କନଫ୍ୟୁଜନ୍ ନୁହେଁ, କମିଟମେଣ୍ଟ ସରକାର ଚାଲିଛି

କଟକ(ଓଡ଼ିଶା ରିପୋର୍ଟର): ଦେଶରେ କନ୍‌ଫ୍ୟୁଜନ୍‌ ନୁହେଁ କମିଟ୍‌ମେଣ୍ଟର ସରକାର ଚାଲିଛି। କଳାଧନ ବିରୋଧରେ ଲଢେଇ କରି ଆମେ ଆମର କମିଟ୍‌ମେଣ୍ଟର ପ୍ରମାଣ ଦେଇଛୁ। ଆଉ ସେହି ଲଢ଼େଇ ଚାଲିଛି। ଆଗକୁ ମଧ୍ୟ ଚାଲିବ। କଟକରେ ଆୟୋଜିତ ଜନକଲ୍ୟାଣ ସମାରୋହରେ ଆଜି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏକ ଘଣ୍ଟା ବିଳମ୍ୱରେ ପ୍ରଧାନମନ୍ତ୍ରୀ ସ୍ୱତନ୍ତ୍ର ବାୟୁସେନା ବିମାନ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ରାଜ୍ୟପାଳ ସତ୍ୟପାଲ ମଲିକ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ […]

modi criticised state govt in cuttack

modi criticised state govt in cuttack

Rakesh Mallick
  • Published: Saturday, 26 May 2018
  • Updated: 26 May 2018, 08:49 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ଦେଶରେ କନ୍‌ଫ୍ୟୁଜନ୍‌ ନୁହେଁ କମିଟ୍‌ମେଣ୍ଟର ସରକାର ଚାଲିଛି। କଳାଧନ ବିରୋଧରେ ଲଢେଇ କରି ଆମେ ଆମର କମିଟ୍‌ମେଣ୍ଟର ପ୍ରମାଣ ଦେଇଛୁ। ଆଉ ସେହି ଲଢ଼େଇ ଚାଲିଛି। ଆଗକୁ ମଧ୍ୟ ଚାଲିବ। କଟକରେ ଆୟୋଜିତ ଜନକଲ୍ୟାଣ ସମାରୋହରେ ଆଜି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଏକ ଘଣ୍ଟା ବିଳମ୍ୱରେ ପ୍ରଧାନମନ୍ତ୍ରୀ ସ୍ୱତନ୍ତ୍ର ବାୟୁସେନା ବିମାନ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ରାଜ୍ୟପାଳ ସତ୍ୟପାଲ ମଲିକ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଓ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ସ୍ୱାଗତ କରିଥିଲେ। ତା’ପରେ ମୋଦି ସ୍ୱତନ୍ତ୍ର ବିମାନରେ କଟକ ଯାଇ ସମାବେଶରେ ଯୋଗଦେଇଥିଲେ। ଜୟ ଜଗନ୍ନାଥ କହି ସେ ଉଦ୍‌ବୋଧନ ଆରମ୍ଭ କରିଥିଲେ।

ସେ କହିଥିଲେ-“କଟକର ତାରକସୀ ଓଡ଼ିଶାର ସୂକ୍ଷ୍ମ କଳାର ପ୍ରତୀକ। ଦେଶର ଅନେକ ସ୍ୱତନ୍ତ୍ର ସେନାନୀଙ୍କ କର୍ମଭୂମି ହେଉଛି କଟକ। ଏଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଗ୍ରହଣ କରିଥିଲେ। ଏଠାରୁ ରାଜ୍ୟବାସୀଙ୍କଠାରୁ ମିଳୁଥିବା ସ୍ନେହ, ଆଶୀର୍ବାଦ ଓ ଆକାଂକ୍ଷା ମୋତେ ତାକତ ଦେଇଛି। ଯାହା କାମ କରିବା ପାଇଁ ପ୍ରେରଣା ଯୋଗାଉଛି। ୪ ବର୍ଷରେ ହିନ୍ଦୁସ୍ତାନ ବଦଳିଛି। ଅବ୍ୟବସ୍ଥାରୁ ବ୍ୟବସ୍ଥା ଓ କୁଶାସନରୁ ସୁଶାସନକୁ ପରିବର୍ତ୍ତନ ହୋଇଛି। ପରିବର୍ତ୍ତନ ଆଡ଼କୁ ଆମ ଦେଶ ଦ୍ରୁତ ଗତିରେ ଆଗେଇ ଚାଲିଛି।”

ସେ ଆହୁରି କହିଛନ୍ତି-“ଏନଡିଏ ସରକାରରେ ଥିବା ଲୋକ ଗରିବ ଘରୁ ଆସିଛନ୍ତି। ସେମାନେ ଗରିବର ଦୁଃଖ ଓ ଦୁର୍ଦ୍ଦଶା କ’ଣ ଜାଣିଛନ୍ତି। ଭାରତର ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ମୁଁ (ପ୍ରଧାନମନ୍ତ୍ରୀ) ସାଧାରଣ ଘରୁ ଆସିଛି। ସୁନା ଚାମଚ ଛାଡ଼ ଆମେ ପିଲାବେଳେ ଚାମଚ ବି ପାଇନୁ। ଦେଶବାସୀଙ୍କ ବିକାଶ ପାଇଁ ଉଜ୍ଜ୍ୱଳା, ବେଟି ବଚାଓ ଓ ପ୍ରଧାନମନ୍ତ୍ରୀ ସିଞ୍ଚାଇ ପରିଯୋଜନା କାର୍ଯ୍ୟକାରୀ କରାଯାଇଛି।

ଦେଶର ୪ ଜଣ ମୁଖ୍ୟମନ୍ତ୍ରୀ ଜେଲରେ ଅଛନ୍ତି

ଦେଶରେ କନଫ୍ୟୁଜନ୍ ନୁହେଁ, କମିଟମେଣ୍ଟ ସରକାର ଚାଲିଛି ବୋଲି ମୋଦି କହିଛନ୍ତି। ସେ କହିଛନ୍ତି-“କଳାଧନ ବିରୋଧରେ ଲଢେଇର କମିଟମେଣ୍ଟ ଦିଆଯାଇଛି। ଗତ ୪ ବର୍ଷରେ ୩୦୦୦ ଜାଗାରେ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ୫୩,୦୦୦ କୋଟି ଟଙ୍କାର ସନ୍ଧାନ ମିଳିଛି। କଳାଧନ ରଖିଥିବା ଲୋକଙ୍କ ଭିତରେ ହୃଦ କମ୍ପନ ସୃଷ୍ଟି ହୋଇଛି। ଆଜି ଦେଶର ୪ ପୂର୍ବ ମୁଖ୍ୟମନ୍ତ୍ରୀ ଜେଲରେ ଅଛନ୍ତି।”

ଏନ୍‌ଡିଏ ବିରୋଧୀ ମେଣ୍ଟକୁ ଟାର୍ଗେଟ

ଏନ୍‌ଡିଏ ସରକାର ବିରୋଧୀ ମହାମେଣ୍ଟକୁ ମୋଦିଙ୍କ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି-“କିଛି ଲୋକ ମିଶି ଏକାଠି ହୋଇ ଦେଶରେ ଅସ୍ଥିରତା ସୃଷ୍ଟି କରିବାକୁ ଚାହୁଁଛନ୍ତି। ଜାତିର ପିତା ମହାତ୍ମା ଗାନ୍ଧି ଓ ସର୍ଦ୍ଦାର ପଟେଲ କ’ଣ ଏଥିପାଇଁ ଦେଶରେ ସ୍ୱାଧୀନତା ଆଣିଥିଲେ? ଭ୍ରଷ୍ଟାଚାରରେ ବୁଡ଼ିଥିବା ଦେଶ ପାଇଁ କ’ଣ ସ୍ୱାଧୀନତା ଆଣିଥିଲା? ଦେଶର ଅଧା ଲୋକଙ୍କ ପାଖରେ ବିଜୁଳି, ଗ୍ୟାସ ନଥିଲା। ଅଧା ଦେଶବାସୀଙ୍କ ପାଖରେ ପାଇଖାନା ଓ ରାସ୍ତା ନଥିଲା। ଭୋଟ ବ୍ୟାଙ୍କ ପଲିଟିକ୍ସ ପାଇଁ ଦେଶକୁ ବରବାଦ କରାଯାଇଥିଲା। ସମସ୍ତଙ୍କ ବିକାଶ ନୁହେଁ, କେବଳ ନିଜ ଭୋଟ ବ୍ୟାଙ୍କ ବଢ଼ା ଯାଉଥିଲା। ଗରିବଙ୍କୁ ମୁଖ୍ୟସ୍ରୋତକୁ ଆଣିବା ପାଇଁ ଟିକେ ହେଲେ ବି ପ୍ରୟାସ କରାଯାଇନଥିଲା। ସେଥିପାଇଁ ବିକାଶର ମୁଖ୍ୟସ୍ରୋତରୁ ଉତ୍ତର-ପୂର୍ବ ରାଜ୍ୟ ଗୁଡ଼ିକ ଦୂରେଇ ଯାଇଥିଲା। ଏହା ଜ୍ୱଳନ୍ତ ଉଦାହରଣ ହେଉଛି ପାରାଦୀପ ରିଫାଇନାରୀ। ଏହି ରିଫାଇନାରିକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅମଳରେ ଆରମ୍ଭ ହୋଇଥିଲା। କଂଗ୍ରେସ ସରକାର ଆସି ଏହାକୁ ଝୁଲାଇ ରଖିଥିଲା। ଆମ ସରକାର ଆସିଲା ପରେ ରିଫାଇନାରୀ କାର୍ଯ୍ୟକ୍ଷମ ହେଲା।”

ସରକାର ଜନପଥରେ ନୁହେଁ, ଜନମତରେ ଚାଲିଛି

ଆମ ସରକାର ଜନପଥରେ ନୁହେଁ, ଜନମତରେ ଚାଲିଛି ବୋଲି ମୋଦି କହିଥିଲେ। ସେ କହିଥିଲେ-“ଦେଶର ବାକି ୧୮,୦୦୦ ଗାଁରେ ବିଜୁଳି ପହଞ୍ଚି ସାରିଛି। ୪ କୋଟି ଘରେ ମାଗଣା ବିଜୁଳି ଆଲୋକ ଦିଆଯାଇଛି। ୨୦୧୪ ସୁଦ୍ଧା ଦେଶରେ ୬ କୋଟି ଶୌଚାଳୟ ଥିଲା। ୪ ବର୍ଷ ମଧ୍ୟରେ ଆଉ ସାଢେ ୭ କୋଟି ଶୌଚାଳୟ ହୋଇଛି। ୭୦ ବର୍ଷ ମଧ୍ୟରେ ଦେଶରେ ୧୩ କୋଟି ଗ୍ୟାସ୍ ସଂଯୋଗ ଥିଲା। ୪ ବର୍ଷ ମଧ୍ୟରେ ୧୦ କୋଟି ଗ୍ୟାସ୍ ସଂଯୋଗ ଦିଆଯାଇଛି। ଉଜ୍ଜ୍ୱଳା ଯୋଜନାରେ ଓଡ଼ିଶାରେ ୨୫ ଲକ୍ଷ ପରିବାରକୁ ସଂଯୋଗ ଦିଆଯାଇଛି। ଦେଶର ପ୍ରତି ପରିବାରରେ ଏବେ ବ୍ୟାଙ୍କ ଆକାଉଁଣ୍ଟ ଅଛି। ପ୍ରତି ଗରିବଙ୍କୁ ଦେଶର ଅର୍ଥ ବ୍ୟବସ୍ଥାରେ ଯୋଡ଼ା ଯାଇଛି। ଦେଶର ୧ କୋଟି ଲୋକଙ୍କୁ ଅଟଳ ପେନସନ ଯୋଜନାରେ ସାମିଲ କରାଯାଇଛି। ଦେଶର ଗରିବଙ୍କୁ ସଶକ୍ତ କରିବାକୁ ଇମାନଦାରୀ ସହ କାମ କରିଛି। ୨ ଲକ୍ଷ ୨୬ ହଜାର ସନ୍ଦିଗ୍ଧ କମ୍ପାନୀ ରଦ୍ଦ କରାଯାଇଛି।”

ଦେଶରେ ନକ୍ସଲ ଉପଦ୍ରବ କମିଛି

ଦେଶରେ ନକ୍ସଲ ଉପଦ୍ରୁତ ଜିଲ୍ଲା ସଂଖ୍ୟା କମିଛି। ନକ୍ସଲ ଉପଦ୍ରୁତ ଜିଲ୍ଲା ସଂଖ୍ୟା ୧୨୬ରୁ ଖସି ୯୦ରେ ପହଞ୍ଚିଛି ବୋଲି ମୋଦି କହିଛନ୍ତି। ସେ କହିଛନ୍ତି-“ଡେଭଲପମେଣ୍ଟ ଓ ଗୁଡ୍ ଗଭର୍ଣ୍ଣାନ୍ସ ଆମ ପାଇଁ ଗୁଡ୍‌ ପଲିଟିକ୍ସ। ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦ୍ୱି’ଗୁଣିତ ହେବା ଆମ ଲକ୍ଷ୍ୟ। ଆଜି ଉତ୍ତର-ପୂର୍ବ ରେଳ ସଂଯୋଗରେ ଯୋଡ଼ି ହୋଇଛି। ସାଗରମାଳା ଯୋଜନାରେ ଦେଶ ତମାମ ସଡ଼କ ସଂଯୋଗ ଚାଲିଛି। ଦୃଢ଼ ଇଚ୍ଛାଶକ୍ତିରେ କେମିତି ସବୁ ସମ୍ଭବ ୪ ବର୍ଷରେ ଜାଣିପାରିଛି। ୪ ବର୍ଷରେ ଆମ ଯାତ୍ରା ସରିନି, ଲମ୍ବା ଯାତ୍ରା ଚାଲୁ ରହିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos