ଗଞ୍ଜାମ ପାଇଁ ନୂଆ ରଣନୀତି: କୋଭିଡ୍ ମନିଟରଙ୍କୁ ହଜାରେ ଟଙ୍କା, କଲ୍ ସେଣ୍ଟରରେ ପରାମର୍ଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର ଗଞ୍ଜାମରେ ସ୍ଥିତିକୁ ନିୟନ୍ତ୍ରଣ ନିମନ୍ତେ ଆଜି ନୂଆ ରଣକୌଶଳ ପ୍ରସ୍ତୁତ କରିଛନ୍ତି। କରୋନା ମୁକାବିଲା ପାଇଁ ଗଞ୍ଜାମରେ ଭିତ୍ତିଭୂମି ସମ୍ପ୍ରସାରଣ, ଟେଲିମେଡିସିନ୍ ଓ ସଚେତନତା ଉପରେ ବିଶେଷ ଗୁରୁତ୍ୱ ଦେବା ସହ ସୁସ୍ଥ ହୋଇଥିବା ସଂକ୍ରମିତଙ୍କୁ କୋଭିଡ୍ ମନିଟର ଓ ପରାମର୍ଶଦାତା ଭାବେ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହାସହିତ ସୁସ୍ଥ ହେଉଥିବା ସଂକ୍ରମିତ ରୋଗୀଙ୍କ ମାନସିକ ସୁସ୍ଥତା ନିମନ୍ତେ […]

ganjam

Manoranjan Sial
  • Published: Saturday, 18 July 2020
  • , Updated: 18 July 2020, 09:04 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର ଗଞ୍ଜାମରେ ସ୍ଥିତିକୁ ନିୟନ୍ତ୍ରଣ ନିମନ୍ତେ ଆଜି ନୂଆ ରଣକୌଶଳ ପ୍ରସ୍ତୁତ କରିଛନ୍ତି। କରୋନା ମୁକାବିଲା ପାଇଁ ଗଞ୍ଜାମରେ ଭିତ୍ତିଭୂମି ସମ୍ପ୍ରସାରଣ, ଟେଲିମେଡିସିନ୍ ଓ ସଚେତନତା ଉପରେ ବିଶେଷ ଗୁରୁତ୍ୱ ଦେବା ସହ ସୁସ୍ଥ ହୋଇଥିବା ସଂକ୍ରମିତଙ୍କୁ କୋଭିଡ୍ ମନିଟର ଓ ପରାମର୍ଶଦାତା ଭାବେ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହାସହିତ ସୁସ୍ଥ ହେଉଥିବା ସଂକ୍ରମିତ ରୋଗୀଙ୍କ ମାନସିକ ସୁସ୍ଥତା ନିମନ୍ତେ କଲ୍ ସେଣ୍ଟର ଜରିଆରେ ଆବଶ୍ୟକ ପରାମର୍ଶ ଦିଆଯିବ ବୋଲି ଜଣାପଡ଼ିଛି।

ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଗଞ୍ଜାମ ଜିଲ୍ଲାରେ କୋଭିଡ ରୋଗକୁ ନିୟନ୍ତ୍ରଣ କରିବା ପାଇଁ ନୂଆ ରଣକୌଶଳ ପ୍ରସ୍ତୁତ କରାଯାଇଛି। କରୋନାଜନିତ ମୃତ୍ୟୁକୁ ରୋକିବା ଓ ତଦାରଖ ବ୍ୟବସ୍ଥାକୁ ସୁଦୃଢ଼ କରିବା ନିମନ୍ତେ ବ୍ରହ୍ମପୁର ମେଡିକାଲ କଲେଜର ଇମର୍ଜେନ୍ସୀ ଓ ଓପିଡିକୁ ତୁରନ୍ତ ଖୋଲାଯିବ। ଏହା ଯେଭଳି ୨୪ଘଣ୍ଟା କାର୍ଯ୍ୟ କରିବ ସେଥିପାଇଁ ବ୍ୟବସ୍ଥା ହେଉଛି। ବ୍ରହ୍ମପୁର ମେଡିକାଲ ମେଡିକାଲ କଲେଜରେ ଜଣେ ଅତିରିକ୍ତ ସୁପରିଟେଣ୍ଡେଣ୍ଟ ନିଯୁକ୍ତ କରାଯିବ। ସେହିପରି ବ୍ରହ୍ମପୁର ମେଡିକାଲ କଲେଜର ଶିଶୁରୋଗ ୱାର୍ଡକୁ ୧୦୦ବେଡ୍ ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟରରେ ପରିଣତ କରାଯିବ। ଏହା ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରହିବ। ସେହିପରି ବିଦ୍ୟୁତପୁରୁରେ ୧୫୦ବେଡ୍ ବିଶିଷ୍ଟ ଓ ଶିଶୁମନ୍ଦିରରେ ୧୫୦ ବେଡ୍ ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟର କରାଯିବ। ଏହା ବ୍ରହ୍ମପୁର ମହାନଗର ନିଗମ ଦ୍ୱାରା ପରିଚାଳିତ ହେବ ଓ ସିଟି ହସ୍ପିଟାଲ ଏଠାରେ ଚିକିତ୍ସା ସୁବିଧା ଯୋଗାଇବ। ଅକ୍ସିଜେନସ୍ତର କମ୍ ଥାଇ ବିଳମ୍ବରେ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ ନିମନ୍ତେ ପ୍ରତ୍ୟେକ କୋଭିଡ୍ କେୟାର ସେଣ୍ଟର ଓ କୋଭିଡ୍ ହୋମରେ ୧୦ ପ୍ରତିଶତ ବେଡ୍ ସଂରକ୍ଷିତ ରହିବ।

ସେହିପରି ହୋମ୍ ଆଇସୋଲେସନରେ ଥିବା ରୋଗୀଙ୍କୁ ମେଡିସିନ୍ କିଟ୍ ଯୋଗାଇ ଦିଆଯିବା ସହ ଓଡ଼ିଆରେ ଔଷଧ ଖାଇବା ସୂଚନା ଦିଆଯିବ। ବ୍ରହ୍ମପୁର ଓ ଗୋପାଳପୁରରେ ଥିବା ହୋଟେଲଗୁଡ଼ିକରେ କୋଭିଡ୍ ଯୁଦ୍ଧରେ ଆଗଧାଡ଼ିରେ ଥିବା ଡାକ୍ତର ଓ ଅନ୍ୟମାନଙ୍କ ରହଣୀ ନିମନ୍ତେ ଜିଲ୍ଲାପାଳ ଆବଶ୍ୟକ ବ୍ୟବସ୍ଥା କରିବେ।

କୋଭିଡ୍ ସଂକ୍ରମିତ ରୋଗୀଙ୍କ ଉତ୍କଣ୍ଠା କମାଇବା ଓ ସେମାନଙ୍କୁ ପରାମର୍ଶ ଦେବା ନିମନ୍ତେ ଜଣେ ଲେଖାଏଁ ମନସ୍ତତ୍ତ୍ୱବିତଙ୍କ ନେତୃତ୍ୱରେ ମନସ୍ତାତ୍ତ୍ୱିକ ପରାମର୍ଶଦାତା ରହିବେ । ସେମାନେ ଟେଲି କାଉନସେଲିଂ କରିବେ। ସୁସ୍ଥ ହୋଇଥିବା କୋଭିଡ୍ ରୋଗୀଙ୍କୁ ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯିବ ଓ କୋଭିଡ୍ ମନିଟର ଭାବେ ସେମାନେ ଅତତିକମରେ ୧୦ଜଣ ରୋଗୀଙ୍କୁ ଆବଶ୍ୟକ ପରାମର୍ଶ ଓ ସାହାସ ଦେବେ। ଏଥିପାଇଁ ସେମାନଙ୍କୁ ଏକ ହଜାର ଟଙ୍କା ପ୍ରଦାନ କରାଯିବ।ସେହିପରି କରୋନା ସଂକ୍ରମିତ ରୋଗୀ ଓ ସୁସ୍ଥ ହୋଇଥିବା ରୋଗୀଙ୍କୁ ମାନସିକ ସୁସ୍ଥତା ପାଇଁ କଲ ସେଣ୍ଟର ଜରିଆରେ ଆବଶ୍ୟକ ପରାମର୍ଶ ଦିଆଯିବ।

ଜରୁରୀ ଚିକିତ୍ସା ଆବଶ୍ୟକ କରୁଥିବା ରୋଗୀମାନଙ୍କୁ ଟେଲିମେଡିସିନ୍ ବ୍ୟବସ୍ଥା ଜରିଆରେ ସେବା ପ୍ରଦାନ ନିମନ୍ତେ ନିଷ୍ପତ୍ତି ହୋଇଛି।
ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାରେ ଆଜିସୁଦ୍ଧା ୫୨୮୦ଜଣ ସଂକ୍ରମିତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ଏବେ ୧୬୭୧ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ଓ ୫୨ଜଣଙ୍କ ମୃତ୍ୟୁ ଘଟିଛି । ସମଗ୍ର ରାଜ୍ୟରେ କରୋନାରେ ୮୬ଜଣଙ୍କର ମୃତ୍ୟୁ ହୋଇଛି ।

Related story