ଦେଢ଼ ମାସ ପରେ ମାଆକୁ ଭେଟିଲା କୁନିପୁଅ, ଲୁହରେ ଭିଜିଲା ଚାରି ଆଖି

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ମାଆ ଓ ଦୁଇବର୍ଷର କୁନିପୁଅ ମଝିରେ ପାଚେରୀ ସାଜିଛି ମହାମାରୀ ‘କରୋନା’। ତେଣୁ ଦେଢ଼ ମାସ ପରେ ମଧ୍ୟ ମାଆ କୋଳକୁ ଯାଇପାରୁନି କୁନିପୁଅ। ଦୂରରୁ ମାଆକୁ ଦେଖି କାର୍‌ ଝରକା ଡେଇଁ ବାହାରକୁ ଚେଷ୍ଟା କରୁଥିବା ବେଳେ କଇଁ କଇଁ ହୋଇ କାନ୍ଦୁଛି ପୁଅ। ଆଉ ସେ ପାଖରେ ମାଆର ଆଖି ଭିଜୁଛି। ନୟାଗଡ଼ ଜିଲ୍ଲା ଖଣ୍ଡପଡା କୋଭିଡ୍‌ କେୟାର ସେଣ୍ଟରରେ ଷ୍ଟାଫ୍‌ ନର୍ସ ଭାବେ କାର୍ଯ୍ୟରତ ଅଛନ୍ତି ଗୀତାଞ୍ଜଳି ସାମନ୍ତରାୟ। […]

nayagarh.jpg1

Manoranjan Sial
  • Published: Thursday, 04 June 2020
  • , Updated: 04 June 2020, 10:35 PM IST

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ମାଆ ଓ ଦୁଇବର୍ଷର କୁନିପୁଅ ମଝିରେ ପାଚେରୀ ସାଜିଛି ମହାମାରୀ ‘କରୋନା’। ତେଣୁ ଦେଢ଼ ମାସ ପରେ ମଧ୍ୟ ମାଆ କୋଳକୁ ଯାଇପାରୁନି କୁନିପୁଅ। ଦୂରରୁ ମାଆକୁ ଦେଖି କାର୍‌ ଝରକା ଡେଇଁ ବାହାରକୁ ଚେଷ୍ଟା କରୁଥିବା ବେଳେ କଇଁ କଇଁ ହୋଇ କାନ୍ଦୁଛି ପୁଅ। ଆଉ ସେ ପାଖରେ ମାଆର ଆଖି ଭିଜୁଛି।

ନୟାଗଡ଼ ଜିଲ୍ଲା ଖଣ୍ଡପଡା କୋଭିଡ୍‌ କେୟାର ସେଣ୍ଟରରେ ଷ୍ଟାଫ୍‌ ନର୍ସ ଭାବେ କାର୍ଯ୍ୟରତ ଅଛନ୍ତି ଗୀତାଞ୍ଜଳି ସାମନ୍ତରାୟ। ପ୍ରାୟ ଦେଢ଼ ମାସ ହେବ ସେ ଘରକୁ ଯାଇ ନାହାନ୍ତି। ଆଜି ପ୍ରଥମ ଥର ପାଇଁ ୨ ବର୍ଷର ପୁଅ ଶୁଭମ୍‌କୁ ପାଖରୁ ଦେଖିଛନ୍ତି। କୋଭିଡ୍‌ ହସ୍ପିଟାଲ୍‌ରେ କାର୍ଯ୍ୟରତ ଥିବାରୁ ପୁଅକୁ କୋଳକୁ ନେଇପାରିଥିଲେନି। ଏତେ ପାଖରୁ ଥାଇ ବି ଛୁଆର ଅଝଟ ବୁଝିପାରିଲେନି। ହେଲେ ଅବୁଝା ଶୁଭମ୍‌ ମାଆକୁ ପାଖରୁ ଦେଖି କାର୍‌ ଝରକା ଡେଇଁ ଯିବାକୁ ଚାହୁଛି। ଆଉ କୁନିକୁନି ପାଟିରେ ମା…ମା…ମା… ଡାକି କଇଁ କଇଁ ହୋଇ କାନ୍ଦୁଥିଲା। ପୁଅ କାନ୍ଦୁଥିବା ଦେଖି ବାତ୍ସଲ୍ୟମୟୀ ମାଆ ସବୁ କୋହକୁ ଛାତିରେ ଜାବୁଡ଼ି ଧରି ଦୂରେଇ ଯାଉଥିଲା। କାରଣ ସେ ଭଲଭାବେ ଜାଣିଥିଲେ ‘କରୋନା’ର ଯନ୍ତ୍ରଣା। ହେଲେ କଅଁଳ ମନରେ ଶୁଭମ୍‌ କିଛି ଜାଣିପାରୁନଥିଲା। ମାଆ କୋଳକୁ ଯିବା ପାଇଁ ବାପାଙ୍କ କାଖରୁ ଧାଇଁ ଯାଉଥିଲା। ସେପଟେ ପୁଅକୁ କୋଳେଇ ନପାରି ମୁହଁ ଲୋଚାଇ କାନ୍ଦୁଥିଲା ମାଆ ଗୀତାଞ୍ଚଳି। ଆଉ କହୁଛି, ଯା’ରେ ଧନ ମୁଁ ଘରକୁ ଶୀଘ୍ର ଫେରିବି।

ଗୀତାଞ୍ଜଳିଙ୍କ ଘର ରଣପୁର ବ୍ଲକ ଚମ୍ପାପେଡି ଗାଁରେ। ଘରେ ସ୍ୱାମୀ ନବ କିଶୋର ସାମନ୍ତରାୟ। ସେ ପେଶାରେ ଜଣେ ଅଧ୍ୟକ୍ଷ। ଲକ୍‌ଡାଉନ୍‌ ପାଇଁ କଲେଜ ବନ୍ଦ ଥିବାରୁ ପୁଅ ଶୁଭମ୍‌କୁ ସମ୍ଭାଳୁଛନ୍ତି। ସ୍ୱାମୀଙ୍କ ଛଡ଼ା ଘରେ ୧୦୭ ବର୍ଷର ଶ୍ୱଶୁର ଓ ୯୫ ବର୍ଷର ଶାଶୂ। ଦୀର୍ଘ ଦେଢ଼ ମାସ ହେବ ଗୀତାଞ୍ଜଳି ଘରଠୁ ଦୂରରେ ରହି ‘କରୋନା’ ଆକ୍ରାନ୍ତଙ୍କୁ ସେବା ଯୋଗାଇ ଆସୁଛନ୍ତି। ତେବେ ଦେଶରୁ ‘କରୋନା’ ନ ଯିବା ପର୍ଯ୍ୟନ୍ତ ପତ୍ନୀ ଘରକୁ ଆସିବେ ନାହିଁ ବୋଲି କହିଛନ୍ତି ନବ କିଶୋର।

Related story