ନବୀନଙ୍କୁ ଧରାଛୁଆଁ ଦେଉନାହାନ୍ତି ଦଳୀୟ ବିଧାୟକ, ଦିନ ଗଡ଼ାଇ ଚାଲିଛନ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦଳର ୮ଜଣ ସାଂସଦ ପ୍ରାର୍ଥୀଙ୍କ ପରାଜୟର କାରଣ ଜାଣିବା ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଗିଥିବା ରିପୋର୍ଟ ଦେବାରେ ଦଳୀୟ ବିଧାୟକମାନେ ଦିନ ଗଡ଼ାଇ ଚାଲିଛନ୍ତି। ମେ’ ୨୬ତାରିଖ ବିଧାୟକ ଦଳ ବୈଠକରେ ନବୀନ ଦଳର ସମସ୍ତ ନିର୍ବାଚିତ ବିଧାୟକମାନଙ୍କୁ ନିଜ ନିଜ ନିର୍ବାଚନମଣ୍ଡଳୀରେ ବିଜେଡି ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ସପକ୍ଷରେ କେତେ ଭୋଟ୍ ପଡ଼ିଛି ତା’ର ହିସାବ ଲିଖିତ ଆକାରରେ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ବିଜେଡି […]

naveen1

Manoranjan Sial
  • Published: Thursday, 06 June 2019
  • , Updated: 06 June 2019, 07:56 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦଳର ୮ଜଣ ସାଂସଦ ପ୍ରାର୍ଥୀଙ୍କ ପରାଜୟର କାରଣ ଜାଣିବା ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଗିଥିବା ରିପୋର୍ଟ ଦେବାରେ ଦଳୀୟ ବିଧାୟକମାନେ ଦିନ ଗଡ଼ାଇ ଚାଲିଛନ୍ତି। ମେ’ ୨୬ତାରିଖ ବିଧାୟକ ଦଳ ବୈଠକରେ ନବୀନ ଦଳର ସମସ୍ତ ନିର୍ବାଚିତ ବିଧାୟକମାନଙ୍କୁ ନିଜ ନିଜ ନିର୍ବାଚନମଣ୍ଡଳୀରେ ବିଜେଡି ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ସପକ୍ଷରେ କେତେ ଭୋଟ୍ ପଡ଼ିଛି ତା’ର ହିସାବ ଲିଖିତ ଆକାରରେ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ବିଜେଡି ଜିତିଥିବା ୧୧୦ (ନବୀନଙ୍କ ହିଞ୍ଜିଳି ଓ ବିଜେପୁରକୁ ମିଶାଇଲେ ୧୧୨) ବିଧାୟକଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୪୦ ପ୍ରତିଶତ ବି ଏହି ରିପୋର୍ଟ ଦେଇନଥିବା ଜଣାପଡ଼ିଛି।

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୨୦୧୪ ସାଧାରଣ ନିର୍ବାଚନରେ ୨୧ଟି ଲୋକସଭା ଆସନରୁ ୨୦ଟିରେ ବିଜେଡି ବିଜୟୀ ହୋଇଥିବାବେଳେ ଚଳିତଥର ୧୨ଟିରେ ଜିତିଛି। ୮ଟି ଆସନ ବିଜେପିକୁ ଓ ଗୋଟିଏ ଆସନ କଂଗ୍ରେସକୁ ମିଳିଛି। ମାତ୍ର ଏସବୁ ଲୋକସଭା ଆସନରେ ଦଳୀୟ ବିଧାୟକ ପ୍ରାର୍ଥୀମାନେ ଆଖିଦୃଶିଆ ସଫଳତା ଲାଭ କରିଛନ୍ତି। କେଉଁ କାରଣରୁ ଦଳର ସାଂସଦ ପ୍ରାର୍ଥୀଙ୍କ ସପକ୍ଷରେ କମ୍ ଭୋଟ୍ ପଡ଼ିଲା, ତା’ର କାରଣ ଲିଖିତ ଭାବେ ଦେବାକୁ ଅଧିକାଂଶ ବିଧାୟକ କୁଣ୍ଠାବୋଧ କରୁଥିବା ଜଣାପଡ଼ିଛି। ଏପରିକି ନବୀନ ନିବାସ ପକ୍ଷରୁ ବିଧାୟକମାନଙ୍କୁ ତୁରନ୍ତ ଏହି ରିପୋର୍ଟ ଦାଖଲ କରିବାକୁ କୁହାଯାଇଥିଲେ ମଧ୍ୟ ବହୁ ବିଧାୟକ ବାହାନା ଦେଖାଇ ଚାଲିଛନ୍ତି।

ପଶ୍ଚିମ ଓଡ଼ିଶାର ସମସ୍ତ ୫ଟି ଲୋକସଭା (କଳାହାଣ୍ଡି, ବଲାଙ୍ଗିର, ସମ୍ବଲପୁର, ବରଗଡ଼ ଓ ସୁନ୍ଦରଗଡ଼) ଆସନକୁ ବିଜେପି ପୋଛି ନେଇଥିଲାବେଳେ ଆଦିବାସୀବହୁଳ କୋରାପୁଟ ଲୋକସଭା ଆସନଟି କଂଗ୍ରେସ ହାତକୁ ଯାଇଛି। ପଶ୍ଚିମ ଓଡ଼ିଶାରେ ଏଭଳି ଭୋଟ୍ ବିଭାଜନ କିଭଳି ହେଲା ଓ ଦଳୀୟ ବିଧାୟକ ପ୍ରାର୍ଥୀମାନଙ୍କ ଭୂମିକା କ’ଣ ଥିଲା ସେ ସମ୍ପର୍କରେ ରାଜ୍ୟ ଗୁଇନ୍ଦା ବିଭାଗ ଏକ ଗୁପ୍ତ ରିପୋର୍ଟ ନବୀନଙ୍କୁ ଦେଇ ସାରିଛି। ଏବେ ବିଧାୟକମାନଙ୍କଠୁ ଯେଉଁ ରିପୋର୍ଟ ମଗାଯାଇଛି ତାକୁ ସେମାନଙ୍କର ସ୍ପଷ୍ଟୀକରଣ ଭାବେ ବିଜେଡି ନେତୃତ୍ୱ ବିବେଚନା କରିବାକୁ ଚାହୁଁଛନ୍ତି।

ଗୁଇନ୍ଦା ରିପୋର୍ଟ ଓ ବିଧାୟକମାନଙ୍କ ଲିଖିତ ସଫେଇକୁ ଆଧାର କରି ବିଜେଡି ସମ୍ପୃକ୍ତ ଜିଲ୍ଲାଗୁଡ଼ିକରେ ଦଳର ନେତାମାନଙ୍କୁ ଆଗକୁ ଆଣିବାକୁ ରଣନୀତି ପ୍ରସ୍ତୁତ କରିଛି। ସାଂସଦ ପ୍ରାର୍ଥୀ ପରାଜିତ ହେବାର କାରଣ ସମ୍ପର୍କରେ ଗୁଇନ୍ଦା ବିଭାଗ ନିର୍ଦ୍ଦିଷ୍ଟ ଭାବେ ତଥ୍ୟ ଉପସ୍ଥାପନ କରିସାରିଥିବାରୁ ଦଳୀୟ ବିଧାୟକମାନେ ନିଜସ୍ୱ ତ୍ରୁଟିକୁ ଲିଖିତ ଆକାରରେ ଦେବାକୁ ଚାହୁଁନାହାନ୍ତି। ଏପଟେ ନବୀନଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ଥିବା ୨୦ ମନ୍ତ୍ରୀଙ୍କ ମଧ୍ୟରୁ ମାତ୍ର ୬ଜଣ ଏପର୍ଯ୍ୟନ୍ତ ଲିଖିତ ଆକାରରେ ବିଜେଡି ନେତୃତ୍ୱଙ୍କୁ ସ୍ପଷ୍ଟୀକରଣ ଦେଇଥିବା ସୂଚନା ମିଳିଛି। ଜୁନ୍ ୧୦ତାରିଖ ସୁଦ୍ଧା ନବୀନ ମାଗିଥିବା ରିପୋର୍ଟ ଦାଖଲ କରିବାକୁ ବିଧାୟକମାନଙ୍କୁ ତାଗିଦ୍ କରାଯାଇଛି। ଜୁନ୍ ୧୫ ତାରିଖ ପୂର୍ବରୁ ବା ପରେ ବିଜେଡିରେ ସାଂଗଠନିକ ପୁର୍ନଗଠନ ସହ ବିଭିନ୍ନ ନିଗମଗୁଡ଼ିକରେ ଦଳୀୟ ବ୍ୟକ୍ତିମାନଙ୍କୁ ଥଇଥାନ କରାଯିବାକୁ ଯୋଜନା ଚାଲିଥିବାରୁ ବିଧାୟକମାନଙ୍କ ଲିଖିତ ସ୍ପଷ୍ଟୀକରଣକୁ ବିଜେଡି ମହଲରେ ଗୁରୁତ୍ୱ ଦିଆଯାଉଛି।

Related story