ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଠ ପଢ଼ିବେ ବିଧାୟକ। ବିଧାନସଭାରେ କିପରି ବ୍ୟବସ୍ଥିତ ଢଙ୍ଗରେ ଲୋକଙ୍କ ଦାବି ଉପସ୍ଥାପନ କରିବେ ସେ ସମ୍ପର୍କରେ ଷୋଡ଼ଶ ବିଧାନସଭାର ବିଧାୟକ ଓ ବିଧାୟିକାମାନଙ୍କୁ ଆଜିଠୁ ପ୍ରଶିକ୍ଷଣ ଦିଆଯିବ। ଓଡ଼ିଶା ବିଧାନସଭାର ନୂତନ ସମ୍ମିଳନୀ କକ୍ଷରେ ଆଜି ଓ ଆସନ୍ତାକାଲି ଦୁଇଦିନ ଧରି ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲିବ।
ପୂର୍ବାହ୍ନ ୧୦ଟା ୪୫ ମିନିଟ୍ରେ ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିବେ। ପ୍ରଥମ ଦିନରେ ବିଧାନସଭାର କମିଟି ବ୍ୟବସ୍ଥା ଓ ବୈଧାନିକ ପ୍ରକ୍ରିୟା ଉପରେ ଆଲୋଚନା ହେବ। ଏଥିସହ ସଂସଦୀୟ ବିଶେଷାଧିକାର ପ୍ରଥା, ପରମ୍ପରା ଓ ଶିଷ୍ଟାଚାର ସମ୍ପର୍କରେ ଆଲୋଚନା ହେବ।
ଆସନ୍ତାକାଲି ଦ୍ୱିତୀୟ ଦିନରେ ବିଧାନସଭାର ବଜେଟ୍ ପ୍ରକ୍ରିୟା ଉପରେ ଆଲୋଚନା ହେବା କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଗୃହରେ ସାର୍ବଜନୀନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ପ୍ରଶ୍ନ ଉପସ୍ଥାପନର ପ୍ରକ୍ରିୟା ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ।