ନବବଧୂ ହତ୍ୟା ଅଭିଯୋଗରେ ବନ୍ଧା ହେଲେ ଶାଶୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଉପକଣ୍ଠ କଳିଙ୍ଗବିହାରରୁ ଦୀପାବଳି ଦିନ ଜଣେ ନବବଧୂଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆଜି ତାଙ୍କ ଶାଶୁଙ୍କୁ ବାନ୍ଧିଛି ପୁଲିସ୍‌ । କିନ୍ତୁ ଏ ଯାଏ ସ୍ୱାମୀ ଓ ଶ୍ୱଶୁରଙ୍କ ପତ୍ତା ମିଳୁନି। ମୃତ ନବବଧୂଜଣକ ହେଲେ ୨୮ ବର୍ଷିୟା ସୁଶ୍ରୀ ସଙ୍ଗୀତା ବସ୍ତିଆ ।

୨୦୨୧, ଜାନୁୟାରୀ ୨୦ରେ କଟକ ଗୋବିନ୍ଦପୁର ଥାନା ନୂଆଗାଁର ପ୍ରବୀଣ ଚନ୍ଦ୍ର ନାୟକଙ୍କୁ ବିବାହ କରିଥିଲେ ନିଆଳି ଅଞ୍ଚଳର ସଙ୍ଗୀତା । ତେବେ ଦୀପାବଳି ଦିନ କୌଣସି କାରଣକୁ ନେଇ ପାରିବାରିକ ବିବାଦ ଉପୁଜିଥିଲା । ଏହାପରେ ସୁଶ୍ରୀ ସଙ୍ଗୀତାଙ୍କ ପରିବାରକୁ ପ୍ରବୀଣଙ୍କ ଘରୁ ଏକ ଫୋନ୍‌ ଆସିଥିଲା। ତମ ଭଉଣୀ ଦେହ ଭଲ ନାହିଁ, ଘର କବାଟ ବନ୍ଦ କରିଥିଲା , ସେନ୍ସ ଆସୁନି ତମେ ଆସ ବୋଲି ଶାଶୁ ଘର ଲୋକେ କହିଥିଲେ ।

ବାପ ଘର ଲୋକେ ନିଆଳିରୁ ଆସି ପହଞ୍ଚିବା ପରେ ଝିଅର ମୃତ୍ୟୁ ହୋଇସାରିଥିବା ବେଳେ ମୃତଦେହ ଏମ୍ସରେ ଥିବା ଶାଶୁ ଘର ଲୋକେ କହିଥିଲେ। ଝିଅକୁ ମାରିଦେଇ ଶାଶୁ ଘର ଲୋକେ ସବୁ ପ୍ରମାଣ ନଷ୍ଟ କରିଛନ୍ତି ବୋଲି ସଙ୍ଗୀତାଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରଠୁ ସୁଶ୍ରୀ ସଙ୍ଗୀତାଙ୍କ ଶାଶୁ ମୃତଦେହ ପାଖରେ ଥିବା ବେଳେ ତାଙ୍କ ସ୍ୱାମୀ ଓ ଶ୍ୱଶୁର ଫେରାର ହୋଇ ଯାଇଥିଲେ।

ଏନେଇ ତମାଣ୍ଡୋ ଥାନାରେ ସୁଶ୍ରୀ ସଙ୍ଗୀତାଙ୍କ ବାପଘର ଲୋକେ ଅଭିଯୋଗ କରିଥିବା ବେଳେ ପୁଲିସ ଏକ ମାମଲା ରୁଜୁ କରି ଶାଶୁ ସାବିତ୍ରୀ ନାୟକଙ୍କୁ ଗିରଫ କରିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।