Advertisment

ମୃତଦେହ ପୋତିବାକୁ ନେଇ ବିବାଦ! କାଲିଠୁ ଉମରକୋଟ-ରାଇଘର-ରାୟପୁର ରାସ୍ତାରେ ବସିଛନ୍ତି ଲୋକେ

ଗାଁ ଲୋକଙ୍କ ଜିଦ୍‌ ଆଗରେ ହାର ମାନିଥିଲା ପ୍ରଶାସନ। ଶେଷରେ ଅନ୍ୟତ୍ର ମୃତଦେହ ସତ୍କାର କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲା। ତା’ପରେ ଗାଁରେ ଦେଖାଦେଇଥିବା ଉତ୍ତେଜନା ପରିସ୍ଥିତି ଶାନ୍ତ ପଡ଼ିଥିଲା। ତେବେ ଏଠି ପ୍ରଶ୍ନ ଉଠୁଛି ଡାମୁଙ୍କ ମୃତଦେହ କେଉଁଠି ସତ୍କାର କରାଯିବ?

Umerkot

Umerkot

Advertisment

ସହର ଭିତରେ ମାଳ ମାଳ ଶ୍ମଶାନ। ତଥାପି ସର୍ବସାଧାରଣ ସ୍ଥାନରେ ମୃତଦେହ ପୋତି ଦେଉଛି ପ୍ରଶାସନ। ଏ ସବୁ କାମର କାର୍ପଟଦାର କୁଆଡ଼େ ହେଉଛନ୍ତି ଜଣେ ଆର୍‌ଆଇ! ତାଙ୍କ ନିର୍ଦ୍ଦେଶରେ ବାରମ୍ୱାର ଏପରି ବେଆଇନ୍‌ କାର୍ଯ୍ୟ ହେଉଥିବା ଅଭିଯୋଗ ହେଉଛି। ପ୍ରଶାସନର ଏଭଳି କାର୍ଯ୍ୟକୁ ବିରୋଧ କରି ଶୁକ୍ରବାର ରାତିରୁ ଏଯାଏଁ ଚାଲିଛି ଆନ୍ଦୋଳନ। ଶତାଧିକ ଲୋକ ଉମରକୋଟ-ରାଇଘର-ରାୟପୁର ରାଜ୍ୟ ରାଜପଥ ଅବରୋଧ କରି ଆନ୍ଦୋଳନ ଜାରି ରଖିଛନ୍ତି।

Advertisment

ଶୁକ୍ରବାର ସକାଳେ ଉମରକୋଟ ବ୍ଲକ୍ ବେହେଡ଼ା ପଞ୍ଚାୟତ ସିଉନାଗୁଡ଼ା ଗାଁର ୬୮ ବର୍ଷୀୟ ବୃଦ୍ଧ ଡାମୁ ସାନ୍ତାଙ୍କ ସକାଳେ ମୃତ୍ୟୁ ଘଟିଥିଲା। ହେଲେ ମୃତଦେହ ସତ୍କାରକୁ ନେଇ ଗାଁରେ ବିବାଦ ଦେଖାଦେଇଥିଲା। କାରଣ ସେ(ମୃତବ୍ୟକ୍ତି) ଭିନ୍ନ ସମ୍ପ୍ରଦାୟର ହୋଇଥିବାରୁ ଗାଁ ମଶାଣିରେ ସତ୍କାର କରିବାକୁ ମନା କରିଲେ ଗ୍ରାମବାସୀ। ଯେଉଁଥିପାଇଁ ଦୀର୍ଘ ୧୨ ଘଣ୍ଟାରୁ ଅଧିକ ସମୟ ଧରି ମୃତଦେହ ପଡ଼ି ରହିଥିଲା। ଏ ସମ୍ପର୍କରେ ଖବର ପାଇ ଗାଁରେ ପହଞ୍ଚିଥିଲେ ଉମରକୋଟ ଏସ୍‌ଡିପିଓ, ତହସିଲଦାର, ପୁଲିସ୍ ପ୍ରଶାସନ ଓ ଆର୍‌ଆଇ(ରାଜସ୍ୱ ନୀରିକ୍ଷକ)। ଅଧିକାରୀମାନେ ପ୍ରଥମେ ଗାଁ ଲୋକଙ୍କୁ ବୁଝାସୁଝା କରିଥିଲେ। ମାତ୍ର ଗାଁ ଶ୍ମଶାନରେ ମୃତଦେହ ସତ୍କାର ହୋଇପରିବ ନାହିଁ ବୋଲି ଲୋକେ ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲେ।

ଗାଁ ଲୋକଙ୍କ ଜିଦ୍‌ ଆଗରେ ହାର ମାନିଥିଲା ପ୍ରଶାସନ। ଶେଷରେ ଅନ୍ୟତ୍ର ମୃତଦେହ ସତ୍କାର କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲା। ତା’ପରେ ଗାଁରେ ଦେଖାଦେଇଥିବା ଉତ୍ତେଜନା ପରିସ୍ଥିତି ଶାନ୍ତ ପଡ଼ିଥିଲା। ତେବେ ଏଠି ପ୍ରଶ୍ନ ଉଠୁଛି ଡାମୁଙ୍କ ମୃତଦେହ କେଉଁଠି ସତ୍କାର କରାଯିବ? ଏହାକୁ ନେଇ ପ୍ରଶସନ ଅଡୁଆରେ ପଡ଼ିଯାଇଥିଲା। ଶେଷରେ କିଛି ଉପାୟ ନପାଇ ସିଉନାଗୁଡ଼ା ଗାଁଠାରୁ ପ୍ରାୟ ୭ରୁ ୮ କିମି ଦୂର ମୁର୍ତ୍ତୁମା ଗ୍ରାମ୍ୟ ରାସ୍ତା ପାର୍ଶ୍ୱରେ ଥିବା ସରକାରୀ ଜମିରେ ଡାମୁ ସାନ୍ତାଙ୍କ ମୃତଦେହକୁ ରାତିରେ ପୋତି ଦେଇଥିଲା ପ୍ରଶାସନ। କୁହାଯାଉଛି ଏଥିରେ କୁଆଡେ ଉମରକୋଟ ଆର୍‌ଆଇ ଶିବାନନ୍ଦ ରାଉତ ଓ ତହସିଲଦାର ତୁଳା ମୁଦୁଲିଙ୍କ ହାତ ରହିଛି। ସେମାନଙ୍କ ନିର୍ଦ୍ଦେଶରେ ସେଠାରେ ମୃତଦେହ ପୋତି ଦିଆଯାଇଥିବା ଅଭିଯୋଗ ହୋଇଛି।

Advertisment

ପ୍ରଶାସନର ଏଭଳି କାର୍ଯ୍ୟକୁ ବୁର୍ଜା ଓ ମୁର୍ତ୍ତୁମା ପଞ୍ଚାୟତର ୧୦ ଖଣ୍ଡ ଗାଁର ଲୋକମାନେ ବିରୋଧ କରିଥିଲେ। କାରଣ ମୃତଦେହ ପୋତା ଯାଇଥିବା ସ୍ଥାନଟି ଶ୍ମଶାନ ନୁହେଁ। ଆଖପାଖ ଲୋକଙ୍କର ନିତ୍ୟ ବ୍ୟବହାଯ୍ୟ ସ୍ଥାନ। ସେହି ରାସ୍ତା ଦେଇ ପ୍ରତିଦିନ କୁନିକୁନି ପିଲାମାନେ ଉମରକୋଟ ଟାଉନ୍‌ର ଏକ ମାତ୍ର ୫ଟି ଉଚ୍ଚ ବିଦ୍ୟାଳୟକୁ ଅଧ୍ୟୟନ ପାଇଁ ଯାଉଛନ୍ତି। ଏପରି ସ୍ଥିତିରେ ସେଠାରେ କେମିତି ରାତି ଅଧିଆ ମୃତଦେହ ପୋତି ଦିଆଗଲା ବୋଲି ଗାଁ ଲୋକେ ପ୍ରଶ୍ନ କରିଛନ୍ତି। ଏହାଛଡ଼ା ସେହ ଅଞ୍ଚଳରେ ୪ରୁ ୫ଟି ଶ୍ମଶାନ ଥିବା ବେଳେ ବେଳେ ପ୍ରଶାସନ ସେଠାରେ କାହିଁକି ମୃତଦେହ ପୋତିଦେଲା? ଯଥାଶୀଘ୍ର ସେଠାରେ ମୃତଦେହ ବାହାର କରି ଅନ୍ୟତ୍ର ପୋତା ଯାଉ ବୋଲି ଗାଁ ଲୋକେ ଦାବି କହିଛନ୍ତି।

ପ୍ରଶାସନ ଏପରି କାର୍ଯ୍ୟକୁ ବିରୋଧ କରି ଶତାଧିକ ଗାଁ ଲୋକ ଶୁକ୍ରବାର ମଧ୍ୟ ରାତିରୁ ଉମରକୋଟ-ରାଇଘର-ରାୟପୁର ରାଜ୍ୟ ରାଜପଥକୁ ମୁର୍ତ୍ତୁମା ଛକ ନିକଟରେ ଟେଣ୍ଟ ମାରି ଅବରୋଧ କରିଛନ୍ତି। ଯେଉଁଥିପାଇଁ ଗାଡ଼ି ଚଳାଚଳ ଏକପ୍ରକାର ଠପ୍‌ ହୋଇଯାଇଛି। ପ୍ରାୟ ୩ କିମି ପର୍ଯ୍ୟନ୍ତ ଗାଡ଼ି ଗୁଡ଼ିକ ରାସ୍ତା ଉପରେ ଛିଡ଼ା ହୋଇଛି। ଶୁକ୍ରବାର ରାତିରେ ଉମରକୋଟ ଏସ୍‌ଡିପିଓ ସୁଭେନ୍ଦୁ କୁମାର ଶବର ସଦଳ ବେଳେ ସେଠାରେ ଡେରା ପକାଇଛନ୍ତି। ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡ଼ିଛି। କିନ୍ତୁ ଗାଁ ଲୋକେ ନିଜ ଜିଦ୍‌ରେ ଅଟଳ ରହିଛନ୍ତି। ରାସ୍ତାରୋକ ସମ୍ପର୍କରେ ଖବର ପାଇ ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ ସେଠାରେ ପହଂଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା ଜାରି ରଖିଛନ୍ତି।

ଗାଁ ଲୋକେ ଅଭିଯୋଗ କରିଛନ୍ତି, ପୂର୍ବରୁ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଥିଲା। ଆର୍‌ଆଇ ଶିବାନନ୍ଦ ରାଉତଙ୍କ ନିର୍ଦ୍ଦେଶରେ ଉମରକୋଟ ସହର ଡିଏନକେ ସାହିରେ ଏକ ସ୍କୁଲ ସମ୍ମୁଖ ଡ୍ରେନ୍ ଉପରେ ମୃତଦେହ ପୋତି ଦିଆଯାଇଥିଲେ। ଯାହାକୁ ନେଇ ରାସ୍ତା ଅବରୋଧ ହୋଇଥିଲା। ଆନ୍ଦୋଳନ ତୀବ୍ରତର ମଧ୍ୟ ହୋଇଥିଲା। ଯେଉଁଥିପାଇଁ ପୁଲିସ୍‌ ଲାଠି ଚାର୍ଜ କରିଥିଲା। ଉମରକୋଟ ସହରରେ ମାଳମାଳ ଶ୍ମଶାନ ଥାଉଁ ଥାଉଁ ଆର୍‌ଆଇ ଶ୍ରୀ ରାଉତ ଜାଣିଶୁଣି ବିବାଦୀୟ ମୃତଦେହ ଗୁଡ଼ିକୁ ଜନବସତି ଅଞ୍ଚଳରେ ପୋତି ଦେଉଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି।

ରିପୋର୍ଟ- ଉମରକୋଟରୁ କାର୍ତ୍ତିକ ମଲ୍ଲିକ

Nabarangpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe