ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନାଁରେ ଲମ୍ବି ଚାଲିଛି ଅଭିଯୋଗର ଫର୍ଦ୍ଦ। ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ମାନସିକ ନିର୍ଯାତନା ଦେଉଥିବା ନେଇ ପୂର୍ବରୁ ତାଙ୍କ ବ୍ୟକ୍ତିଗତ ସହାୟକ ହେମନ୍ତ ଭୋଇଙ୍କ ପତ୍ନୀ ସବିତା ନାୟକ ଅଭିଯୋଗ କରିଥିବା ବେଳେ ଏବେ ମୁହଁ ଖୋଲିଛନ୍ତି ଆଉ ୩ କର୍ମଚାରୀ। ଜିଲ୍ଲାପାଳ ସେମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା କହି କର୍ମଚାରୀମାନେ କାନ୍ଦି ପକାଇଥିବା ବେଳେ ଆଜି ସେମାନଙ୍କୁ ବାହାର ରାସ୍ତା ଦେଖାଇ ଦେଇଛନ୍ତି ଜିଲ୍ଲାପାଳ। ଏହି ଘଟଣାର ସତ୍ୟତା ଜଣାପଡ଼ି ନ ଥିବା ବେଳେ ଏହାକୁ ନେଇ କିନ୍ତୁ ଚର୍ଚ୍ଚା ଜୋର ଧରିବାରେ ଲାଗିଛି।
ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନାଁରେ ଅଭିଯୋଗ ଆଣିଥିବା ୩ କର୍ମଚାରୀ ହେଲେ ତାଙ୍କ ଆବାସିକ କାର୍ଯ୍ୟାଳୟରେ କାମ କରୁଥିବା ରୋଷେୟା ଲକ୍ଷ୍ମୀଧର ଦାସ, ମାଳି ଗୋପାଳ ବେହେରା ଏବଂ ବଲ୍ଲଭ ସାହୁ। ଜିଲ୍ଲାପାଳ ସେମାନଙ୍କୁ ବିଭିନ୍ନ ସମୟରେ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ନେଇ ମଙ୍ଗଳବାର ଦିନ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଥିଲେ।
ଏହାପରେ ଆଜି ସକାଳୁ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ସେମାନଙ୍କୁ ଡାକି ଅନ୍ୟତ୍ର ବଦଳି ଆଦେଶ ନ ବାହାରିବା ପର୍ଯ୍ୟନ୍ତ ଆବାସିକ କାର୍ଯ୍ୟାଳୟରେ କାମ ନକରିବାକୁ କହିଛନ୍ତି। ଏପରିକି ସେମାନଙ୍କୁ ଆଜି ଜିଲ୍ଲାପାଳ ବାହାର ରାସ୍ତା ବି ଦେଖାଇଦେଇ ତାଙ୍କ କାର୍ଯ୍ୟାଳୟରୁ ତଡ଼ି ଦେଇଥିବା କର୍ମଚାରୀମାନେ ଅଭିଯୋଗ କରିଛନ୍ତି। ତେବେ ଏ ନେଇ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ମିଳିପାରିନି।
ଏନେଇ କର୍ମଚାରୀ ବଲ୍ଲଭ ସାହୁ କହିଛନ୍ତି, ଜିଲ୍ଲାପାଳ ଡାକି ବାହାରକୁ ପଠାଇ ଦେବି, ଝାଡ଼ୁ ମାରିବୁ ବୋଲି କହିଛନ୍ତି। ତାଙ୍କ ଆବାସିକ କାର୍ଯ୍ୟାଳୟରେ କାମ କରିବାକୁ ମନା କରିବା ସହ ପଳାଇବାକୁ କହିଲେ। ଏଥିସହ ବାହାରେ ପୋଷ୍ଟିଂ କରିଦେବେ ବୋଲି ବି ଧମକ ଦେଇଛନ୍ତି।
ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନାଁରେ ଏହା ପ୍ରଥମ ଅଭିଯୋଗ ନୁହେଁ। ଏହା ପୂର୍ବରୁ ଜିଲ୍ଲାପାଳ ନିଜ ବ୍ୟକ୍ତିଗତ ସହାୟକ ହେମନ୍ତ ଭୋଇଙ୍କୁ ମାନସିକ ନିର୍ଯାତନା ଦେଉଥିବା ନେଇ ତାଙ୍କ ପତ୍ନୀ ସବିତା ନାୟକ ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାକୁ ଇତି ମଧ୍ୟରେ ୨୦ ଦିନ ବିତି ଯାଇଥିବା ବେଳେ ପୁଲିସ୍ କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି।
ଏନେଇ ସବିତା ନାୟକ କହିଛନ୍ତି, ଏହି ଘଟଣାରେ ପୁଲିସ୍ ଟାଳଟୁଳ ନୀତି ଅବଲମ୍ବନ କରୁଛି। ମୋ’ ଅଭିଯୋଗ ଉପରେ କୌଣସି ମାମଲା ରୁଜୁ ହୋଇନି। ମୋତେ ରେଜିଷ୍ଟ୍ରେଶନ ନମ୍ବର ମିଳିନି। ପ୍ରଥମେ ତଦନ୍ତ ହେବ, ପରେ ମାମଲା ରୁଜୁ ହେବ ବୋଲି ମୋତେ କୁହାଯାଇଛି। ଆମେ ଜିଲ୍ଲାପାଳଙ୍କ ନାଁରେ ଅଭିଯୋଗ କରିଛୁ, ହେଲେ ତାଙ୍କ ବୟାନ ରେକର୍ଡ ହେଉନି। ପୁଲିସ୍ ଅଧିକାରୀ ଆମକୁ ସହଯୋଗ କରୁ ନାହାନ୍ତି। ଥାନାରୁ ନ୍ୟାୟ ନ ଦେଲେ ଆମେ ଅଲଗା ବାଟରେ ଯିବୁ।