ବିୟର ପ୍ଲାଣ୍ଟ କେଳେଙ୍କାରୀ: ଜଙ୍ଗଲ ଜାଣି ସୁଦ୍ଧା କାଟିବାକୁ ଅନୁମତି ଦେଇଥିଲେ ଡିଏଫଓ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଢେଙ୍କାନାଳର ବଳରାମପୁର ମୌଜାରେ ବିୟର ପ୍ଲାଣ୍ଟ ସ୍ଥାପନ ପାଇଁ ଗ୍ରାମ୍ୟ ଜଙ୍ଗଲକୁ କାଟି ମୂଳପୋଛ କରାଯିବା ଘଟଣାର ପ୍ରାୟ ଏକମାସ ବିତିଯାଇଥିଲେ ସୁଦ୍ଧା ଜଣେ ବି ସରକାରୀ ଅଫିସର ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି। ରାଜନୀତିକ ହଟଚମଟ, ଆରଡିସି ତଦନ୍ତ ଓ ପ୍ରକଳ୍ପ ସ୍ଥାନ ବାତିଲ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ପରେ ଗଛକଟା ବନ୍ଦ ହୋଇଥିଲେ ମଧ୍ୟ କାହା ଚାପରେ ଏତେ ବଡ଼ ଜଙ୍ଗଲ ମୂଳପୋଛ କରାଗଲା ତାହା ଏବେସୁଦ୍ଧା ରହସ୍ୟମୟ ହୋଇ ରହିଛି। ଜଙ୍ଗଲ କାଟିବାକୁ ହୋଇଥିବା ଷଡ଼ଯନ୍ତ୍ରକୁ ମଧ୍ୟ ଚପାଇ ଦେବାକୁ ଉଦ୍ୟମ ଚାଲିଛି। ଏପରିକି ଅନୁରୂପ ଜଙ୍ଗଲ ସୃଷ୍ଟି ପାଇଁ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନି।

ମିଳିଥିବା ସୂଚନା ଅନୁସାରେ କୋଲକାତାସ୍ଥିତ ପିଆଣ୍ଡଏ ବଟଲର୍ସ ପ୍ରାଃ ଲିମିଟେଡ୍ କମ୍ପାନୀକୁ ବଳରାମପୁର ଅଞ୍ଚଳରେ ମଦ କାରଖାନା ନିର୍ମାଣ ପାଇଁ ଜାଣିଶୁଣି ବଳରାମପୁରର ଗ୍ରାମ୍ୟ ଜଙ୍ଗଲକୁ ମୂଳପୋଛ କରାଯାଇଥିଲା। ମଦ କାରଖାନା ପାଇଁ ପ୍ରସ୍ତାବିତ ଏହି ଅଞ୍ଚଳଟି ସମ୍ପୂର୍ଣ୍ଣ ଭାବେ ଜଙ୍ଗଲ ଓ ଏଠାରେ କୌଣସି ଅଣଜଙ୍ଗଲ ଜାଗା ନାହିଁ ବୋଲି ଫରେଷ୍ଟ ରେଞ୍ଜ ଅଫିସର ସରଜମିନ ତଦନ୍ତ କରି ୨୦୧୮ ଜାନୁୟାରୀ ୨୯ତାରିଖରେ ରିପୋର୍ଟ ଦେବା ସତ୍ତ୍ୱେ ଢେଙ୍କାନାଳ ଡିଏଫଓ ଏହାକୁ ଅଣଦେଖା କରିଥିଲେ।

ଫରେଷ୍ଟ ରେଞ୍ଜ ଅଫିସରଙ୍କ ରିପୋର୍ଟକୁ ଦୀର୍ଘ ୭ମାସ ପକାଇ ରଖିବା ପରେ ୨୦୧୮ ଅଗଷ୍ଟ ୨୪ ତାରିଖରେ ସେହି ଅଞ୍ଚଳରୁ ଜଙ୍ଗଲ ଜମିକୁ କାଟିବା ପାଇଁ ଇଡକୋ ମୁଖ୍ୟ ଜେନେରାଲ ମ୍ୟାନେଜରଙ୍କୁ ଢେଙ୍କାନାଳ ଡିଏଫଓ ଅନୁମତି ଦେଇଥିଲେ।

ତେବେ ପ୍ରଶ୍ନ ଉଠୁଛି, ବଳରାମପୁର ଅଞ୍ଚଳରେ ମଦ କାରଖାନା ପାଇଁ ପ୍ରସ୍ତାବିତ ୧୧.୧୫ ଏକର ଜମିରେ ଶାଳ, ମହୁଲ, କୁମ୍ଭୀ, କେନ୍ଦୁ, ଆକାଶ,ନିମ୍ବ, ହରିଡ଼ା ଭଳି ମୂଲ୍ୟବାନ ଜଙ୍ଗଲ ଗଛ ଥିବା ନେଇ ଫରେଷ୍ଟ ରେଞ୍ଜ ଅଫିସର ରିପୋର୍ଟ ଦେଇଥିବା ସତ୍ତ୍ୱେ ଡିଏଫଓ କିଭଳି ଏହାକୁ ଅଣଦେଖା କଲେ। ରିପୋର୍ଟରେ ସ୍ପଷ୍ଟ ଭାବେ ୯ଏକର ଜମିରେ ୦.୮ ଘନତ୍ୱର ଜଙ୍ଗଲ ଓ ୨.୧୫ଏକରରେ ୦.୪ ଘନତ୍ୱର ଜଙ୍ଗଲ ଥିବା ରେଞ୍ଜ ଅଫିସର ତାଙ୍କ ଯାଞ୍ଚ ରିପୋର୍ଟରେ ଜଣାଇଥିଲେ। କିନ୍ତୁ ଏହା ସତ୍ତ୍ୱେ ମାର୍ଚ୍ଚ ୨୦ତାରିଖରେ ଏକ ମିଳିତ ସର୍ଭେ କରାଯାଇ ଗଛ ଗଣତି କରାଗଲା। ଆଉ ମୂଳ ରିପୋର୍ଟକୁ ଚପାଇ ଦେଇ ଢେଙ୍କାନାଳ ଡିଏଫଓ ଅଗଷ୍ଟ ୨୪ ତାରିଖ ଏଥିରୁ ୧୦.୫୯ଏକର ଜମିରୁ ୯୫୬ଟି ଗଛ କାଟିବାକୁ ଅନୁମତି ଦେଇଥିଲେ।

ଆଉ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମଦ ପ୍ରସ୍ତୁତି କାରଖାନା ପ୍ରକଳ୍ପ ପାଇଁ ନଭେମ୍ବର ପ୍ରଥମ ସପ୍ତାହରେ ଭିଡିଓ କନଫରେନସିଂ ମାଧ୍ୟମରେ ଶିଳାନ୍ୟାସ କରିବା ପରେ ସେହି ପ୍ରସ୍ତାବିତ ଅଞ୍ଚଳ ରେ ଗଛକଟା ଆରମ୍ଭ ହୋଇଥିଲା,ଯାହାକୁ ସାଧାରଣ ଲୋକେ ତୀବ୍ର ବିରୋଧ କରିଥିଲେ।

ଯଦିଓ ପରବର୍ତ୍ତୀ ଅବସ୍ଥାରେ ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ପରେ ସରକାର ବାଧ୍ୟ ହୋଇ ନିଜର ମତ ବଦଳାଇଥିଲେ ଓ ସେହି ସ୍ଥାନରେ ପ୍ରକଳ୍ପକୁ ବାତିଲ କରିଥିଲେ। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ମଧ୍ୟ ସମସ୍ତ ଜମି ପତିତ କିସମର ଓ କେବଳ ଜଙ୍ଗଲ ଜମିରୁ ଗଛ କାଟିବାକୁ ଅନୁମତି ଦରକାର ବୋଲି କହିବାକୁ ପଛାଇ ନଥିଲେ।

ତେବେ ପ୍ରଶ୍ନ ଉଠୁଛି, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ହୋଇଥିବା ଆରଡିସି ତଦନ୍ତ ବେଳେ ଜମିର କିସମ ପରିବର୍ତ୍ତନକୁ ନେଇ ଯେଉଁ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଥିଲା, ତାକୁ କିଏ ଓ କାହିଁକି ଚପାଇ ଦେଇଛି? ଗ୍ରାମସଭାର ଘୋର ବିରୋଧ ସତ୍ତ୍ୱେ କାହା ସ୍ୱାର୍ଥରେ ୨୦୧୪ ମସିହାରେ ବଳରାମପୁର ଅଞ୍ଚଳର ୬୨ଏକର ‘ଗୋଚର’ ଜମିର କିସମକୁ ତତକାଳୀନ ଜିଲ୍ଲାପାଳ ରୂପାରୋଶନ ସାହୁ(ଏବେ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ) ‘ପତିତ’ ଜମିକୁ ପରିବର୍ତ୍ତନ କରିଥିଲେ?

ଗ୍ରାମବାସୀଙ୍କ ବିରୋଧ ସତ୍ତ୍ୱେ ତତକାଳୀନ ତହସିଲ ଓ ଜିଲ୍ଲାପାଳଙ୍କ ଅସାଧୁ ମେଣ୍ଟ ଯୋଗୁ ୨୦୧୪ରୁ ୨୦୧୮ ମସିହା ପର୍ଯ୍ୟନ୍ତ ଗାଁ ଓ ସ୍ଥାନୀୟ ପରିବେଶବିତମାନଙ୍କୁ ନିରାଶ ହେବାକୁ ପଡ଼ିଥିଲା। ଆରଡିସି ଡି.ଭି.ସ୍ୱାମୀ ତଦନ୍ତବେଳେ ଏସବୁ ତଥ୍ୟ ପାଇଥିଲେ ମଧ୍ୟ ଅନିୟମିତତାର ସୂତା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଡ଼କୁ ଲମ୍ବିଥିବାରୁ ଚୁପ୍ ହୋଇ ବସିବାକୁ ବାଧ୍ୟ ହୋଇଥିଲେ। ଏପରିକି ଏତେ ସଂଖ୍ୟକ ଗଛ କଟା ଯାଇଥିଲେ ମଧ୍ୟ ଆଜି ଯାଏ ଜଣେ ବି କର୍ମଚାରୀ ଦଣ୍ଡିତ ହୋଇନଥିବା ଜଣାପଡ଼ିଛି।