ପଞ୍ଚାୟତ ଭୋଟ୍ ଥୋପ: ବଦଳିବ ଗାଇଡ୍‌ଲାଇନ୍‌, ଏଣିକି ନୂଆ-ପୁରୁଣା ସବୁ ଗାଁ ରାସ୍ତାର ହେବ ଉନ୍ନତିକରଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗ୍ରାମାଂଚଳ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏବେ ‘ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା’ର ଗାଇଡଲାଇନରେ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନେଇଛନ୍ତି। ଅର୍ଥ ବିଭାଗର ଅନୁମତି ମିଳିବା ପରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ସଂଶୋଧିତ ଗାଇଡଲାଇନ ସହ ୩ବର୍ଷରେ ୧୮୦୦କୋଟି ଟଙ୍କା ଖର୍ଚ୍ଚ ନିମନ୍ତେ ଅନୁମତି ମିଳିବ । ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ସର୍ତ୍ତାବଳୀକୁ ସରକାର ଅନେକାଂଶରେ କୋହଳ କରି ଗାଁ ଗହଳିର ସମସ୍ତ ପ୍ରମୁଖ ରାସ୍ତାଗୁଡ଼ିକର ନବୀକରଣ, […]

Road

Road

Ordigital Desk
  • Published: Sunday, 22 August 2021
  • Updated: 23 August 2021, 07:59 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗ୍ରାମାଂଚଳ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏବେ ‘ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା’ର ଗାଇଡଲାଇନରେ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନେଇଛନ୍ତି। ଅର୍ଥ ବିଭାଗର ଅନୁମତି ମିଳିବା ପରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ସଂଶୋଧିତ ଗାଇଡଲାଇନ ସହ ୩ବର୍ଷରେ ୧୮୦୦କୋଟି ଟଙ୍କା ଖର୍ଚ୍ଚ ନିମନ୍ତେ ଅନୁମତି ମିଳିବ । ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ସର୍ତ୍ତାବଳୀକୁ ସରକାର ଅନେକାଂଶରେ କୋହଳ କରି ଗାଁ ଗହଳିର ସମସ୍ତ ପ୍ରମୁଖ ରାସ୍ତାଗୁଡ଼ିକର ନବୀକରଣ, ମରାମତି, ପୁନରୁଦ୍ଧାର, ସମ୍ପ୍ରସାରଣ ଆଦି କାର୍ଯ୍ୟକୁ ସହଜ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଅର୍ଥ ବିଭାଗର ଅନୁମୋଦନ ପରେ ୨୦୨୧-୨୨ ଅତିରିକ୍ତ ବଜେଟରେ ରାଜ୍ୟ ସରକାର ଏହି ୧୮୦୦କୋଟି ଟଙ୍କା ବ୍ୟୟ ସମ୍ପର୍କରେ ଘୋଷଣା କରିବେ ବୋଲି ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ସରକାର ଏବେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ଗାଇଡଲାଇନରେ ପରିବର୍ତ୍ତନ କରି ଏହାକୁ ଅଧିକ କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯେଉଁସବୁ ରାସ୍ତା ‘ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା’ରେ ସାମିଲ(ଜନସଂଖ୍ୟା ଓ ଅନ୍ୟାନ୍ୟ ମାନଦଣ୍ଡ) ପାଇଁ ଯୋଗ୍ୟ ହେଉନଥିଲା, ସେଠାରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ସବୁଦିନିଆ ନୂଆ ରାସ୍ତା ନିର୍ମାଣ କରାଯାଉଥିଲା। ୨୦୧୪-୧୫ ଆର୍ଥିକ ବର୍ଷରୁ ରାଜ୍ୟ ସରକାର ଏହି ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ସବୁଦିନିଆ ରାସ୍ତା ନିର୍ମାଣ କରୁଛନ୍ତି । ମାତ୍ର ଏବେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ସଂଶୋଧିତ ଗାଇଡଲାଇନ ଅନୁସାରେ, ନିକଟସ୍ଥ ପଂଚାୟତ ମୁଖ୍ୟାଳୟ, ହସ୍ପିଟାଲ, ବ୍ଲକ କାର୍ଯ୍ୟାଳୟ, ବଜାର,ସ୍କୁଲ, କଲେଜ ଆଦି ସମେତ ଆର୍ଥିକ ଗତିବିଧିର ବିକାଶ ପାଇଁ ସବୁଦିନିଆ ରାସ୍ତା ନିର୍ମାଣ କରାଯାଇପାରିବ ।

ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ସମସ୍ତ ନିୟମକୁ କୋହଳ କରାଯିବା ସହ ପୁରୁଣା ରାସ୍ତାକୁ ଅଧିକ ଚଉଡ଼ା ଓ ସୁଦୃଢ଼ କରିବା, ପୁରୁଣା ପିଚୁ ଓ କଂକ୍ରିଟ୍ ରାସ୍ତାର ମରାମତି, ରାସ୍ତାଗୁଡ଼ିକ ୫.୫ମିଟରରୁ ୯ମିଟର ପର୍ଯ୍ୟନ୍ତ ସମ୍ପ୍ରସାରିତ ହେବ । ଆବଶ୍ୟକ ପଡ଼ିଲେ ରାସ୍ତା ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ହେବ ଓ ଏହି ଜମି ଗ୍ରାମ୍ୟ ଉନ୍ନୟନ ବିଭାଗ ନାଁରେ କିଣାଯିବ । ପ୍ରସ୍ତାବିତ ସଂଶୋଧିତ ଗାଇଡଲାଇନରେ ଏଣିକି ଗ୍ରାମାଂଚଳରେ ନୂଆ ରାସ୍ତାର ନିର୍ମାଣ ସହ ପୁରୁଣା ରାସ୍ତାର ମରାମତି, ଉନ୍ନତିକରଣ ଓ ଚଉଡ଼ା ଆଦି କାର୍ଯ୍ୟ ‘ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା’ରେ ହୋଇପାରିବ । ପୂର୍ବରୁ ଏହି ଯୋଜନାରେ କେବଳ ନୂଆ ରାସ୍ତା ନିର୍ମାଣ କରାଯିବାର ପ୍ରାବଧାନ ଥିବାବେଳେ ସରକାର ଏହାର ସର୍ତ୍ତାବଳୀକୁ କୋହଳ କରି ଆଗାମୀ ୨୦୨୪ ମାର୍ଚ୍ଚ ମାସ ମଧ୍ୟରେ ପ୍ରାୟ ୧୮୦୦କୋଟି ଟଙ୍କା ଏହି ସଡ଼କ ନିର୍ମାଣ ପାଇଁ ଖର୍ଚ୍ଚ କରିବେ ବୋଲି ଜଣାପଡ଼ିଛି ।

ଏହି ଅର୍ଥରେ ମୋଟ ୩୫୭ଟି ଗ୍ରାମ୍ୟ ରାସ୍ତାର ନବୀକରଣ, ଉନ୍ନତିକରଣ ଓ ନୂଆ ରାସ୍ତା ନିର୍ମାଣ କରାଯିବ । ଏହାବାଦ୍ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ମଧ୍ୟ ଅନ୍ୟ କେଉଁ ରାସ୍ତାକୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରାଯିବ ସେଥିପାଇଁ ସୁପାରିଶ କରିପାରିବେ । ଯାହାକୁ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଅନୁମୋଦନ କମିଟି ମଞ୍ଜୁରୀ ପ୍ରଦାନ କରିବେ ।

ସୂଚନାଯୋଗ୍ୟ,ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ପାଇଁ କେନ୍ଦ୍ର ସରକାରଙ୍କ ସର୍ତ୍ତାବଳୀ ଓଡ଼ିଶାର ଅନେକ ଗାଁକୁ ରାସ୍ତା ନିର୍ମାଣରେ ବାଧକ ସାଜିବାରୁ ଓଡ଼ିଶା ସରକାର ନିଜସ୍ୱ ପାଣ୍ଠିରୁ ୨୦୧୪-୧୫ରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା କାର୍ଯ୍ୟକାରୀ କରିଥିଲେ । କିନ୍ତୁ ୨୦୨୦-୨୧ ଆର୍ଥିକ ବର୍ଷରେ ଏହି ଯୋଜନା ପାଇଁ ଟଙ୍କାଟିଏ ମଧ୍ୟ ବ୍ୟୟବରାଦ କରିନଥିଲେ । ଅବଶ୍ୟ ୨୦୨୧-୨୨ରେ ୩୦୦କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ଓ ଅର୍ଥ ବିଭାଗ ୨୦୨୧ ଏପ୍ରିଲରୁ ୨୦୨୪ ମାର୍ଚ୍ଚ ୩୦ତାରିଖ ମଧ୍ୟରେ ଆଉ ୨ହଜାର କୋଟି ଟଙ୍କା ଏହି ଯୋଜନାରେ ଖର୍ଚ୍ଚ ନିମନ୍ତେ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ମୌଖିକ ଅନୁମତି ଦେଇଥିବା ଜଣାପଡ଼ିଛି ।

ଆଗକୁ ପଂଚାୟତ ନିର୍ବାଚନ ଥିବାବେଳେ ଆସନ୍ତା ଅତିରିକ୍ତ ବଜେଟରେ ଏହି ଯୋଜନାକୁ ବିଜେଡି ସରକାର ନିଜର ଭୋଟ ବୃଦ୍ଧି ପାଇଁ ବହୁଳ ପ୍ରଚାର କରିବାର ସମ୍ଭାବନା ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos