ପୁରୀ: ଶ୍ରୀକ୍ଷେତ୍ରରେ ରଥଯାତ୍ରା ଆୟୋଜନ ନେଇ ପୁଣି ନୂଆ ସଙ୍କେତ ମିଳିଛି। ଆଗାମୀ ରଥଯାତ୍ରା ପାଇଁ ଉଭୟ ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିର ଚାରିପାଖେ ଅସ୍ଥାୟୀ ଭାବେ ସିସିଟିଭି କ୍ୟାମେରା ଲଗାଇବାକୁ ଶ୍ରୀମନ୍ଦିର ପ୍ରଶାସନ ଟେଣ୍ଡର ଆହ୍ୱାନ କରିଛି। ଯାହାକି ରଥଯାତ୍ରା ଆୟୋଜନ ହେଉଥିବା ନେଇ ସ୍ପଷ୍ଟ ସଙ୍କେତ ଦେଉଛି।
ପୂର୍ବରୁ ସିସିଟିଭି ଲଗାଯିବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଥିଲେ। ଆଉ ଏବେ ବିଜ୍ଞାପନ ଜରିଆରେ ଟେଣ୍ଡର ଡକାଯାଇଛି। କେବଳ ରଥଯାତ୍ରା ସମୟ ପାଇଁ ଏହି ସିସିଟିଭି ବ୍ୟବସ୍ଥାର ଆୟୋଜନ କରାଯାଉଥିବାରୁ ରଥଯାତ୍ରା ସମ୍ଭାବନା ଅଧିକ ଦୃଢ଼ୀଭୂତ ହୋଇଛି।
ସେପଟେ କରୋନା ସ୍ଥିତି ଯୋଗୁଁ ପୁରୀ ରଥଯାତ୍ରା ହେବ କି ନାହିଁ, ତାର କଳ୍ପନା ଜଳ୍ପନା ଚାଲିଥିବା ବେଳେ ବିନା ଭକ୍ତରେ ମଧ୍ୟ ରଥଯାତ୍ରା ସମ୍ଭବ ବୋଲି କହିଛନ୍ତି ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର। ସେ କହିଛନ୍ତି, ରଥଯାତ୍ରା ହେବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ତେଣିକି ତାହା ଭକ୍ତଙ୍କ ବିନା ମଧ୍ୟ ହୋଇପାରିବ।
ରଥଯାତ୍ରା ପୂର୍ବରୁ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ପାଇଁ ସବୁ ରୀତିନୀତି ସୁରୁଖୁରୁ କରିବାକୁ ପ୍ରସ୍ତୁତି ଚାଲିଥିବା ସେ କହିଛନ୍ତି। ନୀତି ତ୍ୱରାନ୍ୱିତ ପାଇଁ ଭୋର ୪ଟାରେ ପହଣ୍ଡି, ଦିନ ୧୧ଟାରେ ରଥଟଣା ହେବ। ରଥ ଉପରେ କମ ସଂଖ୍ୟକ ସେବାୟତ ଉପସ୍ଥିତ ରହିବେ। ତିନି ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିବ ଏବଂ ତା' ପରଦିନ ଗୁଣ୍ଡିଚା ମନ୍ଦିର ଆଡପ ମଣ୍ଡପକୁ ବିଜେ କରିବେ ଶ୍ରୀଜିଉ ବୋଲି ବିନାୟକ ଦାସମହାପାତ୍ର।