‘ମୋ ମା’ ଗୋଟେ ଖୋଲାବହି, ତାଙ୍କୁ କଠିନ ପରିଶ୍ରମର ଫଳ ମିଳିବାକୁ ଯାଉଛି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): `ମୋ ମା’ ଗୋଟେ ଖୋଲାବହି। ସେ ସମସ୍ତଙ୍କ ସହ ମିଶିଯାଆନ୍ତି। ମୋ ମା’ଙ୍କୁ ତାଙ୍କ କଠିନ ପରିଶ୍ରମର ଫଳ ମିଳିବାକୁ ଯାଉଛି। ସେଥିପାଇଁ ଆମେ ବହୁତ ଖୁସି ଅଛୁ।’ ଏନ୍‌ଡିଏ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ଦ୍ରୌପଦୀ ମୁର୍ମୁଙ୍କ ଝିଅ ଇତିଶ୍ରୀ ମୁର୍ମୁ କହିଛନ୍ତି ଏହି କଥା। ସେ କହିଛନ୍ତି, ମୋ ମା’ ଭାରି ପରିଶ୍ରମୀ। ପୂର୍ବରୁ ତାଙ୍କୁ ଯେଉଁ ସବୁ ପଦବୀ ମିଳିଛି ସେ ସଚ୍ଚୋଟତାର ସହ କାମ କରିଛନ୍ତି। ମୋ […]

itishree murmu

Tapaswini Nayak
  • Published: Thursday, 23 June 2022
  • , Updated: 23 June 2022, 12:32 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): `ମୋ ମା’ ଗୋଟେ ଖୋଲାବହି। ସେ ସମସ୍ତଙ୍କ ସହ ମିଶିଯାଆନ୍ତି। ମୋ ମା’ଙ୍କୁ ତାଙ୍କ କଠିନ ପରିଶ୍ରମର ଫଳ ମିଳିବାକୁ ଯାଉଛି। ସେଥିପାଇଁ ଆମେ ବହୁତ ଖୁସି ଅଛୁ।' ଏନ୍‌ଡିଏ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ଦ୍ରୌପଦୀ ମୁର୍ମୁଙ୍କ ଝିଅ ଇତିଶ୍ରୀ ମୁର୍ମୁ କହିଛନ୍ତି ଏହି କଥା।

ସେ କହିଛନ୍ତି, ମୋ ମା’ ଭାରି ପରିଶ୍ରମୀ। ପୂର୍ବରୁ ତାଙ୍କୁ ଯେଉଁ ସବୁ ପଦବୀ ମିଳିଛି ସେ ସଚ୍ଚୋଟତାର ସହ କାମ କରିଛନ୍ତି। ମୋ ମା’ ପ୍ରଥମେ ୱାର୍ଡ ମେମ୍ବର ହୋଇଥିଲେ। ପରେ ସେ ଭାଇସଚେୟାରମ୍ୟାନ୍‌, ବିଧାୟକ ଓ ମନ୍ତ୍ରୀ ହୋଇଥିଲେ। ମୋ ମା’ରାଜ୍ୟପାଳ ମଧ୍ୟ ହୋଇଛନ୍ତି।  ମା’ ବିଧାୟକ ଥିବା ବେଳେ ଭଲ କାମ କରିଥିବାରୁ ତାଙ୍କୁ ନୀଳକଣ୍ଠ ପୁରସ୍କାର ମିଳିଥିଲା। ମନ୍ତ୍ରୀ ଥିବା ବେଳେ ମଧ୍ୟ ସେ ଭଲ କାମ କରିଛନ୍ତି। ମୋ ମା’ଙ୍କୁ ଯେଉଁ ଦାୟିତ୍ୱ ଦିଆଯାଇଛି, ସେ ତାକୁ  ସଚ୍ଚୋଟତାର ସହ କରିଛନ୍ତି। ଯଦି ତାଙ୍କୁ ରାଷ୍ଟ୍ରପତି କରାଯାଏ, ସେ ସଚ୍ଚୋଟତାର ସହ କାମ କରିବେ।  ରାଷ୍ଟ୍ରପତି ହେବାର ଗରିମା ରଖିବେ।

ଇତିଶ୍ରୀ କହିଛନ୍ତି, ଯେତେବେଳେ ମା’ଙ୍କ ଗାଁକୁ ରାସ୍ତା ନ ଥିଲା, ଘରର ଆର୍ଥିକ ସ୍ଥିତି ଠିକ୍ ନଥିଲା, ସେତେବେଳେ ସେ ନିଜ ଜିଦ୍‌ରେ ଭୁବନେଶ୍ୱର ଆସି ପାଠ ପଢ଼ିଥିଲେ। ସେହି ସମୟରେ ପିଲାମାନେ ପାଠପଢ଼ିପାରୁ ନଥିଲେ। ମୋ ମା’ଙ୍କୁ ଦେଖି ଗାଁରେ ପାଠ ପଢ଼ୁଥିବା ପିଲାମାନେ ଜୀବନରେ ଆଗକୁ ବଢ଼ିବାକୁ ପ୍ରେରଣା ପାଇବେ। ଗାଁରୁ ଆସି ସେମାନେ ଜୀବନରେ କିଛି କରିବାକୁ ଚେଷ୍ଟା କରିବେ।

ସେ ଆହୁରି କହିଛନ୍ତି, ମୋ ମା’ଙ୍କ ମନରେ ଗର୍ବ ନାହିଁ।  ଯଦି ମା’ଙ୍କ ମନରେ ଗର୍ବ ଥାଆନ୍ତା, ମା’ ରାଷ୍ଟ୍ରପ୍ରାର୍ଥୀ ହେବା ଖବର ମିଳିବା ପରେ ଏତେ ଲୋକ  ଆସି ତାଙ୍କୁ ଭେଟି ନଥା'ନ୍ତେ। ରାଷ୍ଟ୍ରପ୍ରାର୍ଥୀ ହେବା ଖବର ମିଳିବା ପରେ ଦୂରଦୂରାନ୍ତରୁ ଅନେକ ଲୋକ ଆସି ମୋ ମା'ଙ୍କୁ ରାତିରେ ଶୁଭେଚ୍ଛା ଜଣାଇଥିଲେ।  ମୋ ମା’ ଗୋଟେ ଖୋଲାବହି। ସେ ସମସ୍ତଙ୍କ ସହ ମିଶି ଯାଆନ୍ତି। ମୋ ମା'ଙ୍କ ଜୀବନଶୈଳୀ ବହୁତ ସରଳ। ସେ ଆଡ଼ମ୍ବର ଜୀବନଯାପନକୁ ପସନ୍ଦ କରନ୍ତି ନାହିଁ। ମା’ ଦିଲ୍ଲୀ ଗଲା ବେଳେ ଛୁଆଙ୍କ ଯତ୍ନ ନେବୁ, ଘରର ଯତ୍ନ ନେବୁ ଓ ଭଲରେ ରହିବୁ ବୋଲି କହି ଯାଇଛନ୍ତି।

ମୋ ଭଲମନ୍ଦ ପଚାରିବେ ବୋଲି କହିଛନ୍ତି

ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଡ୍ରାଇଭର କହିଛନ୍ତି, ମୁଁ ମାଡାମଙ୍କ ସହ ୧୫ ବର୍ଷ ହେଲା ଜଡ଼ିତ। ମାଡାମଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଗଲା, ଏହା ଓଡ଼ିଶା ପାଇଁ ଗୌରବର କଥା। ଆମ ରାଇରଙ୍ଗପୁରବାସୀଙ୍କ ପାଇଁ ମଧ୍ୟ ଖୁସିର କଥା। ଆଦିବାସୀ ମହିଳା ଜଣେ ରାଷ୍ଟ୍ରପତି ପ୍ରାର୍ଥୀ ହେବା ଆମ ଦେଶ ପାଇଁ ଖୁସିର କଥା। ମୁଁ ମାଡାମଙ୍କୁ ରାଇରଙ୍ଗପୁରରୁ ଭୁବନେଶ୍ୱର ଏମସିଏଲ୍ ଗେଷ୍ଟ ହାଉସ୍‌କୁ ଆଣିଥିଲି। ଏମସିଏଲ୍ ଗେଷ୍ଟ ହାଉସ୍‌ ମୁଁ ମାଡାମଙ୍କୁ ବିମାନ ବନ୍ଦର ନେଇକି ଯାଇଥିଲି। ବାଟରେ ଲୋକଙ୍କ ଭିଡ଼ ଦେଖି କେତେ ଲୋକ ତାଙ୍କୁ ଆଦର କରୁଛନ୍ତି ବୋଲି ମାଡାମ ମୋତେ କହିଥିଲେ। ଯଦି ସେ ରାଷ୍ଟ୍ରପତି ହୁଅନ୍ତି, ତା' ହେଲେ ମଧ୍ୟ ମୋ ଭଲମନ୍ଦ ପଚାରିବେ ବୋଲି ମାଡାମ ମୋତେ ବାଟରେ କହିଛନ୍ତି।

ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆଜି ସକାଳେ ଦିଲ୍ଲୀ ଯାଇଛନ୍ତି। ଆସନ୍ତାକାଲି ସେ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିବେ। ଆଜି ସକାଳେ ଏମସିଏଲ୍ ଗେଷ୍ଟ ହାଉସ୍‌ରୁ ଜେଡ ପ୍ଲସ ସୁରକ୍ଷାରେ ଯାଇ ବିମାନବନ୍ଦରରେ ପହଞ୍ଚିଲେ ଶ୍ରୀମତୀ ମୁର୍ମୁ। ସେହି ସମୟରେ ତାଙ୍କ ସହିତ ତାଙ୍କ ଝିଅ ଥିଲେ। ଏହାସହ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇବାକୁ ଭୁବନେଶ୍ୱର ବିମାନ ବନ୍ଦରରେ ବିଜେପି ନେତା, କର୍ମୀ, ଶୁଭେଚ୍ଛୁ ଓ ସମର୍ଥକଙ୍କ ଅସମ୍ଭବ ଭିଡ଼ ଜମିଥିଲା।

Related story