୍ଲାପାଳ କଳି; କଳାବ୍ୟାଜ୍‌ ପିନ୍ଧିବ ଓଏଏସ୍‌ ସଂଘ, ଧାରଣା ଦେବେ କଂଗ୍ରେସ କର୍ମୀ

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ଦିନକୁ ଦିନ ତୀବ୍ର ହେଉଛି ବଲାଙ୍ଗିର ଜିଲ୍ଲାପାଳ ଓ କଣ୍ଟାବାଞ୍ଜି ବିଧାୟକଙ୍କ କଳି। ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ବ୍ୟବହାରକୁ ନିନ୍ଦାକରି ଜିଲ୍ଲାର ଓଏଏସ୍‌ ଅଫିସରମାନେ ଆସନ୍ତା ୧୬ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ କଳାବ୍ୟାଜ୍‌ ପିନ୍ଧିବେ ବୋଲି ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ ବିଜୁ କେବିକେ ଅନୁଦାନ କାଟିବା ଓ 5-T ସ୍କୁଲ୍‌ କାମରେ ଅନିୟମିତତା ଅଭିଯୋଗ ଆଣି କଂଗ୍ରେସ ବିଧାୟକ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି। ଆଗାମୀ ଦିନରେ ପ୍ରଶାସକ ଓ […]

Congress

  • Published: Friday, 13 January 2023
  • , Updated: 13 January 2023, 09:14 PM IST

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ଦିନକୁ ଦିନ ତୀବ୍ର ହେଉଛି ବଲାଙ୍ଗିର ଜିଲ୍ଲାପାଳ ଓ କଣ୍ଟାବାଞ୍ଜି ବିଧାୟକଙ୍କ କଳି। ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ବ୍ୟବହାରକୁ ନିନ୍ଦାକରି ଜିଲ୍ଲାର ଓଏଏସ୍‌ ଅଫିସରମାନେ ଆସନ୍ତା ୧୬ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ କଳାବ୍ୟାଜ୍‌ ପିନ୍ଧିବେ ବୋଲି ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ ବିଜୁ କେବିକେ ଅନୁଦାନ କାଟିବା ଓ 5-T ସ୍କୁଲ୍‌ କାମରେ ଅନିୟମିତତା ଅଭିଯୋଗ ଆଣି କଂଗ୍ରେସ ବିଧାୟକ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି। ଆଗାମୀ ଦିନରେ ପ୍ରଶାସକ ଓ ବିଧାୟକଙ୍କ କଳି କେଉଁ ରୂପ ନେଉଛି, ତାହା ଦେଖିବାର ବାକି ରହିଛି।

ତେବେ ଏଠି ପ୍ରଶ୍ନ ଉଠୁଛି ଏ କଳି କଣ ପାଇଁ? ଗୁରୁବାର ବଲାଙ୍ଗିର ଡିଆରଡିଏ କନ୍‌ଫରେନ୍ସ ହଲ୍‌ରେ ଜିଲ୍ଲା ପରିଷଦ ବୈଠକ ବସିଥିଲା। ଏଥିରେ ଯୋଗଦେଇଥିଲେ ମନ୍ତ୍ରୀ ଟୁକୁନି ସାହୁ, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା, ଜିଲ୍ଲା ପରିଷଦ ସଭ୍ୟ, ଜିଲ୍ଲାପାଳ ଚଞ୍ଚଳ ରାଣା ଓ ଅନ୍ୟ ବିଭାଗୀୟ ଅଧିକାରୀ। ବିଜୁ କେବିକେ ଯୋଜନା ପାଣ୍ଠି କାଟିବା ଓ 5-T ସ୍କୁଲ୍‌ କାମରେ ଅନିୟମିତତାକୁ ନେଇ ବିଧାୟକ ଓ ଜିଲ୍ଲାପାଳଙ୍କ ମଧ୍ୟରେ ସେଠାରେ କଥା କଟାକଟି ହୋଇଥିଲା। ଯୁକ୍ତିତର୍କ ଭିତରେ ଜିଲ୍ଲାପାଳ ଓ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ ଆକ୍ଷେପ କରି ବିଧାୟକ ଅରୁଚିକର ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି।

ବିଧାୟକଙ୍କ ଏପରି ମନ୍ତବ୍ୟକୁ ସହଜରେ ହଜମ କରିପାରିନି ବଲାଙ୍ଗିର ଜିଲ୍ଲା ଓଏଏସ୍‌ ସଂଘ। ଏହାର ପ୍ରତିବାଦରେ ଆଜି ସଂଘର କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକ ବସିଥିଲା। ଏଥିରେ ବିଧାୟକଙ୍କ ମନ୍ତବ୍ୟ ଉପରେ ଆଲୋଚନା ହୋଇଥିଲା। ପରେ ଓଏଏସ୍‌ ସଂଘର କର୍ମକର୍ତ୍ତାମାନେ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ଦେବା ସହିତ ଘଟଣାକୁ ନିନ୍ଦା କରିଥିଲେ। ଓଏଏସ୍‌ ସଂଘ ଆସନ୍ତା ୧୬, ୧୭ ଓ ୧୮ କଳାବ୍ୟାଜ୍ ପରିଧାନ କରି କାମ କରିବେ ବୋଲି ସୂଚନା ଦେଇଛି ଜିଲ୍ଲା ଓଏଏସ୍‌ ସଂଘ।

ଅନ୍ୟପକ୍ଷରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଆଜି ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି। ଆସନ୍ତା ୧୬ ଓ ୧୭ ତାରିଖରେ କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନମଣ୍ଡଳୀରେ ସବୁ ବ୍ଲକରେ ଧାରଣା ଦେବେ କଂଗ୍ରେସ କର୍ମୀ। ୧୮ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ଲାଗି ସନ୍ତୋଷ ସିଂହ ସାଲୁଜା ଆଜି ଧମକ ଦେଇଛନ୍ତି। ବିଜୁ କେବିକେ ଯୋଜନା ପାଣ୍ଠି କାଟିବା ଓ 5-T ସ୍କୁଲ୍‌ କାମରେ ଅନିୟମିତତା ପ୍ରତିବାଦରେ ସେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି।

Related story