ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିକ୍ଷୟିତ୍ରୀ ମମିତା ମେହେର ନିର୍ମମ ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବି ସପକ୍ଷରେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମା ମତ ଦେଇଛନ୍ତି । ମମିତା ମେହେର ହତ୍ୟାରେ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଦାବି କରି ଉଭୟ କଂଗ୍ରେସ ଓ ବିଜେପି ପକ୍ଷରୁ ଗତ ଦୁଇ ଦିନ ତଳେ ତଥ୍ୟପ୍ରମାଣ ଉପସ୍ଥାପନ କରାଯିବା ପରେ ମହିଳା କମିଶନ ଅଧ୍ୟକ୍ଷା ଆଜି ଓଡ଼ିଶା ଗସ୍ତରେ ଆସି ପୁଲିସ ଡିଜି ସୁନୀଲ କୁମାର ବନସଲଙ୍କୁ ଭେଟି ଏହି ଘଟଣାର ସିବିଆଇ ତଦନ୍ତ ନିମନ୍ତେ ସୁପାରିଶ କରିବାକୁ ପରାମର୍ଶ ଦେଇଛନ୍ତି ।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରେଖା ଶର୍ମା କହିଛନ୍ତି ଯେ, ମମିତା ମେହେର ହତ୍ୟା ମାମଲାରେ ପ୍ରକୃତ ତଥ୍ୟ ଲୋକଲୋଚନକୁ ଆସିବା ଦରକାର । କେତେକ ପ୍ରସଙ୍ଗ ଏବେବି ଅସ୍ପଷ୍ଟ ରହିଛି । ତେଣୁ ସିବିଆଇ ତଦନ୍ତ କରାଗଲେ ସବୁ ତଥ୍ୟ ପଦାକୁ ଆସିପାରିବ । ଏଥିପାଇଁ ମମିତା ମେହେର ହତ୍ୟାର ତଦନ୍ତ ସିବିଆଇ ଦ୍ୱାରା କରାଇବା ନିମନ୍ତେ ରାଜ୍ୟ ସରକାରଙ୍କୁ ପୁଲିସ ଡିଜି ସୁପାରିଶ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ସିବିଆଇ ତଦନ୍ତରେ ନୂଆ ତଥ୍ୟପ୍ରମାଣ ପଦାକୁ ଆସିବ ଓ କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯାଇ ଦୋଷୀଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରାଯାଇପାରିବ । ପୁଲିସ ଦ୍ୱାରା ଦାଖଲ ହୋଇଥିବା ଚାର୍ଜସିଟକୁ ପୁଣିଥରେ ଅନୁଧ୍ୟାନ କରାଯିବାର ଆବଶ୍ୟକତା ରହିଛି । ଏହି ମାମଲା ସିବିଆଇକୁ ହସ୍ତାନ୍ତର କରାଯିବା ଉଚିତ୍ । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଅଭିଯୋଗ ଉପରେ ପ୍ରତିକ୍ରିୟା ଦେଇ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମା କହିଛନ୍ତି ଯେ, ପୁଲିସ ଦ୍ୱାରା ଦାଖଲ କରାଯାଇଥିବା ଚାର୍ଜସିଟରେ ମନ୍ତ୍ରୀଙ୍କ ନାଁ ସାମିଲ ନାହିଁ । ଏହି ମାମଲାରେ ମନ୍ତ୍ରୀଙ୍କୁ ଜେରା କରାଯିବାର ଆବଶ୍ୟକତା ଅଛି । ତେବେ ମନ୍ତ୍ରୀଙ୍କୁ ଜେରା ହୋଇଛି କି ନାହିଁ ସେ ନେଇ ପୁଲିସ ଡିଜିଙ୍କ ପାଖରେ କୌଣସି ତଥ୍ୟ ନାହିଁ ବୋଲି ରେଖା କହିଛନ୍ତି ।
ସୂଚନାଯୋଗ୍ୟ, ମମିତ ମେହେର ହତ୍ୟା ମାମଲାରେ ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ପୁଲିସ ଗତ ଶୁକ୍ରବାର ଦିନ ବଙ୍ଗମୁଣ୍ଡା ଜେଏମଏଫସି କୋର୍ଟରେ ୨ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି । ଚାର୍ଜସିଟରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ଡ୍ରାଇଭର ରାଧେ ନାଁ ଉଲ୍ଲେଖ ଅଛି । ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ଗତବର୍ଷ ଅକ୍ଟୋବର ୮ତାରିଖରେ ହତ୍ୟା କରାଯାଇଥିଲା । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ରାଜ୍ୟର ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଘନିଷ୍ଠ ସହଯୋଗୀ ଭାବେ ପରିଚିତ ଥିଲା ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।