ମୁକ୍ତେଶ୍ୱର ନୃତ୍ୟ ଉତ୍ସବ: ବହୁ ଆଡ଼ମ୍ବରେ ଲଘୁକ୍ରିୟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ସାଂସ୍କୃତିକ ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ତଥା ଓଡ଼ିଶୀ ନୃତ୍ୟର ପ୍ରଚାର ପ୍ରସାର ପାଇଁ ପ୍ରତିବର୍ଷ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜନ ହେଉଥିବା ‘ମୁକ୍ତେଶ୍ୱର ନୃତ୍ୟ ଉତ୍ସବ’ ବହୁ ଆଡ଼ମ୍ବରେ ଲଘୁକ୍ରିୟା ଭଳି ହୋଇଛି। ଏପରିକି ନୃତ୍ୟ ସମାରୋହକୁ ଉଦଘାଟନ ପାଇଁ ବିଭାଗୀୟ ମନ୍ତ୍ରୀଙ୍କ ଦେଖା ମିଳିନଥିବାବେଳେ ସ୍ଥାନୀୟ ଲୋକପ୍ରତିନିଧିମାନଙ୍କୁ ମଧ୍ୟ ଏହି ସମାରୋହକୁ ଆମନ୍ତ୍ରଣ କରାଯାଇନଥିବା ଜଣାପଡ଼ିଛି। ଯାହାକି ୨୦୦୪ ମସିହାରୁ ପ୍ରତିବର୍ଷ ଜାନୁୟାରୀ ୧୪ରୁ ୩ଦିନ ଧରି ବହୁ […]

mukteswar.jpg1

Manoranjan Sial
  • Published: Tuesday, 14 January 2020
  • , Updated: 14 January 2020, 09:29 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ସାଂସ୍କୃତିକ ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ତଥା ଓଡ଼ିଶୀ ନୃତ୍ୟର ପ୍ରଚାର ପ୍ରସାର ପାଇଁ ପ୍ରତିବର୍ଷ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜନ ହେଉଥିବା ‘ମୁକ୍ତେଶ୍ୱର ନୃତ୍ୟ ଉତ୍ସବ’ ବହୁ ଆଡ଼ମ୍ବରେ ଲଘୁକ୍ରିୟା ଭଳି ହୋଇଛି। ଏପରିକି ନୃତ୍ୟ ସମାରୋହକୁ ଉଦଘାଟନ ପାଇଁ ବିଭାଗୀୟ ମନ୍ତ୍ରୀଙ୍କ ଦେଖା ମିଳିନଥିବାବେଳେ ସ୍ଥାନୀୟ ଲୋକପ୍ରତିନିଧିମାନଙ୍କୁ ମଧ୍ୟ ଏହି ସମାରୋହକୁ ଆମନ୍ତ୍ରଣ କରାଯାଇନଥିବା ଜଣାପଡ଼ିଛି। ଯାହାକି ୨୦୦୪ ମସିହାରୁ ପ୍ରତିବର୍ଷ ଜାନୁୟାରୀ ୧୪ରୁ ୩ଦିନ ଧରି ବହୁ ଆଡ଼ମ୍ବରରେ ପାଳିତ ହୋଇ ଆସୁଥିବା ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ପ୍ରତି ରାଜ୍ୟ ସରକାରଙ୍କ ଆନ୍ତରିକତାକୁ ଉପରେ ପ୍ରଶ୍ନ ଉଠାଇଛି। ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଓ ସଚିବଙ୍କ ମନମୁଖୀ କାର୍ଯ୍ୟ ତଥା ଓଡ଼ିଶୀ ନୃତ୍ୟର ପ୍ରଚାର ନିମନ୍ତେ ସରକାରୀ ପ୍ରୟାସର ନଗ୍ନ ଚିତ୍ରକୁ ପଦାରେ ପକାଇଛି।

ମିଳିଥିବା ସୂଚନା ଅନୁସାରେ, ୧୯୮୪ ମସିହାରୁ ରାଜଧାନୀ ଭୁବନେଶ୍ୱରସ୍ଥିତ ମୁକ୍ତେଶ୍ୱର ମନ୍ଦିର ପରିସରରେ ‘ମୁକ୍ତେଶ୍ୱର ନୃତ୍ୟ ଉତ୍ସବ’ ଅନୁଷ୍ଠିତ ହେଉଛି। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏହି ନୃତ୍ୟ ସମାରୋହ ୨୦୦୪ ମସିହାରୁ ପ୍ରତିବର୍ଷ ପାଳିତ ହେଉଛି। ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ନୃତ୍ୟ ସମାରୋହ ପାଇଁ ସ୍ୱତନ୍ତ୍ର ଆର୍ଥିକ ବ୍ୟବସ୍ଥା ସହ ପୂର୍ବ ପ୍ରସ୍ତୁତି ମଧ୍ୟ ହୋଇଥାଏ । ଓଡ଼ିଶୀ ନୃତ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ନିମନ୍ତେ ୩ଦିନ ଧରି ଏଠାରେ ପ୍ରତିଷ୍ଠିତ ଓଡ଼ିଶୀ କଳାକାରମାନେ ନିଜର କଳାନୈପୁଣ୍ୟ ପ୍ରଦର୍ଶନ କରିଥାନ୍ତି।

କିନ୍ତୁ ପରିତାପର ବିଷୟ ଚଳିତବର୍ଷ ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ପାଇଁ ସରକାରୀସ୍ତରରେ ପରିଚାଳନାଗତ ତ୍ରୁଟି ସ୍ପଷ୍ଟ ପ୍ରତିଫଳିତ ହୋଇଛି। ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓ ବିଭାଗୀୟ ସଚିବ ବିଶାଳ ଦେବ ଭୁବନେଶ୍ୱରରେ ଥିବା ସତ୍ତ୍ୱେ ସେମାନଙ୍କୁ ଉଦଘାଟନବେଳେ ଦେଖିବାକୁ ମିଳିନଥିଲା। ରାଜ୍ୟ ପର୍ଯ୍ୟଟନ ସଚିବ ଆର.ସଚିନ ଯାଦବଙ୍କ ଉପସ୍ଥିତିରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଏହି ସମାରୋହକୁ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଦୂରଦର୍ଶନ ପକ୍ଷରୁ ସିଧାସଳଖ ପ୍ରସାରଣ କରାଯାଉଥିଲେ ମଧ୍ୟ ଓଡ଼ିଶା ସରକାରଙ୍କ ମନ୍ତ୍ରୀ ଓ ପଦାଧିକାରୀଙ୍କ ଏଭଳି ମନମୁଖୀ କାର୍ଯ୍ୟ ରାଜ୍ୟର ସଂସ୍କୃତିପ୍ରେମୀମାନଙ୍କୁ ନିରାଶ କରିଛି।

ସେହିପରି ଏହି ନୃତ୍ୟ ଉତ୍ସବକୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ନିମନ୍ତ୍ରଣ କରାଯାଇନଥିବାରୁ ତାଙ୍କର ସମର୍ଥକମାନେ ଉତ୍ସବ ସ୍ଥଳରେ ହୋ-ହାଲ୍ଲା କରିଥିଲେ। ତେବେ ବିବାଦ ବଢ଼ିବାରୁ ପର୍ଯ୍ୟଟନ ମନ୍ତ୍ରୀ ଓ ସଚିବ ପ୍ରାୟ କାର୍ଯ୍ୟକ୍ରମ ସରିବାବେଳକୁ ପୁଲିସ ସୁରକ୍ଷାରେ ଆସି ପହଞ୍ଚିଥିଲେ । ଉତ୍ସବ ସନ୍ଧ୍ୟା ୬ଟାରୁ ସାଢ଼େ ୮ଟା ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ଥିବାବେଳେ ଉଭୟ ପର୍ଯ୍ୟଟନ ମନ୍ତ୍ରୀ ଓ ସଚିବ ଏହି ଅବଧି ସରିବାପରେ ପହଞ୍ଚିଥିଲେ। ଏସବୁ ବ୍ୟତୀତ,ସରକାରୀସ୍ତରରେ ଆନ୍ତରିକତା ନଥିବାରୁ ଏହି କାର୍ଯ୍ୟକ୍ରମରେ ଦର୍ଶକଙ୍କ ସଂଖ୍ୟା ମଧ୍ୟ ବେଶ ନଗଣ୍ୟ ରହିଥିଲା।

ସୂଚନାଯୋଗ୍ୟ, ଗତ ଅକ୍ଟୋବର ମାସରେ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ମୁକ୍ତେଶ୍ୱର ନୃତ୍ୟ ଉତ୍ସବ, ରାଜରାଣୀ ସମାରୋହ ଓ ଧଉଳି ସମାରୋହର ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା ହୋଇଥିଲା। ଓଡ଼ିଶୀ ନୃତ୍ୟର ପ୍ରଚାର ପ୍ରସାର ନିମନ୍ତେ ପ୍ରତିବର୍ଷ ଆୟୋଜିତ ହେଉଥିବା ଏଭଳି କାର୍ଯ୍ୟକ୍ରମ ପ୍ରତି ଦେଶବିଦେଶର ଲୋକମାନେ ଆକୃଷ୍ଟ ହେଉଥିଲେ ମଧ୍ୟ ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କ ଅନୁପସ୍ଥିତି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Related story