ବାଲେଶ୍ୱର( ଓଡ଼ିଶା ରିପୋର୍ଟର): ନିମୋନିଆରେ ପୀଡ଼ିତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ହେଲେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱରସ୍ଥିତ ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ଆଜି ସକାଳେ ସାଂସଦ ଷଡଙ୍ଗୀ ଭୁବନେଶ୍ୱର ଅଭିମୁଖେ ବାହାରିଥିବା ବେଳେ ତାଙ୍କ ସହ ଏକ ଡାକ୍ତରୀ ଟିମ୍ ବି ଯାଇଛନ୍ତି।
ପ୍ରାୟ ସପ୍ତାହେ ହେବ ଥଣ୍ଡାରେ ପୀଡ଼ିତ ସାଂସଦ ଅସୁସ୍ଥତା ଅନୁଭବ କରୁଥିବାରୁ ବାଲେଶ୍ୱର ଜିଲ୍ଲା ମେଡିକାଲରେ ତାଙ୍କର ବିଭିନ୍ନ ଟେଷ୍ଟ କରାଯିବା ସହ ଚିକିତ୍ସା କରାଯାଉଥିଲା। ମାତ୍ର ଗତ ରବିବାର ଅତ୍ୟଧିକ ଜ୍ୱର ହେବାରୁ ସାଂସଦ ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ଯାଇଥିବା ବେଳେ ସେଠାରେ ପରୀକ୍ଷା ପରେ ତାଙ୍କର ନିମୋନିଆ ହୋଇଥିବା ଜଣାପଡ଼ିଥିଲା। ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା।
ଗତକାଲି ସାଂସଦଙ୍କ ଅବସ୍ଥାରେ ସୁଧାର ଆସିବାରୁ ତାଙ୍କ ସାଧାରଣ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଅଧିକ ଚିକିତ୍ସା ନିମନ୍ତେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ହସ୍ପିଟାଲ ପକ୍ଷରୁ ତାଙ୍କୁ ଭୁବନେଶ୍ୱରସ୍ଥିତ ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ଆଜି ସକାଳେ ଏକ ୪ ଜଣିଆ ଡାକ୍ତରୀ ଟିମ୍ ସହ ବାଲେଶ୍ୱରରୁ ଏକ ଆମ୍ବୁଲାନ୍ସ ଯୋଗେ ସାଂସଦ ଭୁବନେଶ୍ୱର ଅଭିମୁଖେ ଯାଇଛନ୍ତି। ତେବେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସୁସ୍ଥ ଅନୁଭବ କରୁଥିବା କହିଛନ୍ତି ସାଂସଦ। ଏଥିସହ ଖୁବ୍ ଶୀଘ୍ର ଫେରି ଆସିବେ ବୋଲି ବି କହିଛନ୍ତି।
ଆମ ଦଳର ବରିଷ୍ଠ ନେତା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ବର ସାଂସଦ ଶ୍ରୀ @pcsarangi ଅସୁସ୍ଥତା କାରଣରୁ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଖବର ଜାଣିବାକୁ ପାଇଲି। ତାଙ୍କର ଆଶୁ ଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି 🙏🙏
— Baijayant Jay Panda (@PandaJay) January 3, 2023
ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ତାଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।
https://youtu.be/sKvL6ylOFE8
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।