ନବୀନଙ୍କ ମହିଳା କାର୍ଡ: ମହତ୍ୱାକାଂକ୍ଷା ନା ଭୋଟ୍ ପଲିଟିକ୍ସ?

୨୨ଟି ରାଜନୀତିକ ଦଳକୁ ଭେଟିବ ବିଜେଡି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାକୁ ରାଜନୀତିକ ଗୋଟି ଚାଳନା କରିଛନ୍ତି। ଶେଷପର୍ଯ୍ୟନ୍ତ ନିଜକୁ ଓଡ଼ିଶା ରାଜନୀତି ମଧ୍ୟରେ ସୀମିତ ରଖିବେ ବୋଲି କହି ଆସୁଥିବା ନବୀନ ଏବେ ଜାତୀୟସ୍ତରରେ ନିଜର ଗୁରୁତ୍ୱ ବୃଦ୍ଧି ଓ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ଲକ୍ଷ୍ୟରେ ସଂସଦ ଓ ବିଧାନସଭା ନିର୍ବାଚନରେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ପ୍ରସଙ୍ଗକୁ ଜୋରଦାର ଢଙ୍ଗରେ ଉଠାଇବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି।

ବିଜେଡି ପ୍ରତିନିଧିମାନେ ଦେଶର ୨୨ଟି ରାଜନୀତିକ ଦଳକୁ ଭେଟି ମହିଳାଙ୍କ ସଂରକ୍ଷଣ ସପକ୍ଷରେ ସମର୍ଥନ ଯୋଗାଡ଼ କରିବା ନିମନ୍ତେ ନିଷ୍ପତ୍ତି ହୋଇଛି। ତେବେ ଉଭୟ ସଂସଦ ଓ ବିଧାନସଭା ନିର୍ବାଚନରେ ୩୩ ପ୍ରତିଶତ ମହିଳା ପ୍ରାର୍ଥୀତ୍ୱ ପ୍ରସଙ୍ଗରେ ଦୃଷ୍ଟାନ୍ତମୂଳକ ଘୋଷଣା କରିପାରିନଥିବା ବିଜେଡି କିଭଳି ଅନ୍ୟ ଦଳର ସହଯୋଗ ଲୋଡ଼ିବ ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସୂଚନା ଅନୁସାରେ ଆଜି ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡିର ଉପସଭାପତି ଓ ସାଧାରଣ ସମ୍ପାଦକମାନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ସଂସଦ ଓ ବିଧାନସଭାରେ ମହିଳାଙ୍କୁ ୩୩% ସଂରକ୍ଷଣ ଦେବା ସପକ୍ଷରେ ରାଜନୀତିକ ଦଳଗୁଡ଼ିକ ମଧ୍ୟରେ ସହମତି ସୃଷ୍ଟି କରିବା ନିମନ୍ତେ ବିଜେଡି ପଦକ୍ଷେପ ନେବ ବୋଲି ସହମତି ହୋଇଛି। ସଂସଦରେ ଅଟକି ରହିଥିବା ମହିଳା ବିଲକୁ ଆଇନରେ ପରିଣତ କରିବା ଦିଗରେ ବିଜେଡି ବିଭିନ୍ନ ରାଜନୀତିକ ଦଳ ମଧ୍ୟରେ ସହମତି ସୃଷ୍ଟି କରିବ।

ଏଥିପାଇଁ ବିଜେଡିର ପ୍ରତିନିଧିମାନେ ଦେଶର ୭ଟି ଜାତୀୟ ଦଳ ଓ ୧୫ଟି ଆଞ୍ଚଳିକ ଦଳର ମୁଖ୍ୟମାନଙ୍କୁ ଭେଟିବେ।ଏହାବ୍ୟତୀତ ଡିସେମ୍ବର ୧୧ରୁ ଆରମ୍ଭ ହେଉଥିବା ସଂସଦର ଶୀତ ଅଧିବେଶନରେ ଦଳର ସାଂସଦମାନେ ମହିଳା ସଂରକ୍ଷଣ ପ୍ରସଙ୍ଗ ଉଠାଇବେ।ବିଜେଡି ପକ୍ଷରୁ ଦଳର ପ୍ରତିନିଧିମାନେ ଏହି ମହିଳା ସଂରକ୍ଷଣ ପ୍ରସଙ୍ଗରେ ସମର୍ଥନ ସଂଗ୍ରହ ନିମନ୍ତେ କେଉଁ ଦଳକୁ ଭେଟିବେ ତା’ର ଏକ ତାଲିକା ପ୍ରସ୍ତୁତ ହୋଇଛି।

କଂଗ୍ରେସକୁ ସାଂସଦ ତଥାଗତ ଶତପଥୀ,ପିନାକୀ ମିଶ୍ର, ପ୍ରସନ୍ନ ପାଟ୍ଟଶାଣୀ ଓ ବେଦପ୍ରକାଶ ଅଗ୍ରୱାଲ, ବିଜେପିକୁ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ,ଭର୍ତ୍ତୃହରି ମହତାବ,ସରୋଜିନୀ ହେମ୍ବ୍ରମ ଓ ବେଦପ୍ରକାଶ ଅଗ୍ରୱାଲ,ଏନସିପିକୁ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ନେତୃତ୍ୱରେ ଅରୂପ ପଟ୍ଟନାୟକ ଓ ସାଂସଦ ଶକୁନ୍ତଳା ଲାଗୁରୀ, ବିଏସପିକୁ ମନ୍ତ୍ରୀ ଶଶିଭୂଷଣ ବେହେରା,ଏୟୁ ସିଂହଦେଓ ଓ ପ୍ରତ୍ୟୁଷା ରାଜେଶ୍ୱରୀ, ସିପିଆଇକୁ ସାଂସଦ କଳିକେଶ ସିଂହଦେଓ, କୁଳମଣୀ ସାମଲ ଓ ରୀତା ତରାଇ ଓ ତୃଣମୂଳ କଂଗ୍ରେସକୁ ଭେଟିବା ପାଇଁ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ, ଅନନ୍ତ ଦାସ ଓ ଅରବିନ୍ଦ ଢ଼ାଲିଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି ଆମ୍ ଆଦମୀ ପାର୍ଟି, ସମାଜବାଦୀ ପାର୍ଟି, ଏଆଇଡିଏମକେ, ଡିଏମକେ, ଆରଏଲଡି, ଜେଡିଏସ, ଜେଡିୟୁ, ଏନସି,ପିଡିପି, ଜେଏମଏମ, ଆରଜେଡି, ଅକାଳୀ ଦଳ, ଶିବସେନା, ଟିଡିପି, ଟିଆରଏସ ଆଦି ଦଳର ସୁପ୍ରିମୋଙ୍କୁ ଭେଟିବା ପାଇଁ ମଧ୍ୟ ଦଳର ବିଭିନ୍ନ ନେତାଙ୍କୁ ବିଜେଡି ଦାୟିତ୍ୱ ଦେଇଛି।

ବିଜେଡିର ଏଭଳି ଅଚାନକ ମହିଳା ସଂରକ୍ଷଣ ପ୍ରୀତିକୁ ନେଇ ରାଜନୀତିକ ବିଶ୍ଲେଷକମାନେ ଭିନ୍ନ ମତ ରଖିଛନ୍ତି। ୨୦୧୦ରୁ ଏପର୍ଯ୍ୟନ୍ତ ଶୋଇଥିବା ବିଜେଡି ନିଜେ ମହିଳାଙ୍କୁ ଉଭୟ ସଂସଦୀୟ ଓ ବିଧାନସଭା ନିର୍ବାଚନରେ ୩୩ ପ୍ରତିଶତ ପ୍ରାର୍ଥୀ ଦେଇ ପ୍ରଥମେ ଉଦାହରଣ ସୃଷ୍ଟି କରିଥିଲେ ତା’ର ଦାବି ବଳିଷ୍ଠ ହୋଇପାରିଥାନ୍ତା ବୋଲି ମତ ପ୍ରକାଶ ପାଇଛି। ବିଧାନସଭାରେ ଦଳର ସଂଖ୍ୟାଗରିଷ୍ଠତା ଥିବାରୁ ୩୩ ପ୍ରତିଶତ ମହିଳା ସଂରକ୍ଷଣ କଥା ଉଠାଇ ଏକ ସଂକଳ୍ପ ଗୃହୀତ କରାଇ ବିଜେଡି କେବଳ ମହିଳା ଭୋଟବ୍ୟାଙ୍କକୁ ହାତେଇବାକୁ ଉଦ୍ୟମ କରିଛି।

ସେହିପରି ମିଶନ ଶକ୍ତି ମାଧ୍ୟମରେ ଦଳ ଗଢ଼ିଥିବା ୬ଲକ୍ଷ ମହିଳା ଏସଏଚଜି ଗ୍ରୁପ୍ ଏବେ ବିଭିନ୍ନ କାରଣରୁ ଦଳର ହାତଛଡ଼ା ହେଉଥିବାରୁ ବିଜେଡି ଏବେ ମହିଳା ସଂରକ୍ଷଣ କାର୍ଡ ଖେଳିଛି । ମହାନଦୀ ଓ ଧାନର ଏମଏସପି ଭଳି ବିଧାନସଭାରେ ସଂକଳ୍ପ ଗୃହୀତ କରାଇ ଆଉ ଏକ ରାଜନୀତିକ ଡ୍ରାମା ସୃଷ୍ଟି କରିବାକୁ ରଣନୀତି କରିଛି ଦଳ। ରାଜନୀତିକ ବିଶ୍ଲେଷକଙ୍କ ମତରେ ବିଜେଡିର ସତସାହସ ଥିଲେ ଦଳର ସୁପ୍ରିମୋ ନିଜେ ଉଭୟ ଲୋକସଭା ଓ ବିଧାନସଭାରେ ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରିବେ ବୋଲି ଘୋଷଣା କରିପାରିଥାନ୍ତେ।ସେଭଳି ନକରି କେବଳ ରାଜନୀତିକ ହଟଚମଟ ସୃଷ୍ଟି ଓ ଜାତୀୟସ୍ତରରେ ଚର୍ଚ୍ଚାରେ ରହିବା ପାଇଁ ନିଜର ପ୍ରତିନିଧିଙ୍କୁ ୨୨ଟି ଦଳର ମୁଖିଆଙ୍କ ନିକଟକୁ ପଠାଇବାକୁ ନିଷ୍ପତ୍ତି ନେଇଛି। ଯାହାକି ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ବାସ୍ତବ କଥା ହେଲା, ରାଜ୍ୟରେ କ୍ଷମତା ଦଖଲ ପାଇଁ ରଣନୀତି ପ୍ରସ୍ତୁତ କରୁଥିବା ବିଜେପିର କେନ୍ଦ୍ରୀୟ ନେତୃତ୍ୱ ବିଜେଡି ସହ ଥିବା ଗୋପନ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପକାଇବା ପରେ ନବୀନ ଏବେ ବିଜେପି ଉପରେ ଚାପ ସୃଷ୍ଟି କରିବା ନିମନ୍ତେ ଏଭଳି ନୂଆ ନୂଆ ଭେଳିକି ଆପଣାଉଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ନବୀନ ନିଜେ ୩୩ ପ୍ରତିଶତ ମହିଳା ପ୍ରାର୍ଥୀ ଘୋଷଣା କରି ଏକ ଉଦାହରଣ ସୃଷ୍ଟି କଲେ ତାହା ଅନ୍ୟ ଦଳଗୁଡ଼ିକ ଉପରେ ପ୍ରକୃତରେ ଚାପ ସୃଷ୍ଟି କରିପାରନ୍ତା। କିନ୍ତୁ ଏପରି ହେଲେ ଦଳରେ ଭୟଙ୍କର ବିଦ୍ରୋହ ଦେଖା ଦେବାର ଶତପ୍ରତିଶତ ସମ୍ଭାବନା ରହୁଥିବାରୁ ନବୀନ ଓ ତାଙ୍କ ଉପଦେଷ୍ଟା ସାଧାରଣ ନିର୍ବାଚନ ପୂର୍ବରୁ ଏଭଳି ଅପଚେଷ୍ଟା କରିବେ ନାହିଁ ବୋଲି ଚର୍ଚ୍ଚା ହେଉଛି।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି-“ବିଜେଡି କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛି। ଗଲା ସାଢେ ୪ ବର୍ଷ ଭିତରେ ସଂସଦରେ କାହିଁକି ଏହି ପ୍ରସଙ୍ଗ ଉଠାଇନଥିଲେ।”

କଂଗ୍ରେସ ବିଧାୟକ ପ୍ରଫୁଲ୍ଲ ମାଝୀ କହିଛନ୍ତି-“ନବୀନଙ୍କ ଆନ୍ତରିକତା ରହିଛି। ହେଲେ ଏହା କେବଳ ନିର୍ବାଚନକୁ ଆଖି ଆଗରେ ରଖାଯାଇ କରାଯାଇଛି।

୧୯୯୬ ମସିହାରେ ପ୍ରଥମେ ଏଚ୍‌.ଡି ଦେବେଗୌଡ଼ା ମହିଳା ସଂରକ୍ଷଣ ବିଲ୍ ଲୋକସଭାରେ ଆଗତ କରିଥିଲେ। ଅନ୍ୟ ସମୟରେ ମଧ୍ୟ ଏହି ବିଲ୍ ସଂସଦରେ ଆସିଥିବା ବେଳେ ରାଜ୍ୟସଭାରେ ୨୦୧୦ରେ ପାରିତ ହୋଇଥିଲା। ତେବେ ଲୋକସଭାକୁ ଆସିପାରିନଥିଲା।