ରେଢାଖୋଲ(ରମାକାନ୍ତ ମହାନନ୍ଦ): ଦିନେ ଘଞ୍ଚ ଜଙ୍ଗଲ ଭିତରେ ରକ୍ତର ହୋଲି ଖେଳୁଥିଲେ। ହାତରେ ବନ୍ଧୁକ, ଲ୍ୟାଣ୍ଡ ମାଇନ୍ ଧରି ବୁଲୁଥିଲେ। ଆଉ ନକ୍ସଲ ସଙ୍ଗଠନ ମୁଖ୍ୟଙ୍କ ନିର୍ଦ୍ଦେଶରେ ମୈଦାନକୁ ଲମ୍ଫ ମାରୁଥିଲେ। ହେଲେ ସମୟ ଓ ପରିସ୍ଥିତି ବଦଳାଇ ଦେଇଛି ନକ୍ସଲ ଦମ୍ପତିଙ୍କ ଜୀବନର ପଥ। ଦିନେ ଯେଉଁ ହାତରେ ବନ୍ଧୁକ ଓ ଲ୍ୟାଣ୍ଡମାଇନ୍ ଧରୁଥିଲେ ଆଜି ସେହି ହାତରେ ଜାଲି ଚଟୁ ଧରି ତିଆରି କରୁଛନ୍ତି ବରା, ପିଆଜି, କାକରା, ସିଙ୍ଗଡା...। ଆଉ ଅତି ନମ୍ର କଣ୍ଠରେ କହୁଛନ୍ତି କଣ ନେବେ...।
ପୂରା ଘଟଣା ଏମିତି। ସମ୍ୱଲପୁର ଜିଲ୍ଲା ଯୁଯୁମୁରା ଥାନା ମେଘପାଳ ପଞ୍ଚାୟତ ଟାମ୍ପରସିହା ଗାଁର ଟପୋପଡାର ଅମର ମିର୍ଦ୍ଦା। ନକ୍ସଲଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ୨୦୦୨ ମସିହାରେ ସମ୍ୱଲପୁର-ଦେବଗଡ-ସୁନ୍ଦରଗଡ ଡିଭିଜନରେ ସାମିଲ ହୋଇଥିଲେ। ତାଲିମ୍ ନେବା ପରେ ନକ୍ସଲଙ୍କ ବିଭିନ୍ନ ଅପରେଶନରେ ସାମିଲ ହୋଇଥିଲେ। ସେଇଠି ତାଙ୍କର ଦେଖା ହୋଇଥିଲା ଆରତୀ ମର୍ଦ୍ଦାଙ୍କ ସହ। ଉଭୟ ରକ୍ତର ହୋଲି ଖେଳୁଥିଲେ। ହେଲେ କେଉଁଠି ନା କେଉଁଠି ପରସ୍ପର ହୃଦୟରେ ସୃଷ୍ଟି ହୋଇଥିଲା ଦୁର୍ବଳତା। ଆଉ ପରସ୍ପରକୁ ଦେଇ ବସିଥିଲେ ମନ। ହେଲେ କହିପାରୁନଥିଲେ। କାରଣ ମନ ଭିତରେ ସଙ୍ଗଠନର ଭୟ ଥିଲା। ପ୍ରେମ କ’ଣ ମାନେ ଭୟ? ଘଞ୍ଚ ଜଙ୍ଗଲ ଭିତରେ ରାତିର ଅନ୍ଧକାରରେ ଉଭୟ ଏକାଠୀ ହେବାକୁ ସ୍ଥିର କରିଥିଲେ। ଆଉ ଭଲ ପାଇ ବାହାହେବା ପାଇଁ ନିଷ୍ପତ୍ତି ନେଇଥିଲେ।
[caption id="attachment_746064" align="aligncenter" width="650"]
ଅମର ଓ ଆରତୀଙ୍କ ପ୍ରେମ କାହାଣୀ ସଙ୍ଗଠନ ଭିତରେ ଗୁଞ୍ଜରିତ ହୋଇଥିଲା। କଥା ଯାଇ ପହଞ୍ଚିଲା ସଙ୍ଗଠନ ମୁଖ୍ୟଙ୍କ କାନରେ। ପରେ ଉଭରଙ୍କ ବିବାହ କରାଯାଇଥିଲା। ବିବାହ ପରେ ଉଭୟ ସଙ୍ଗଠନଠାରୁ ଦୂରେଇବାକୁ ଚେଷ୍ଟା କରିଥିଲେ। ଚାଲି ଯାଇଥିଲେ ଝାରଖଣ୍ଡ। ସେଠାରେ ସ୍ୱାମୀ-ସ୍ତ୍ରୀ ଆତ୍ମଗୋପନ କରିଥିଲେ। ୨୦୦୮ ମସିହାରେ ଅମର ବାପା ହୋଇଥିଲେ। ୨୦୦୯ ମସିହା ଆରତୀ ଦ୍ୱିତୀୟ ସନ୍ତାନ ଜନ୍ମ ଦେଇଥିଲେ। ଦୁଇ ପୁଅଙ୍କ ଜନ୍ମ ପରେ ବେଶ୍ ଖୁସିରେ ରହୁଥିଲେ ଅମର ଓ ଆରତୀ। ହେଲେ ମନ ଭିତରେ ନକ୍ସଲ ସଙ୍ଗଠନ ଓ ପୁଲିସ୍ ପ୍ରତି ଭୟ ରହୁଥିଲା।
ମୂଲ ମଜୁରୀରୁ ସଞ୍ଚୟ କରିଥିବା କିଛି ପଇସା ଖର୍ଚ୍ଚ କରି ଅମର ଓ ଆରତୀ ଗୋଟିଏ ଜଳଖିଆ ଦୋକାନ ଆରମ୍ଭ କଲେ। ସେଠାରେ ସକାଳେ ଓ ସଞ୍ଜ ବେଳେ ତିଆରି କରୁଛନ୍ତି ବିରି ବରା, ବଡ଼ା, ପିଆଜି, ସିଙ୍ଗଡ଼ା, ଗୁପ୍ଚୁପ୍, ଆଳୁ ଚପ୍, ପକୋଡି, ଗୁଗୁନି ଇତ୍ୟାଦି ପ୍ରସ୍ତୁତ କରି ବିକ୍ରି କରୁଛନ୍ତି। ଅମରଙ୍କୁ କାମରେ ସହଯୋଗ କରୁଛନ୍ତି ତାଙ୍କ ପତ୍ନୀ ଆରତୀ। ଜଳଖିଆ ଦୋକାନ ଭଲ ଚାଲିଥିବାରୁ ବେଶ୍ ଖୁସିରେ ଅଛନ୍ତି ଦମ୍ପତି।
ଅମର କହିଛନ୍ତି, “ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଥିବାରୁ ଆମକୁ ଛାଡ଼ି ଦେବାର ଥିଲା। ହେଲେ ପୁଲିସ ଆମକୁ ଜେଲ୍ ପଠାଇ ଦେଲା। ସେଠାରେ ତିନି ବର୍ଷ ଧରି ରହୁଲୁ। ଆତ୍ମସମର୍ପଣ ସମୟରେ ମିଳିଥିବା ପ୍ରାୟ ଲକ୍ଷେ ଟଙ୍କା ଜେଲ୍ରୁ ବାହାରିବା ପାଇଁ ମାମଲା ଲଢ଼ି ଲଢ଼ି ଖର୍ଚ୍ଚ ହୋଇଗଲା। ଜେଲ୍ରୁ ବାହାରିବା ପରେ ଆମ ଅବସ୍ଥା ଆହୁରି ଦୟନୀୟ ହୋଇଯାଇଥିଲା। କୁଲି ମଜୁରୀ କରି କିଛି ପଇସା ସଞ୍ଚୟ କରି ଗୋଟିଏ ହୋଟେଲ୍ କରିଛି। ସେଇଥିରୁ ଯାହା ଉପାର୍ଜନ ହେଉଛି, ସେଥିରେ ଆମେ ଚଳୁଛୁ।”