ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଜ ଜନ୍ମମାଟିରେ ପଞ୍ଚଭୂତରେ ବିଲୀନ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ। ତାଙ୍କୁ ତାଙ୍କ ପୈତୃକ ଗାଁ ଝାରସୁଗୁଡ଼ା ଜିଲ୍ଲା କିରିମିରା ବ୍ଲକ ଠାକୁରପଡ଼ା ଗାଁ ଶ୍ୱଶାନରେ ଏକ ଶୋକାକୁଳ ପରିବେଶରେ ବିଦାୟ ଜଣାଇଛନ୍ତି ଆତ୍ମୀୟ ସ୍ୱଜନ, ରାଜନୈତିକ ସଥୀ ଓ ସମର୍ଥକ। ହେମାନ୍ଦଙ୍କ ପୁତୁରା ଦିନେଶ ବିଶ୍ୱାଳ ମୁଖାଗ୍ନି ଦେଇଥିଲେ।
ଠାକୁରପଡ଼ା ଶ୍ମଶାନରେ ବିଶାଳ ଜନସମାଗମ ଭିତରେ ତାଙ୍କ ଶେଷକୃତ୍ୟ ପାଇଁ ବିଶେଷ ଆୟୋଜନ କରାଯାଇଥିଲା। ଏହା ପୂର୍ବରୁ ଠାକୁରପଡ଼ା ବାସଭବନରେ ହେମାନନ୍ଦଙ୍କ ଶେଷ ଦର୍ଶନ କରିଥିଲେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ, ରାଜଗାଙ୍ଗପୁର ବିଧାୟକ, ତଳସରା ବିଧାୟକ ପ୍ରମୁଖ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ ସହ ଅନ୍ତିମ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଝାରସୁଗୁଡ଼ା ଜିଲ୍ଲାପାଳ, ଏସ୍ପି ପ୍ରମୁଖ ହେମାନ୍ଦଙ୍କ ବାସଭବନରେ ଉପସ୍ଥିତ ଥିଲେ। ଏହି ଅବସରରେ ତାଙ୍କୁ ପୁଲିସ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇଥିଲା।
ଏପଟେ ବିଧାନସଭାରେ ମଧ୍ୟ ହେମାନନ୍ଦଙ୍କ ଉଦ୍ଦେଶ୍ୟରେ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ସେହିଭଳି କଂଗ୍ରେସ ଭବନରେ ମଧ୍ୟ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜିତ ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।