କେବେ ଦୂର ହେବ ବାଲ୍ୟ ବିବାହ ପ୍ରଥା? କଠୋର ନିୟମ ସତ୍ତ୍ୱେ ସୁଧୁରୁନାହାନ୍ତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ବାଲ୍ୟ ବିବାହ ରୋକିବା ପାଇଁ କଠୋର ନିୟମ ପ୍ରଣୟନ କରାଯାଇଛି। ଆଇନ୍‌ରେ ଦୁଇ ବର୍ଷ ଜେଲ୍‌ଦଣ୍ଡାଦେଶ ସହ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଜୋରିମାନା କରାଯାଇଛି। ଏଥିସହ କିଛି ମାମଲାରେ ଉଭୟ ଜେଲ୍‌ ଦଣ୍ଡ ଓ ଜୋରିମାନାର ବ୍ୟବସ୍ଥା ମଧ୍ୟ ରହିଛି। ଏହା ସତ୍ତ୍ୱେ ରାଜ୍ୟରେ ବାଲ୍ୟ ବିବାହ କମିବାର ନାଁ ଥମୁନାହିଁ। ସଦ୍ୟତମ ପ୍ରକାଶ ପାଇଥିବା ନ୍ୟାସନାଲ୍‌ ଫ୍ୟାମିଲି ହେଲ୍‌ଥ ସର୍ଭେ-୫ରେ ଆଖି ଚମକାଇ ଦେଲା ପରି ତଥ୍ୟ ପ୍ରକାଶ ପାଇଛି। […]

Child-Marriage

Manoranjan Sial
  • Published: Tuesday, 14 December 2021
  • , Updated: 14 December 2021, 10:20 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ବାଲ୍ୟ ବିବାହ ରୋକିବା ପାଇଁ କଠୋର ନିୟମ ପ୍ରଣୟନ କରାଯାଇଛି। ଆଇନ୍‌ରେ ଦୁଇ ବର୍ଷ ଜେଲ୍‌ଦଣ୍ଡାଦେଶ ସହ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଜୋରିମାନା କରାଯାଇଛି। ଏଥିସହ କିଛି ମାମଲାରେ ଉଭୟ ଜେଲ୍‌ ଦଣ୍ଡ ଓ ଜୋରିମାନାର ବ୍ୟବସ୍ଥା ମଧ୍ୟ ରହିଛି। ଏହା ସତ୍ତ୍ୱେ ରାଜ୍ୟରେ ବାଲ୍ୟ ବିବାହ କମିବାର ନାଁ ଥମୁନାହିଁ। ସଦ୍ୟତମ ପ୍ରକାଶ ପାଇଥିବା ନ୍ୟାସନାଲ୍‌ ଫ୍ୟାମିଲି ହେଲ୍‌ଥ ସର୍ଭେ-୫ରେ ଆଖି ଚମକାଇ ଦେଲା ପରି ତଥ୍ୟ ପ୍ରକାଶ ପାଇଛି। ଯାହାକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।

ତଥ୍ୟ ଅନୁସାରେ ରାଜ୍ୟରେ ବାଲ୍ୟ ବିବାହ ହାର ୨୦.୫ ପ୍ରତିଶତ ରହିଛି। ୬ଟି ଜିଲ୍ଲାରେ ବାଲ୍ୟ ବିବାହ ହାର ରାଜ୍ୟ ହାର ଓ ଜାତୀୟ ହାରଠାରୁ ଅଧିକ ରହିଛି। ନବରଙ୍ଗପୁରରେ ସର୍ବାଧିକ ୩୯.୪ ପ୍ରତିଶତ, ନୟାଗଡ ୩୫.୭, କୋରାପୁଟ ୩୫.୫, ରାୟଗଡା ୩୩.୨, ମାଲକାନଗିରି ୩୨.୪ ଓ ମୟୂରଭଂଜ ୩୧.୩ ପ୍ରତିଶତ ବାଲ୍ୟ ବିବାହ ହେଉଛି। ଠିକ୍‌ ସେହିପରି ପୁଅମାନଙ୍କ କ୍ଷେତ୍ରରେ ରାଜ୍ୟରେ ବାଲ୍ୟ ବିବାହ ହାର ୧୩.୩ ପ୍ରତିଶତ ରହିଛି। ଜାତୀୟ ହାରଠାରୁ ଓଡ଼ିଶାରେ ବାଲ୍ୟ ବିବାହ ହାର କମ୍‌ ଥିଲେ ମଧ୍ୟ ଯେଉଁ ପରିମାଣରେ ହ୍ରାସ ପାଇବା କଥା ତାହା ହୋଇପାରିନି।

୨୦୨୧ ମସିହା ନଭେମ୍ବର ୨୯ ତାରିଖରେ ଗଂଜାମ ଜିଲ୍ଲା ସାନଖେମୁଣ୍ଡିର ପାଟପୁର ଗାଁରେ ଚାଲିଥିଲା ବାଲ୍ୟ ବିବାହ। ଉଭୟ ପକ୍ଷର ବନ୍ଧୁ ବାନ୍ଧବ, ସମ୍ପର୍କୀୟ ଏକାଠି ହୋଇଥିଲେ। ବାହାଘର ଚାଲିଥିବା ବେଳେ ପହଞ୍ଚିଯାଇଥିଲା ପ୍ରଶାସନ। ତୁରନ୍ତ ବିବାହ ବନ୍ଦ କରିବା ସହ ନାବାଳିକାଙ୍କୁ ସୁଧାର ଗୃହକୁ ନେଇଥିଲା ଚାଇଲ୍‌ଡ ଲାଇନ୍‌। ଉଭୟ ପରିବାର ଲିଖିତ ଭାବେ ଜଣାଇଥିଲେ ଆଉ କରିବେନି ସେଭଳି ଭୁଲ୍‌।

ଜିଲ୍ଲା ଶିଶୁ ସୁରକ୍ଷା ସେଲରୁ ମିଳିଥିବା ସୂଚନା ଅନୁସାରେ, ୨୦୧୮ରେ ୧୭ଟି, ୨୦୧୯ରେ ୪୫ଟି, ୨୦୨୦ରେ ୨୨୧ଟି ଓ ୨୦୨୧ ଜାନୁଆରୀରୁ ଏଯାଏଁ ୧୯୮ଟି ବାଲ୍ୟ ବିବାହ ବନ୍ଦ କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ।

Related story