ଓଡ଼ିଶାକୁ ୪୦୧୩ କୋଟିର ସହାୟତା ଦେଲା ନାବାର୍ଡ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ଆର୍ଥିକ ବର୍ଷ ପାଇଁ ନ୍ୟାସନାଲ ବ୍ୟାଙ୍କ ଫର ଏଗ୍ରିକଲଚର ଆଣ୍ଡ ରୁରାଲ ଡେଭଲପମେଣ୍ଟ(ନାବାର୍ଡ) ଦ୍ୱାରା ଓଡ଼ିଶାକୁ ଗ୍ରାମାଂଚଳ ଭିତ୍ତିଭୂମି ବିକାଶ ପାଣ୍ଠି ଭାବେ ସର୍ବାଧିକ ମୋଟ ୪୦୧୩କୋଟି ଟଙ୍କାର ଋଣ ସହାୟତା ଅନୁମୋଦନ କରାଯାଇଛି । ଏଥିରେ ୨୫୬୮କୋଟି ଟଙ୍କାର ରାସ୍ତା ଓ ବ୍ରିଜ୍‌, ୮୪୦କୋଟି ଟଙ୍କାର ପାଇପ୍ ଜଳ ଯୋଗାଣ, ୬୦୫କୋଟି ଟଙ୍କାର କୃଷି ଆନୁସଙ୍ଗିକ ଓ ଜଳସେଚନ କ୍ଷେତ୍ର ପାଇଁ ସାମିଲ ରହିଛି । ନାବାର୍ଡ ପକ୍ଷରୁ ଜାରି ସୂଚନା […]

NABARD

Ordigital Desk
  • Published: Monday, 21 March 2022
  • , Updated: 21 March 2022, 09:53 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ଆର୍ଥିକ ବର୍ଷ ପାଇଁ ନ୍ୟାସନାଲ ବ୍ୟାଙ୍କ ଫର ଏଗ୍ରିକଲଚର ଆଣ୍ଡ ରୁରାଲ ଡେଭଲପମେଣ୍ଟ(ନାବାର୍ଡ) ଦ୍ୱାରା ଓଡ଼ିଶାକୁ ଗ୍ରାମାଂଚଳ ଭିତ୍ତିଭୂମି ବିକାଶ ପାଣ୍ଠି ଭାବେ ସର୍ବାଧିକ ମୋଟ ୪୦୧୩କୋଟି ଟଙ୍କାର ଋଣ ସହାୟତା ଅନୁମୋଦନ କରାଯାଇଛି । ଏଥିରେ ୨୫୬୮କୋଟି ଟଙ୍କାର ରାସ୍ତା ଓ ବ୍ରିଜ୍‌, ୮୪୦କୋଟି ଟଙ୍କାର ପାଇପ୍ ଜଳ ଯୋଗାଣ, ୬୦୫କୋଟି ଟଙ୍କାର କୃଷି ଆନୁସଙ୍ଗିକ ଓ ଜଳସେଚନ କ୍ଷେତ୍ର ପାଇଁ ସାମିଲ ରହିଛି ।

ନାବାର୍ଡ ପକ୍ଷରୁ ଜାରି ସୂଚନା ଅନୁସାରେ, ଗ୍ରାମାଂଚଳ ସଂଯୋଗୀକରଣରେ ସୁଧାର ପାଇଁ ମୋଟ ୨୫୬୮କୋଟି ଟଙ୍କା( ମୋଟ ଅନୁମୋଦିତ ପାଣ୍ଠିର ୬୪%) ସହାୟତା ମଞ୍ଜୁର କରାଯାଇଛି । ଗ୍ରାମ୍ୟ ରାସ୍ତା ଓ ବ୍ରିଜ ନିର୍ମାଣ କ୍ଷେତ୍ରରେ ଏହି ଅର୍ଥ ବିନିଯୋଗ ହେବ ବୋଲି ନାବାର୍ଡ ଚିଫ୍ ଜେନେରାଲ ମ୍ୟାନେଜର(ଓଡ଼ିଶା) ସି ଉଦୟଭାସ୍କର ସୂଚନା ଦେଇଛନ୍ତି । ଚଳିତ ବର୍ଷରେ ଆରଆଇଡିଏଫ ପାଣ୍ଠିରେ ମୋଟ ୨ହଜାର କିମି ଲମ୍ବ ରାସ୍ତା ଓ ୧୭.୧୩କିମି ଲମ୍ବ ବ୍ରିଜ ନିର୍ମାଣ ବା ଉନ୍ନତିକରଣ କରାଯିବ । ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ରାଜ୍ୟର ୧୦ଲକ୍ଷରୁ ଅଧିକ ଲୋକେ ଉପକୃତ ହେବେ ।

ସେହିପରି ୯ଟି ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ନିମନ୍ତେ ମୋଟ ୮୪୦କୋଟି ଟଙ୍କାର ଆର୍ଥିକ ଅନୁଦାନ ମଞ୍ଜୁର କରାଯାଇଛି । ଏହା ଦ୍ୱାରା ଗ୍ରାମାଂଚଳର ୧୭ଲକ୍ଷ ଲୋକଙ୍କ ନିଜ ଦୁଆର ମୁହଁରେ ପାଇପ୍ ଯୋଗେ ପିଇବା ପାଣି ମିଳିପାରିବ । ବିଭିନ୍ନ କୃଷି ଆନୁସଙ୍ଗିକ ଓ ଜଳସେଚନ ଭିତ୍ତିଭୂମିର ବିକାଶ ପାଇଁ ୬୦୫କୋଟି ଟଙ୍କା ମଞ୍ଜୁର କରାଯାଇଛି । ଚଳିତ ବର୍ଷ ମଞ୍ଜୁର ହୋଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ କୁସୁମୀ ଜଳସେଚନ ପ୍ରକଳ୍ପ ଓ ବ୍ରହ୍ମପୁରରେ ପ୍ରାଣୀସମ୍ପଦ ଟୀକା ଉତ୍ପାଦନ ୟୁନିଟ୍ ସ୍ଥାପନ ସାମିଲ ରହିଛି । ଏହି ଅନୁମୋଦିତ ପାଣ୍ଠି ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ପ୍ରାଥମିକତା କ୍ଷେତ୍ରକୁ ଦୃଷ୍ଟିରେ ରଖି କରାଯାଇଛି । ରାଜ୍ୟ ସରକାର ଗ୍ରାମଂଚଳ ଭିତ୍ତିଭୂମିର ଉନ୍ନୀତିକରଣ ପାଇଁ ପାନୀୟ ଜଳ ଯୋଗାଣ, ଜଳସେଚନ ଓ ଗ୍ରାମାଂଚଳ ସଂଯୋଗ(ରାସ୍ତା ଓ ପୋଲ) ନିର୍ମାଣ ଉପରେ ଗୁରୁତ୍ୱ ଦେଉଛନ୍ତି ।
ସୂଚନାଯୋଗ୍ୟ, ଗ୍ରାମାଂଚଳ ଭିତ୍ତିଭୂମି ବିକାଶ ପାଣ୍ଠି(ଆରଆଇଡିଏଫ) ଗଠନ ପରଠୁ ଏବାବଦରେ ନାବାର୍ଡ ଏପର୍ଯ୍ୟନ୍ତ ମୋଟ ୩୨୧୦୦କୋଟି ଟଙ୍କା ପ୍ରଦାନ କରିଛି ।

Related story