ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗୀତା ସିଂହଦେଓ ସବୁଠୁ ଧନୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ୫ଟି ଲୋକସଭା ଓ ୩୫ ବିଧାନସଭା ଆସନ ପାଇଁ ମୋଟ ୨୭୯ଜଣ ପ୍ରାର୍ଥୀ ଆସନ୍ତା ୧୮ତାରିଖରେ ନିଜର ଭାଗ୍ୟ ପରୀକ୍ଷା କରିବେ। ତେବେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ରଣାଙ୍ଗନରେ ମୋଟ ୩୦ଜଣ ମହିଳା ପ୍ରାର୍ଥୀ ଥିବାବେଳେ ୯୧ଜଣ ଦାଗୀ ନେତା ଅଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକ ୬୩.୮୭କୋଟି ଟଙ୍କାର ସମ୍ପତ୍ତି ସହ ସର୍ବାଧିକ ଧନୀ ପ୍ରାର୍ଥୀ ହୋଇଥିବାବେଳେ ତାଙ୍କ ପଛକୁ ବିଜେପି ପ୍ରାର୍ଥୀ କନକବର୍ଦ୍ଧନ ସିଂହଦେଓ ଓ ତାଙ୍କ […]

naveen-patnik

naveen-patnik

Manoranjan Sial
  • Published: Monday, 15 April 2019
  • Updated: 15 April 2019, 08:21 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ୫ଟି ଲୋକସଭା ଓ ୩୫ ବିଧାନସଭା ଆସନ ପାଇଁ ମୋଟ ୨୭୯ଜଣ ପ୍ରାର୍ଥୀ ଆସନ୍ତା ୧୮ତାରିଖରେ ନିଜର ଭାଗ୍ୟ ପରୀକ୍ଷା କରିବେ। ତେବେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ରଣାଙ୍ଗନରେ ମୋଟ ୩୦ଜଣ ମହିଳା ପ୍ରାର୍ଥୀ ଥିବାବେଳେ ୯୧ଜଣ ଦାଗୀ ନେତା ଅଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକ ୬୩.୮୭କୋଟି ଟଙ୍କାର ସମ୍ପତ୍ତି ସହ ସର୍ବାଧିକ ଧନୀ ପ୍ରାର୍ଥୀ ହୋଇଥିବାବେଳେ ତାଙ୍କ ପଛକୁ ବିଜେପି ପ୍ରାର୍ଥୀ କନକବର୍ଦ୍ଧନ ସିଂହଦେଓ ଓ ତାଙ୍କ ପତ୍ନୀ ସଙ୍ଗୀତା ସିଂହଦେଓ(ଉଭୟଙ୍କର ସମ୍ପତ୍ତି ୩୭.୯୬କୋଟି ଟଙ୍କା ଲେଖାଏ) ଧନୀ ପ୍ରାର୍ଥୀ ରହିଛନ୍ତି। ନିର୍ବାଚନ ଆୟୋଗଙ୍କ ନିକଟରେ ପ୍ରାର୍ଥୀମାନେ ଦାଖଲ କରିଥିବା ସତ୍ୟପାଠକୁ ଆଧାର କରି ଓଡ଼ିଶା ଇଲେକ୍ସନ୍ ୱାଚ୍ ଓ ଆସୋସିଏସନ୍ ଫର ଡେମୋକ୍ରାଟିକ୍ ରିଫର୍ମ(ଏଡିଆର) ପ୍ରାର୍ଥୀଙ୍କ ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ଜାରି କରିଛି। ସେଥିରେ ପ୍ରାର୍ଥୀଙ୍କ ଅପରାଧିକ ପୃଷ୍ଠଭୂମି, ଶିକ୍ଷାଗତ ଯୋଗ୍ୟତା, ଆର୍ଥିକ ସ୍ଥିତି, ଲିଙ୍ଗ ଓ ଅନ୍ୟାନ୍ୟ ଦିଗ ସମ୍ପର୍କରେ ଉଲ୍ଲେଖ କରାଯାଇଛି।

ରିପୋର୍ଟ ଅନୁସାରେ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ୨୪୪ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୨୪୧ଜଣଙ୍କ ସତ୍ୟପାଠକୁ ବିଶ୍ଲେଷଣ କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ବରଗଡ଼, ସୁନ୍ଦରଗଡ଼,ବଲାଙ୍ଗିର,କନ୍ଧମାଳ ଓ ଆସିକା ଲୋକସଭା ଓ ଏହା ଅନ୍ତର୍ଗତ ବିଧାନସଭା ଆସନରେ ଭୋଟଗ୍ରହଣ ହେବ । ଏହି ବିଧାନସଭା ଆସନ ପାଇଁ ଦାଖଲ କରିଥିବା ୨୪୪ ପ୍ରାର୍ଥୀଙ୍କ ମଧ୍ୟରୁ ୮୪ଜଣ ପ୍ରାର୍ଥୀ(୩୫%) ନିଜ ସତ୍ୟପାଠରେ ନିଜର ଅପରାଧିକ ମାମଲା ଉଲ୍ଲେଖ କରିଛନ୍ତି । ଏଥିରୁ ୬୮ଜଣ(୨୮%) ପ୍ରାର୍ଥୀଙ୍କ ନାଁରେ ସଙ୍ଗୀନ ଅପରାଧିକ ମାମଲା ରହିଛି। ଏଥିରେ ବିଜେପିର ୨୧ଜଣ ପ୍ରାର୍ଥୀ ଦାଗୀ ହୋଇଥିବାବେଳେ ଏଥିର ୧୮ଜଣଙ୍କ ନାଁରେ ସଙ୍ଗୀନ ମାମଲା ରହିଛି । ସେହିପରି ବିଜେଡିର ୧୩ଜଣ ପ୍ରାର୍ଥୀ ଦାଗୀ ହୋଇଥିବାବେଳେ ୧୧ଜଣଙ୍କ ନାଁରେ ସଙ୍ଗୀନ ମାମଲା ଓ କଂଗ୍ରେସର ୧୭ଜଣଙ୍କ ମଧ୍ୟରୁ ୧୦ଜଣଙ୍କ ନାଁରେ ସଙ୍ଗୀନ ମାମଲା ଅଛି। ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ରମେଶ ଚନ୍ଦ୍ର ଜେନା(ସାନଖେମୁଣ୍ଡି)ଙ୍କ ନାଁରେ ସର୍ବାଧିକ ୫୧ଟି ଅପରାଧିକ ମାମଲା, ମନୋଜ କୁମାର ଜେନା(ଆସିକା)ଙ୍କ ନାଁରେ ୧୦ଟି ମାମଲା ଓ ସ୍ୱାଧୀନ ପ୍ରାର୍ଥୀ ଜନାର୍ଦ୍ଦନ ଦେହୁରୀ (ବଣାଇ)ଙ୍କ ନାଁରେ ୯ଟି ମାମଲା ରହିଛି।

ସେହିପରି ୭୦ଜଣ ବିଧାୟକ ପ୍ରାର୍ଥୀ ଓ ୧୧ଜଣ ଲୋକସଭା ପ୍ରାର୍ଥୀଙ୍କ ସମ୍ପତ୍ତି ପରିମାଣ କୋଟିଏରୁ ଅଧିକ ହୋଇଥିବାବେଳେ ବିଜେଡି ପ୍ରାର୍ଥୀ ନବୀନ ପଟ୍ଟନାୟକ ୬୩.୮୭କୋଟି ଟଙ୍କାର ସମ୍ପତ୍ତି ସହ ସବୁଠୁ ଧନୀ ପ୍ରାର୍ଥୀ ପାଲଟିଛନ୍ତି। ବିଜେପିର କନକବର୍ଦ୍ଧନ ସିଂହଦେଓ ୩୭.୯୬କୋଟି ଟଙ୍କା ଓ ବିଜେଡିର ନବକିଶୋର ଦାସ ୩୩.୬୨ କୋଟି ଟଙ୍କାର ସମ୍ପତ୍ତି ସହ ସବୁଠୁ ଧନୀ ପ୍ରାର୍ଥୀ ତାଲିକାରେ ରହିଛନ୍ତି। ବିଜେଡିର ସର୍ବାଧିକ ୬୦ ପ୍ରତିଶତ ପ୍ରାର୍ଥୀ କୋଟିପତି ତାଲିକାରେ ଅଛନ୍ତି। ସେହିପରି ଲୋକସଭା ନିର୍ବାଚନରେ ବିଜେପିର ସଙ୍ଗୀତା ସିଂହଦେଓ(ବଲାଙ୍ଗୀର) ୩୭.୯୬କୋଟି ଟଙ୍କାର ସମ୍ପତ୍ତି ସହ ସବୁଠୁ ଧନୀ ପ୍ରାର୍ଥୀ ହୋଇଥିବାବେଳେ ବିଜେଡିର କଳିକେଶ ସିଂହଦେଓ(ବଲାଙ୍ଗିର) ୨୦.୪୯କୋଟି ଟଙ୍କା ସହ ଦ୍ୱିତୀୟ ଧନୀ ପ୍ରାର୍ଥୀ। ମଜାର କଥା ହେଉଛି, କନକବର୍ଦ୍ଧନ ଓ ତାଙ୍କ ପତ୍ନୀ ସଙ୍ଗୀତା ଉଭୟ ନିଜର ସମ୍ପତ୍ତି ୩୭.୯୬ କୋଟି ଟଙ୍କା(ସମାନ) ଲେଖାଏ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି।

ସେହିପରି ବିଧାନସଭାରେ ମୋଟ ୨୫ଜଣ ମହିଳା ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି। ୫ ଲୋକସଭା ଆସନରେ ମୋଟ ୩୫ଜଣ ପ୍ରାର୍ଥୀ ଥିବାବେଳେ ଏଥିରେ ୫ଜଣ ମହିଳା ଅଛନ୍ତି। ବିଜେଡିର ପ୍ରମିଳା ବିଶୋୟୀ(ଆସିକା) ଓ ସୁନୀତା ବିଶ୍ୱାଳ(ସୁନ୍ଦରଗଡ଼), ବିଜେପିର ସଙ୍ଗୀତା ସିଂହଦେଓ(ବଲାଙ୍ଗିର), ଅନୀତା ପ୍ରିୟଦର୍ଶିନୀ(ଆସିକା) ଓ ଅନ୍ୟଜଣେ ସ୍ୱାଧୀନ ପ୍ରାର୍ଥୀ ଜସପିନ୍ ଲାକ୍ରା(ସୁନ୍ଦରଗଡ଼) ରହିଛନ୍ତି।

ସେହିପରି ୨୪୪ଜଣ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ ୧୧୧ଜଣ ପ୍ରାର୍ଥୀ ନିଜର ଶିକ୍ଷାଗତ ଯୋଗ୍ୟତା ପଞ୍ଚମରୁ ଦ୍ୱାଦଶ ଶ୍ରେଣୀ, ୧୨୧ଜଣ ପ୍ରାର୍ଥୀ ଗ୍ରାଜୁଏଟ ବା ତଦୁଦ୍ଧ୍ୱର୍, ୪ଜଣ ସାମାନ୍ୟ ସାକ୍ଷର ଓ ଜଣେ ପ୍ରାର୍ଥୀ ନିଜର ଶିକ୍ଷାଗତ ଯୋଗ୍ୟତା ଉଲ୍ଲେଖ କରିନଥିବା ଜଣାପଡ଼ିଛି । ବିଧାନସଭାରେ ଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୫୭ଜଣଙ୍କର ବୟସ ୨୫ରୁ ୪୦ବର୍ଷ ମଧ୍ୟରେ ହୋଇଥିବାବେଳେ ୧୪୭ଜଣଙ୍କ ବୟସ ୪୧ରୁ ୬୦ବର୍ଷ ମଧ୍ୟରେ ଓ ୩୧ଜଣଙ୍କର ବୟସ ୬୧ରୁ ୭୦ବର୍ଷ ମଧ୍ୟରେ ବୋଲି ଜଣାପଡ଼ିଛି।

ସେହିପରି ଲୋକସଭାରେ ମୋଟ ୩୫ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୭ଜଣ ନିଜର ଅପରାଧିକ ମାମଲା ସମ୍ପର୍କରେ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ସେଥିରୁ ୫ଜଣଙ୍କ ବିରୁଦ୍ଧରେ ସଙ୍ଗୀନ ମାମଲା ରହିଛି। ଏହି ୫ଜଣଙ୍କ ମଧ୍ୟରେ ୨ଜଣ ଲେଖାଏ କଂଗ୍ରେସ ଓ ସ୍ୱାଧୀନ ପ୍ରାର୍ଥୀ ହୋଇଥିବାବେଳେ ଜଣେ ସିପିଆଇ ପ୍ରାର୍ଥୀ। ବିଧାନସଭା ମଇଦାନରେ ଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୧୯ଜଣ ନିଜର ପ୍ୟାନ୍ ନମ୍ବର ଦାଖଲ କରିନାହାନ୍ତି ବୋଲି ରିପୋର୍ଟରୁ ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos