ବ୍ରହ୍ମପୁର(ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା କୋଦଳାର ବି. ନୂଆପଲ୍ଲୀ ଗାଁରେ ସାପ କାମୁଡ଼ାରେ ମା’ପୁଅଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ମାନସା ପରିଡ଼ା (୩୨) ଓ ତାଙ୍କ ପୁଅ ଆଶିଷ ପରିଡ଼ା (୪)।
ଗତକାଲି ରାତିରେ ପ୍ରାୟ ଦୁଇଟା ବେଳେ ଘରେ ଶୋଇଥିବା ବେଳେ ସେମାନଙ୍କୁ ସାପ କାମୁଡ଼ିଥିଲା। ଏହାପରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଏମ୍କେସିଜି ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ରାସ୍ତାରେ ଆଶିଷଙ୍କ ମୃତ୍ୟୁ ଘଟିଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମାଆଙ୍କ ମୃତ୍ୟୁ ଘଟିଥିଲା।
ସେହିପରି ଗତକାଲି ରାତିରେ ସାପ କାମୁଡ଼ାରେ ଆଉ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ କୃଷ୍ଣ ଚନ୍ଦ୍ର ସାହୁ (୩୪)। ତାଙ୍କ ଘର କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଏ. ବରିଡ଼ା ଗାଁରେ। ଘରେ ଶୋଇଥିବା ବେଳେ ତାଙ୍କୁ ସାପ କାମୁଡ଼ିଥିଲା। ତାଙ୍କୁ ପ୍ରଥମେ କବିସୂର୍ଯ୍ୟନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳେ ତାଙ୍କୁ ଏମକେସିଜିରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା।