ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ସୃଷ୍ଟ ଭୟଙ୍କର ସାମୁଦ୍ରିକ ଝଡ଼ ‘ଅମ୍ଫାନ୍’ କ୍ରମଶଃ ଆଗକୁ ବଢ଼ୁଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ସହ ପବନ ଆରମ୍ଭ ହୋଇଗଲାଣି। ବିଶେଷକରି ଦକ୍ଷିଣ ଉପକୂଳ ଓଡ଼ିଶାରେ ଏବେ ୫୫ରୁ ୭୫ କିମି ବେଗରେ ପବନ ହେଉଛି। ଏନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ବାତ୍ୟା ଅମ୍ଫନ ସମ୍ପର୍କରେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ପ୍ରେସ୍ମିଟ୍ କରି କହିଛନ୍ତି ଯେ, କହିଲେ ୧୯୯୯ ମସିହା ପରେ ଏହା ବଙ୍ଗୋପସାଗରରେ ଦ୍ୱିତୀୟ ମହାବାତ୍ୟା।
ଏବେ ସମୁଦ୍ରରେ ବାତ୍ୟା ରହିଛି, ପବନ ବେଗ ରହିଛି ୨୪୦ କିମି। ଏବେ ୧୫ କିମି ବେଗରେ ବଢୁଛି, ଉତ୍ତର- ଉତ୍ତର ପୂର୍ବକୁ ଗତି କରୁଛି। ସୁନ୍ଦରବନରେ ସ୍ଥଳଭାଗ ଛୁଇଁବ। ପବନ ବେଗ ସର୍ବାଧିକ ୧୮୫ କିମି ରହିବ। ଦକ୍ଷିଣ ଚବିଶ ପ୍ରଗଣା, ମେଦିନପୁର ଜିଲ୍ଲାରେ ବ୍ୟାପକ କ୍ଷତି ଘଟାଇବ। କୋଲକାତା, ହୁଗୁଳି, ହାୱଡ଼ା ଜିଲ୍ଲାରେ ବି ବ୍ୟାପକ କ୍ଷତି ଘଟାଇବ। ଆସନ୍ତାକାଲି ସକାଳେ ୭୫ରୁ ୯୫ କିମି ଯାଏ ପବନ ବହିବା ସମ୍ଭାବନା ରହିଛି। ଆସନ୍ତାକାଲି ଅପରାହ୍ନରେ ସର୍ବାଧିକ ୧୮୫ କିମି ଯାଏ ପବନ ବହିପାରେ। ପଶ୍ଚିମବଙ୍ଗ, ବାଂଲାଦେଶରେ ସର୍ବାଧିକ କ୍ଷତି ଘଟାଇବ ବାତ୍ୟା।
ଧୀରେ ଧୀରେ ପବନ ବଢ଼ି କାଲି ସକାଳକୁ ଉତ୍ତର ଓଡ଼ିଶା ଉପକୂଳକୁ ଯିବ।
କାଲି ଉତ୍ତର ଓଡ଼ିଶା ଉପକୂଳରେ ସର୍ବାଧିକ ୧୨୫ କିମି ଯାଏ ପବନ ବହିବ। ସେହିପରି ଆଜି ୬ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଆସନ୍ତାକାଲି ବି ଉପକୂଳ ଅଞ୍ଚଳର ବହୁ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିବ। ୨୧ରେ ଆସାମ, ମେଘାଳୟ, ସିକିମରେ ପ୍ରବଳ ବର୍ଷା ହେବ। ଅନ୍ୟପଟେ ବାତ୍ୟା ମୁକାବିଲା ନେଇ NDRF ଡିଜି ଏସ୍.ଏନ୍ ପ୍ରଧାନ ମଧ୍ୟ ସାମ୍ବାଦିକ ସମ୍ମିଲନୀ କରିଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ମୋଟ ୪୧ଟି NDRF ଟିମ୍ ମୁତୟନ ହୋଇଛନ୍ତି। ଓଡ଼ିଶାରେ ୧୫ ଟିମ୍ ମୁତୟନ ହୋଇଥିବା ବେଳେ ୫ଟି ଟିମ୍ ରିଜର୍ଭ ରଖାଯାଇଛି। ଫୋନିରୁ ପାଇଥିବା ଅଭିଜ୍ଞତା ମୁକାବିଲା ପାଇଁ ଆମକୁ ଅଧିକ ସଶକ୍ତ କରିଛି। ଅଧିକ କଟର ସହ ବହୁ ପରିମାଣର ଯନ୍ତ୍ରାଂଶ ଧରି ଟିମ୍ ପ୍ରସ୍ତୁତ ରହିଛନ୍ତି। ୨୪ଟି ଟିମ୍ ଷ୍ଟାଣ୍ଡବାଇ ଥିବା କହିଛନ୍ତି ଡିଜି ଏସ୍.ଏନ୍ ପ୍ରଧାନ।