ବର୍ଷକର ରିପୋର୍ଟ କାର୍ଡ ରଖିଲେ ସାଂସଦ ଅପରାଜିତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଶାସିକାରୁ ରାଜନେତା ପାଲଟିଥିବା ଭୁବନେଶ୍ୱରର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ନିଜର ବାର୍ଷିକ ରିପୋର୍ଟ କାର୍ଡ ଉପସ୍ଥାପନ କରିଛନ୍ତି। ଗତ ବର୍ଷକ ମଧ୍ୟରେ ସାଂସଦ ଭାବେ ସେ କ’ଣ କରିଛନ୍ତି ତା’ର ହିସାବ ଦେବା ସହ ଆଗାମୀ ଦିନର କାର୍ଯ୍ୟଖସଡ଼ା ପ୍ରସ୍ତୁତ ପାଇଁ ଲୋକଙ୍କ ମତାମତ ଲୋଡ଼ିଛନ୍ତି। ଶ୍ରୀମତୀ ଷଡ଼ଙ୍ଗୀ ଆଜି ଗଣମାଧ୍ୟମକୁ ନିଜର ଏହି ରିପୋର୍ଟ କାର୍ଡ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଯେଉଁମାନେ ତାଙ୍କୁ ଭୋଟ୍ ଦେଇ ନିର୍ବାଚିତ […]

aparajita

Manoranjan Sial
  • Published: Thursday, 02 July 2020
  • , Updated: 02 July 2020, 09:38 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଶାସିକାରୁ ରାଜନେତା ପାଲଟିଥିବା ଭୁବନେଶ୍ୱରର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ନିଜର ବାର୍ଷିକ ରିପୋର୍ଟ କାର୍ଡ ଉପସ୍ଥାପନ କରିଛନ୍ତି। ଗତ ବର୍ଷକ ମଧ୍ୟରେ ସାଂସଦ ଭାବେ ସେ କ’ଣ କରିଛନ୍ତି ତା’ର ହିସାବ ଦେବା ସହ ଆଗାମୀ ଦିନର କାର୍ଯ୍ୟଖସଡ଼ା ପ୍ରସ୍ତୁତ ପାଇଁ ଲୋକଙ୍କ ମତାମତ ଲୋଡ଼ିଛନ୍ତି।

ଶ୍ରୀମତୀ ଷଡ଼ଙ୍ଗୀ ଆଜି ଗଣମାଧ୍ୟମକୁ ନିଜର ଏହି ରିପୋର୍ଟ କାର୍ଡ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଯେଉଁମାନେ ତାଙ୍କୁ ଭୋଟ୍ ଦେଇ ନିର୍ବାଚିତ କରିଥିଲେ ସେମାନଙ୍କ ଓ ସେମାନଙ୍କ ଅଂଚଳ ପାଇଁ ସେ ସାଂସଦ ଭାବେ କ’ଣ କାର୍ଯ୍ୟ କରିଛନ୍ତି ତାହା ଜଣାଇବା ତାଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ମଧ୍ୟ। ତାକୁ ସେ ପାଳନ କରିଛନ୍ତି। ନିଜର ଏହି ବାର୍ଷିକ ରିପୋର୍ଟକୁ ସେ ଲୋକଙ୍କ ନିକଟରେ ଆଗାମୀ ୭ଦିନ ମଧ୍ୟରେ ପହଂଚାଇବେ। ଏହାଉପରେ ଲୋକଙ୍କ ମତାମତ ଲୋଡ଼ି କେଉଁ ସମସ୍ୟା ଉପରେ ଆଗାମୀ ଦିନରେ ଅଧିକ ଫୋକସ୍ ଦେବାକୁ ପଡ଼ିବ ତାହା ସେ ଜାଣିବେ। ଶ୍ରୀମତୀ ଷଡ଼ଙ୍ଗୀ ଆଜି ନିଜର ୫୫ପୃଷ୍ଠାର ଏହି ବାର୍ଷିକ ରିପୋର୍ଟ କାର୍ଡରେ ଗତ ବର୍ଷକ ମଧ୍ୟରେ ସେ ଯାହା କାମ କରିଛନ୍ତି ତା’ର ହିସାବ ଦେଇଛନ୍ତି। ନିଜ ନିର୍ବାଚନମଣ୍ଡଳୀର କେଉଁ ୱାର୍ଡ, ଗାଁ, ପଂଚାୟତ ଆଦି ବୁଲିଛନ୍ତି ତା’ର ହିସାବ ଦେବା ସହ ଜନ ଅଭିଯୋଗ ଶୁଣାଣିକୁ ସେ ସବୁଠୁ ବେଶୀ ଗୁରୁତ୍ୱ ଦେଇଛନ୍ତି। ପ୍ରାୟ ୮୫% ଅଭିଯୋଗର ସେ ସମାଧାନ କରିଥିବା କଥା କହିଛନ୍ତି। ଆଗାମୀ ଦିନରେ ସେ ଏହି ଜନ ଅଭିଯୋଗ ଶୁଣାଣି ବ୍ୟବସ୍ଥାକୁ ଅଧିକ ସରଳ ଓ ସୁବ୍ୟବସ୍ଥିତ କରିବେ। ଏଥିପାଇଁ ନିଜର ସହକର୍ମୀମାନଙ୍କ ସହ ବିଭିନ୍ନ ଅଂଚଳକୁ ଯାଇ ସେଠାରେ ଲୋକଙ୍କ ଅଭିଯୋଗ ଶୁଣିବେ ବୋଲି କହିଛନ୍ତି।

ନିଜର ଏହି ବର୍ଷକର କାର୍ଯ୍ୟ ମଧ୍ୟରେ ସେ କେନ୍ଦ୍ର ସରକାରଙ୍କ ୧୧ଜଣ ମନ୍ତ୍ରୀଙ୍କୁ ଭେଟି ଓଡ଼ିଶା ଓ ଭୁବନେଶ୍ୱର ନିର୍ବାଚନମଣ୍ଡଳୀର ବିକାଶ ସମ୍ପର୍କରେ ସହଯୋଗ ଲୋଡ଼ିଛନ୍ତି। ସେଥିରୁ ୩ଟି ପ୍ରକଳ୍ପକୁ ଅନୁମୋଦନ ମିଳିସାରିଥିବାବେଳେ ବାକିଗୁଡ଼ିକ ଏବେ ପାଇପଲାଇନରେ ରହିଛି। ସୁରତ-ଭୁବନେଶ୍ୱର ବିମାନ ଚଳାଚଳ ସେବା, ୧୦୦୦ ସୋଲାର ଲାଇଟ୍ ସ୍ଥାପନ ଓ ହଂସପାଳଠାରେ ୨୪କୋଟି ଟଙ୍କାରେ ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟ ତାଙ୍କ ପ୍ରଚେଷ୍ଟାରେ ହୋଇଥିବା ସେ କହିଛନ୍ତି।

ସେହିପରି ସଂସଦରେ ନିଜର ୯୬% ଉପସ୍ଥାନ ରଖିଥିବାବେଳେ ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ଭାଗ ନେଇଥିଲେ । ବାର୍ଷିକ ବଜେଟ୍ ଉପରେ ଆଲୋଚନା ଓ ଟ୍ରିପଲ ତଲାକ ଉପରେ ନିଜ ଦଳର ଆଭିମୁଖ୍ୟ ସେ ଗୃହରେ ରଖିବାର ସୁଯୋଗ ପାଇଥିଲେ । ସେହିପରି ନିଜର ୪ଟି ଅଣରାଜନୀତିକ ସଂସ୍ଥାକୁ ପଞ୍ଜିକୃତ କରି ଯୁବବର୍ଗ, ମହିଳା, ବୁଦ୍ଧିଜୀବୀ ଓ ଗରିବ ଲୋକଙ୍କ କଲ୍ୟାଣ ପାଇଁ ସେ ପ୍ରୟାସ କରୁଥିବା କହିଛନ୍ତି । ଯୁବବର୍ଗଙ୍କୁ ସମାଜର ଭଲ କାର୍ଯ୍ୟ ସହ ଯୋଡ଼ିବା ନିମନ୍ତେ ପ୍ରୋତ୍ସାହିତ କରିବାକୁ ୟୁଥ୍ ଫର ଆକ୍ସନ୍ , ମହିଳାଙ୍କୁ ସ୍ୱାବଲମ୍ବୀ ଓ ସେମାନଙ୍କର ବିକାଶ ନିମନ୍ତେ ‘ଅଜିତା’ ଏବଂ ସକରାତ୍ମକ ଲୋକଙ୍କୁ ନେଇ ‘ପଜେଟିଭ୍ ବାଇଟସ୍‌’ ନାମରେ ଅନୁଷ୍ଠାନକୁ ସେ ପଞ୍ଜିକୃତ କରିଛନ୍ତି ।

ସେହିପରି ‘ଭରସା’ ନାଁରେ ଏକ ଟ୍ରଷ୍ଟ୍ ମଧ୍ୟ କରିଛନ୍ତି ଯାହାକି ସ୍ୱାସ୍ଥ୍ୟ ଓ ଶିକ୍ଷା ଦିଗରେ ଗରିବ ଲୋକମାନଙ୍କୁ ସହାୟତା କରୁଛି । ଏହି ଟ୍ରଷ୍ଟକୁ ଇତିମଧ୍ୟରେ ୨୬ଲକ୍ଷ ଟଙ୍କା ସହାୟତା ମିଳିଥିବାବେଳେ ସେଥିରୁ ୧୯ଲକ୍ଷ ଟଙ୍କା ଖର୍ଚ୍ଚ ସରିଛି । ଏହି ଟ୍ରଷ୍ଟ ମାଧ୍ୟମରେ ଗରିବ ଲୋକଙ୍କ ସହାୟତା କରିବାକୁ ସେ ନିଜର କର୍ମୀମାନଙ୍କୁ ପରାମର୍ଶ ଦେଇଛନ୍ତି ।

ଏହାସହିତ ଶ୍ରୀମତୀ ଷଡ଼ଙ୍ଗୀ ନିଜର ପ୍ରେରଣାର ଉତ୍ସ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇବା ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।ଏହି ଅବସରରେ ଶ୍ରୀମତୀ ଷଡ଼ଙ୍ଗୀ ଦାରିଦ୍ର‌୍ୟ ବେକାରୀ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବାକୁ ମଧ୍ୟ ପଛାଇ ନଥିଲେ ।

Related story