କଟକ(ଓଡ଼ିଶା ରିପୋର୍ଟର): ଓଡ଼ିଶାର ରାଜସ୍ୱ ବୃଦ୍ଧି ଓ ଅର୍ଥନୀତିକୁ ମଜବୁତ କରିବା ସହ ଯୁବ ପିଢ଼ିଙ୍କୁ ରୋଜଗାରକ୍ଷମ କରିବାରେ ପ୍ରମୁଖ ଭୂମିକା ନେବ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ (ଏମ୍ଏସ୍ଏମ୍ଇ)। ଆଜି କଟକରେ ଆୟୋଜିତ ଏମ୍ଏସ୍ଏମ୍ଇ ସହଯୋଗ ଓ ସମ୍ପର୍କ ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି।
ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ୧୦୦ଟି ସ୍ଥାନରେ ଏମ୍ଏସ୍ଏମ୍ଇ କ୍ଷେତ୍ରର ବିଭିନ୍ନ କ୍ଷେତ୍ରକୁ ନେଇ ଆୟୋଜିତ ସମାବେଶ ଗୁଡିକୁ ଅନ୍ଲାଇନ୍ରେ ଉଦ୍ବୋଧନ ଦେଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟକରେ, କେନ୍ଦ୍ର ଇସ୍ପାତ ମନ୍ତ୍ରୀ ବୀରେନ୍ଦ୍ର ସିଂହ ପୁରୀରେ ଓ କେନ୍ଦ୍ର ସଡ଼କ ପରିବହନ ରାଷ୍ଟ୍ର ମନ୍ତ୍ରୀ ମନସୁଖଭାଇ ମଣ୍ଡାଭିଆ ପାରାଦୀପରେ ଆୟୋଜିତ ସଭାରେ ଯୋଗଦେଇଥିଲେ।
କଟକରେ ଆୟୋଜିତ ସମାରୋହରେ ଶ୍ରୀ ପ୍ରଧାନ କହିଛନ୍ତି-“ଦେଶର ଏମ୍ଏସ୍ଏମ୍ଇ ଶିଳ୍ପ କ୍ଷେତ୍ରରେ କଟକର ସ୍ଥାନ ସ୍ୱତନ୍ତ୍ର। ତାରକସି କାମ ହେଉ ଅଥବା ଆଧୁନିକ ସମୟରେ କଟକ, ଜଗତପୁର ଓ ଚୌଦ୍ୱାର ଶିଳ୍ପାଞ୍ଚଳର ଆବଶ୍ୟକତାକୁ ପୂରଣ କରିଛି। ଉତ୍କଳ ଗୌରବ ମଧୁସୂଦନ ଦାସ ନୂଆ ଓଡ଼ିଶା ଗଠନ କଥା ଚିନ୍ତା କରି କଟକରେ ‘ଉତ୍କଳ ଟ୍ୟାନେରୀ’ ନାଁରେ ଚମଡ଼ା ଶିଳ୍ପ ଆରମ୍ଭ କରିଥିଲେ। ଶିଙ୍ଗ କାମ ମଧ୍ୟ କଟକର ଅନ୍ୟତମ ପରିଚୟ। ଓଡ଼ିଶାକୁ ବିକାଶର ରାସ୍ତାକୁ ନେବାକୁ ହେଲେ ସବୁ ଜିଲ୍ଲାରେ ଥିବା ନିଜର ବିଶେଷତ୍ୱକୁ ଆଧାର କରି ନୂଆ ଅଣୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ପରିକଳ୍ପନା ଜରୁରୀ।”
ଶ୍ରୀ ପ୍ରଧାନ କହିଛନ୍ତି-“କଟକଠାରେ ତାରକସିକୁ ବିଶେଷ ଉପାଦାନ ଭାବରେ ନେଇ ଏହି ସଭା ଚାଲିଥିବା ବେଳେ ପାରାଦୀପଠାରେ ସାମୁଦ୍ରିକ ଉତ୍ପାଦ, ପୁରୀଠାରେ ହ୍ୟାଣ୍ଡଲୁମ ଓ ହ୍ୟାଣ୍ଡିକ୍ରାଫ୍ଟ ଏବଂ ବରଗଡ଼ଠାରେ ହ୍ୟାଣ୍ଡଲୁମକୁ ନେଇ ସଭାମାନ ଆୟୋଜିତ ହେଉଛି। କେବଳ ଚାରୋଟି ଜିଲ୍ଲା ନୁହେଁ, ବରଂ ରାଜ୍ୟର ୩୦ଟି ଜିଲ୍ଲାରେ କ୍ଲଷ୍ଟର ଆଧାରିତ ନୂଆ ଏମ୍ଏସ୍ଏମ୍ଇ ଶିଳ୍ପର ପରିକଳ୍ପନା ଓ ପରିଚାଳନା କରା ଯିବାର ଆବଶ୍ୟକତା ରହିଛି।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।