ଭୁବନେଶ୍ୱର(ଓଡିଶା ରିପୋର୍ଟର): ବିଜେଡିରୁ ନିଲମ୍ବିତ ହୋଇଛନ୍ତି ପୂର୍ବତନ ବିଧାୟକ ନବୀନ ନନ୍ଦ । ନବୀନଙ୍କ ନିନ୍ଦନୀୟ ଆଚରଣ ସମ୍ପର୍କିତ ତଥ୍ୟ ଆଧାରରେ ତାଙ୍କୁ ନିଲମ୍ବନ କରଯାଇଛି ବୋଲି କୁହାଯାଉଛି। ଫଳରେ ଏବେ ଅଡୁଆରେ ପଡିଛନ୍ତି ନବୀନ।
ପୂର୍ବତନ ବିଧାୟକ ନବୀନ ନନ୍ଦ ନିଖୋଜ ଘଟଣାରେ ଟୁଇଷ୍ଟ । କୋଲକାତା ଯାଇଥିବା ନବୀନ୍ ନିଖୋଜ ନ ଥିଲେ ବରଂ ପୋଲିସ୍ ଦ୍ୱାରା ଗିରଫ ହୋଇ ବେଲ୍ରେ ମୁକୁଳିଥିବା ସ୍ପଷ୍ଟ ହୋଇଛି। କୋଲକାତାର ପାର୍କ ଷ୍ଟ୍ରିଟ୍ର ଏକ ସ୍ପାରେ ଅନୈତିକ କାର୍ଯ୍ୟକଳାପ ଚାଲିଥିବା ଅଭିଯୋଗରେ ବେନିୟାପୁକୁର ପୋଲିସ ଶନିବାର ଚଢାଉ କରିଥିଲା । ରେଡ୍ ସମୟରେ ସେଠାରେ ଉପସ୍ଥିତ ଥିଲେ ନବୀନ ନନ୍ଦ। ଦେହ ବ୍ୟବସାୟ ମାମଲାରେ ପୋଲିସ୍ ୯ଜଣ ଦେହଜୀବୀ, ୨ ଗ୍ରାହକ ଓ ନବୀନ ନନ୍ଦଙ୍କୁ ମିଶାଇ ମୋଟ୍ ୧୮ ଜଣଙ୍କୁ ଗରିଫ କରିଥିଲା। ପୋଲିସ ଜାରି କରିଥିବା ଗିରଫ ତାଲିକାରେ ନବୀନଙ୍କ ନାଁ ଓ ଠିକଣା ରହିଛି । କୋଲକାତାର ପତ୍ରିକା ନାମକ ଏକ ୱେବ୍ ମାଗାଜିନ୍ ଓ ଅନ୍ୟାନ୍ୟ ଖବର କାଗଜରେ ମଧ୍ୟ ଏହି ଖବର ପ୍ରକାଶିତ ହୋଇଛି । ସେପଟେ ନବୀନ ନନ୍ଦ କହିଛନ୍ତି ତାଙ୍କ ବିରୋଧରେ ଏହା ଏକ ଷଡ଼ଯନ୍ତ୍ର। ସେ କୋଲକତାରେ ପକେଟ୍ମାରୁଙ୍କ ଶିକାର ହୋଇଥିଲେ । ତାକୁ ପିଛା କରିବା ବେଳେ ସେ ସ୍ପା ଭିତରକୁ ପଶିଯାଇଥିଲେ। ସେହି ସମୟରେ ସେଠାରେ ରେଡ୍ ଚାଳିଥିବାରୁ ପୋଲିସ୍ ତାଙ୍କୁ ବି ଧରି ନେଇଥିଲା।
ଏହି ଘଟଣା ପଦାକୁ ଆସିବା ପରେ ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛି । ଅଭିଯୋଗ କରିଛି, ନବୀନଙ୍କ ନେତୃତ୍ୱରେ ଚାଲିଥିବା ବିଜେଡି ଲୋକଙ୍କ ଏହା ଚରିତ୍ର । କଂଗ୍ରେସ୍ କହିଛି ଏହା ଦୁର୍ଭାଗ୍ୟଜନକ। ସେପଟେ ଘଟଣାକୁ ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ ପରେ ବିଜେଡିରୁ ନବୀନ ନନ୍ଦଙ୍କୁ ସପ୍ପେଣ୍ଡ କରାଯାଇଛି।
ଗତକାଲି ନବୀନ ନନ୍ଦଙ୍କ ସହ ପରିବାରର ଫୋନ୍ରେ ଯୋଗାଯୋଗ ହୋଇ ନ ପାରିବା ପରେ ସେ ନିଖୋଜ ହେବା ନେଇ ଚର୍ଚ୍ଚା ହୋଇଥିଲା । ଏହାପରେ ତାଙ୍କ ପୁଅ କୋଲକାତାର ସେକ୍ସପିଅର୍ ସାରିଣୀ ଥାନାରେ ନିଖୋଜ ମାମଲା ରୁଜ୍ଜୁ କରିଥିଲେ । ପରେ ନବୀନଙ୍କ ପତ୍ତା ମିଳିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।