୬-୭ ଜଣ ଅଣଓଡ଼ିଆ ଆଇଏଏସ୍‌ଙ୍କ ଭରସାରେ ଚାଲିଛି ନବୀନ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ପଞ୍ଚମପାଳି ସରକାର ଗଠନକୁ ଦୁଇମାସ ବିତିଲାଣି। କିନ୍ତୁ ପ୍ରଶାସନିକସ୍ତରରେ ଅଦଳବଦଳ କରିବାକୁ ସରକାର ସାମାନ୍ୟତମ ଆଗ୍ରହ ଦେଖାଉ ନାହାନ୍ତି। ହାତଗଣତି ୬-୭ଜଣ ଅଣଓଡ଼ିଆ ଅଫିସରଙ୍କୁ ଦୁହାଁଳିଆ ବିଭାଗର ଦାୟିତ୍ୱ ଦେଇ ସରକାର ଚୁପ୍ ବସିଛନ୍ତି। ଏପଟେ ନୂଆ ସରକାର ଗଠନ ପରେ ପ୍ରଶାସନିକ ଅଦଳବଦଳ ହେବାର ପରମ୍ପରା ରହିଥିବାରୁ ବରିଷ୍ଠ ପାହ୍ୟାରେ ଥିବା ଆଇଏଏସ୍ ଅଫିସରମାନେ ନିଜର ବଦଳି ଆଶଙ୍କା କରି ଗୁରୁତ୍ୱପୂର୍ଣ୍ଣ ଫାଇଲଗୁଡ଼ିକରେ ହାତ ମାରୁନାହାନ୍ତି। ଫଳରେ […]

cm1

cm1

Jitendra Garnayak
  • Published: Thursday, 01 August 2019
  • Updated: 01 August 2019, 04:11 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ପଞ୍ଚମପାଳି ସରକାର ଗଠନକୁ ଦୁଇମାସ ବିତିଲାଣି। କିନ୍ତୁ ପ୍ରଶାସନିକସ୍ତରରେ ଅଦଳବଦଳ କରିବାକୁ ସରକାର ସାମାନ୍ୟତମ ଆଗ୍ରହ ଦେଖାଉ ନାହାନ୍ତି। ହାତଗଣତି ୬-୭ଜଣ ଅଣଓଡ଼ିଆ ଅଫିସରଙ୍କୁ ଦୁହାଁଳିଆ ବିଭାଗର ଦାୟିତ୍ୱ ଦେଇ ସରକାର ଚୁପ୍ ବସିଛନ୍ତି। ଏପଟେ ନୂଆ ସରକାର ଗଠନ ପରେ ପ୍ରଶାସନିକ ଅଦଳବଦଳ ହେବାର ପରମ୍ପରା ରହିଥିବାରୁ ବରିଷ୍ଠ ପାହ୍ୟାରେ ଥିବା ଆଇଏଏସ୍ ଅଫିସରମାନେ ନିଜର ବଦଳି ଆଶଙ୍କା କରି ଗୁରୁତ୍ୱପୂର୍ଣ୍ଣ ଫାଇଲଗୁଡ଼ିକରେ ହାତ ମାରୁନାହାନ୍ତି। ଫଳରେ ରାଜ୍ୟ ପ୍ରଶାସନରେ ଏବେ ଏକପ୍ରକାରର ସ୍ଥାଣୁ ଅବସ୍ଥା ସୃଷ୍ଟି ହୋଇଛି। ବରିଷ୍ଠ ଆଇଏଏସମାନଙ୍କୁ ଅଣଦେଖା କରାଯାଇ କମିଶନର ଓ ସଚିବ ପାହ୍ୟାର ଅଫିସରଙ୍କ ଉପରେ ରାଜ୍ୟ ସରକାର ଏବେ ଅଧିକ ଭରସା କରୁଥିବା ଦେଖିବାକୁ ମିଳିଛି।

ସାଧାରଣ ପ୍ରଶାସନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟରେ ମୋଟ ପଞ୍ଜିକୃତ ଆଇଏଏସ୍ ପଦବୀ ସଂଖ୍ୟା ହେଉଛି ୨୩୭। ଏଥିରେ ବରିଷ୍ଠ ପାହ୍ୟାରେ ଥିବା ୧୨୯ଟି ପଦବୀ ମଧ୍ୟରୁ ସର୍ବନିମ୍ନ ୪୦ ପ୍ରତିଶତ ଅଫିସରଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ପଠାଯିବାର ବ୍ୟବସ୍ଥା ରହିଛି। ତେବେ ଏବେ କେନ୍ଦ୍ରୀୟ ଡେପୁଟେସନରେ ମାତ୍ର ୨୨ଜଣ ଆଇଏଏସ୍ (୨୦%ରୁ କମ୍) ଅଛନ୍ତି। ଅନ୍ୟ ରାଜ୍ୟ କ୍ୟାଡ଼ରରୁ ୨ଜଣ ଆଇଏଏସ୍ ଅର୍ଚ୍ଚନା ପଟ୍ଟନାୟକ ଓ ପ୍ରଣବଜ୍ୟୋତି ନାଥ ଆସିବା ସତ୍ତେ୍ୱ ରାଜ୍ୟରେ ଏବେ ମୋଟ୍ ୧୮୨ଜଣ ଆଇଏଏସ୍ ଓଡ଼ିଶା କ୍ୟାଡ଼ରରେ କାର୍ଯ୍ୟ କରୁଛନ୍ତି। ଏମାନଙ୍କ ମଧ୍ୟରୁ ୨୨ଜଣ ଆଇଏଏସ୍ କେନ୍ଦ୍ରୀୟ ଡେପୁଟେସନରେ ଓ ୨ଜଣ ନିଜ ରାଜ୍ୟକୁ ଡେପୁଟେସନରେ ଯାଇଥିବା ବେଳେ ୧୦ଜଣ ଏବେ ପ୍ରଶିକ୍ଷଣ ନେଉଛନ୍ତି। ବିନୋଦ କୁମାର ନିଲମ୍ବିତ ହୋଇଥିବାବେଳେ ମୃଣାଳିନୀ ଦର୍ଶୱାଲ ଷ୍ଟଡି ଲିଭରେ ଅଛନ୍ତି।

ତେବେ ବାସ୍ତବରେ ଏବେ ଓଡ଼ିଶାରେ କାର୍ଯ୍ୟରତ ମୋଟ୍ ୧୪୬ଜଣ ଆଇଏଏସଙ୍କ ମଧ୍ୟରୁ ରାଜ୍ୟ ସରକାର ମାତ୍ର ୬-୭ଜଣ ଅଣଓଡ଼ିଆ ଅଫିସରଙ୍କୁ ଭରସାକୁ ନେଇ କାମ କରୁଥିବା ଜଣାପଡ଼ିଛି। ଏହି ଅଫିସରମାନଙ୍କୁ ଦୁହାଁଳିଆ ବିଭାଗ ନ୍ୟସ୍ତ ହୋଇଛି। ସେଠାରେ ସମ୍ପୃକ୍ତ ଅଫିସରମାନେ ନିଜକୁ ସୁପର ମିନିଷ୍ଟର ମନେ କରି ମନମୁଖୀ କାର୍ଯ୍ୟ କରୁଥିଲେ ମଧ୍ୟ ତୃତୀୟ ମହଲା ଭୟରେ କେହି ମୁହଁ ଖୋଲିପାରୁନାହାନ୍ତି।

ଉଦାହରଣ ସ୍ୱରୂପ, ସଞ୍ଜିବ ଚୋପ୍ରା ଏବେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ଥିବାବେଳେ ସେ ଅତିରିକ୍ତ ଭାବେ ଓଡ଼ିଶା ଖଣି ନିଗମର ଅଧ୍ୟକ୍ଷ ଦାୟିତ୍ୱ ତୁଲାଉଛନ୍ତି। ସେହିପରି ଅନୁ ଗର୍ଗ ଏବେ ଶ୍ରମ ଓ ନିଯୁକ୍ତି ବିଭାଗର ପ୍ରମୁଖ ସଚିବ ସହ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି। ଜି.ଭି.ମାଥିଭାଥାନନ୍ ଦୀର୍ଘବର୍ଷ ଧରି ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଥିବାବେଳେ ଅତିରିକ୍ତ ଭାବେ ସଂସଦୀୟ ବ୍ୟାପାର ବିଭାଗର ସଚିବ ଦାୟିତ୍ୱରେ ଅଛନ୍ତି।

ସେହିପରି ହେମନ୍ତ ଶର୍ମା ଏବେ ଦୁଇଟି ଦୁହାଁଳିଆ ସଂସ୍ଥା ଗ୍ରୀଡକୋ ଓ ଓପିଟିସିଏଲ ସିଏମଡି ଅଛନ୍ତି। ସେ ଅତିରିକ୍ତ ଭାବେ ଶକ୍ତି ବିଭାଗର ସଚିବ ଦାୟିତ୍ୱ ତୁଲାଉଛନ୍ତି। କ୍ରୀଡ଼ା ଓ ଯୁବବ୍ୟାପାର ସଚିବ ବିଶାଳ ଦେବ ଏବେ ଅତିରିକ୍ତ ଭାବେ ପର୍ଯ୍ୟଟନ ବିଭାଗର ସଚିବ ଓ ଓଡ଼ିଶା ଜଳବିଦ୍ୟୁତ ନିଗମର ଅଧ୍ୟକ୍ଷ ଅଛନ୍ତି। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସଚିବ ସଞ୍ଜୟ ସିଂହ ଅତିରିକ୍ତ ଭାବେ ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ ଏବଂ ଦୁହାଁଳିଆ ଇଡକୋ ସିଏମଡି ଦାୟିତ୍ୱରେ ଅଛନ୍ତି। ସେହିପରି ସମବାୟ ବିଭାଗର ସଚିବ କ୍ରିଷନ କୁମାରଙ୍କୁ ଅତିରିକ୍ତ ଭାବେ ଦୁହାଁଳିଆ ପୂର୍ତ୍ତ ବିଭାଗର ସଚିବ ଦାୟିତ୍ୱ ନ୍ୟସ୍ତ ହୋଇଛି। ସେ ‘କାଳିଆ’ ଯୋଜନାର ମୁଖ୍ୟ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି। ସେହିପରି ଅବକାରୀ ସଚିବ ସୁଶୀଲ ଲୋହାନୀଙ୍କୁ ଦୁହାଁଳିଆ ଓଡ଼ିଶା ମଦ ନିଗମର ଅଧ୍ୟକ୍ଷ ଭାବେ ଅବସ୍ଥାପିତ କରାଯାଇଛି।

ଏମାନଙ୍କ ବ୍ୟତୀତ ୨ଜଣ ଓଡ଼ିଆ ଆଇଏଏସ୍ ସରକାରଙ୍କ ଶୁଭ ନଜରରେ ଅଛନ୍ତି- ଉନ୍ନୟନ କମିଶନର ଅସିତ କୁମାର ତ୍ରିପାଠୀଙ୍କୁ ଗୃହ ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି। ସେହିପରି ବାଣିଜ୍ୟକର କମିଶନର ବିଷ୍ଣୁପଦ ସେଠୀଙ୍କୁ ସ୍ୱତନ୍ତ୍ର ରିଲିଫ୍‌ କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos