ସମ୍ ହସ୍ପିଟାଲକୁ ଏନଜିଟି ଛାଟ, ଦ୍ୱିତୀୟ କ୍ୟାମ୍ପସ ନିର୍ମାଣ ଉପରେ ରୋକ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପରିବେଶ ଅନୁମତି ନଥାଇ ଜଳାଶୟ ଜମିରେ ଦ୍ୱିତୀୟ କ୍ୟାମ୍ପସ ନିର୍ମାଣ କରିବା ସମ୍ ହସ୍ପିଟାଲକୁ ମହଙ୍ଗା ପଡ଼ିଛି । ଭୁବନେଶ୍ୱରର ଫୁଲନଖରାଠାରେ ଏହି କ୍ୟାମ୍ପସ ନିର୍ମାଣ ଉପରେ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ ରୋକ୍ ଲଗାଇବା ସହ ୪ ସପ୍ତାହ ମଧ୍ୟରେ ନିଜର ପକ୍ଷ ରଖିବାକୁ ଓଡ଼ିଶା ସରକାର ଓ ଅନ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜଳାଶୟ ଜମିର କିସମ ପରିବର୍ତ୍ତନ ଓ ଏଠାରେ ଅନ୍ୟ କୌଣସି ନିର୍ମାଣ ଉପରେ ସୁପ୍ରିମକୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ଥିବା […]

Spot

Ordigital Desk
  • Published: Friday, 16 December 2022
  • , Updated: 16 December 2022, 05:49 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପରିବେଶ ଅନୁମତି ନଥାଇ ଜଳାଶୟ ଜମିରେ ଦ୍ୱିତୀୟ କ୍ୟାମ୍ପସ ନିର୍ମାଣ କରିବା ସମ୍ ହସ୍ପିଟାଲକୁ ମହଙ୍ଗା ପଡ଼ିଛି । ଭୁବନେଶ୍ୱରର ଫୁଲନଖରାଠାରେ ଏହି କ୍ୟାମ୍ପସ ନିର୍ମାଣ ଉପରେ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ ରୋକ୍ ଲଗାଇବା ସହ ୪ ସପ୍ତାହ ମଧ୍ୟରେ ନିଜର ପକ୍ଷ ରଖିବାକୁ ଓଡ଼ିଶା ସରକାର ଓ ଅନ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜଳାଶୟ ଜମିର କିସମ ପରିବର୍ତ୍ତନ ଓ ଏଠାରେ ଅନ୍ୟ କୌଣସି ନିର୍ମାଣ ଉପରେ ସୁପ୍ରିମକୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ଥିବା ସତ୍ତ୍ୱେ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ଭୁବନେଶ୍ୱରର ଫୁଲନଖରାସ୍ଥିତ ଜଳାଶୟ(ନୟନଜୋରି-ସାବକ ରେକର୍ଡରେ ପ୍ରାଚୀ ନଦୀ)ର ମୋଟ ୮.୯୪ ଏକର ଜମି କିଭଳି ୨୦୨୧ ସେପ୍ଟେମ୍ବର ୪ରେ ସମ୍ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଆବଂଟନ କଲେ ଓ ବିନାନୁମତିରେ କିପରି ଏଠାରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲର କୋଲାକାତାସ୍ଥିତ ପୂର୍ବାଂଚଳ ଜୋନ୍ ଖଣ୍ଡପୀଠର ଜଷ୍ଟିସ ବି. ଅମିତ୍ ସ୍ଥେଲାକର ଓ ବିଶେଷଜ୍ଞ ସଦସ୍ୟ ଡଃ ଆଫ୍ରୋଜ୍ ଅହମ୍ମଦ ଆବେଦନକାରୀ ପ୍ରତାପ ଚନ୍ଦ୍ର ମହାନ୍ତି ଓ ଅନ୍ୟମାନଙ୍କ ଆବେଦନର ଶୁଣାଣି କରି ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମ୍ ହସ୍ପିଟାଲର ଦ୍ୱତୀୟ କ୍ୟାମ୍ପସରେ ସମସ୍ତ ପ୍ରକାରର ନିର୍ମାଣ ଗତିବିଧି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଏହି ମାମଲାରେ ଓଡ଼ିଶା ସରକାର, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାଜସ୍ୱ ସଚିବ, ଜଙ୍ଗଲ ଓ ପରିବେଶ ସଚିବ, ସାଧାରଣ ପ୍ରଶାସନ ବିଭାଗ ସଚିବ, ବିଡିଏ ଉପାଧ୍ୟକ୍ଷ, ବିଏମସି କମିଶନର,ଖୋର୍ଦ୍ଧା ଜିଲ୍ଲାପାଳ, କେନ୍ଦ୍ରାଂଚଳ ଆରଡିସିଙ୍କୁ ୪ ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ କରି ପକ୍ଷ ରଖିବାକୁ କହିଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ୨୦୨୩ ଜାନୁୟାରୀ ୧୩ତାରିଖରେ କରିବା ପାଇଁ ଖଣ୍ଡପୀଠ ତାରିଖ ଧାର୍ଯ୍ୟ କରିଛନ୍ତି ।

ଆବେଦନକାରୀଙ୍କ ଅଭିଯୋଗ ଅନୁସାରେ, ଭୁବନେଶ୍ୱରର ଫୁଲନଖରା ଅଂଚଳରେ ଜାତୀୟ ରାଜପଥ କଡ଼ରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ୨୦୨୧ ସେପ୍ଟେମ୍ବର ୪ତାରିଖରେ ୮.୯୪ଏକର ଜମି ସମ୍ ହସ୍ପିଟାଲକୁ ଦ୍ୱିତୀୟ କ୍ୟାମ୍ପସ ନିର୍ମାଣ ନିମନ୍ତେ ଆବଂଟନ ହୋଇଛି । ଏହି ଜମିର ୮୯,୭୧୨.୨୩ ବର୍ଗମିଟର ଅଂଚଳରେ ନିର୍ମାଣ କାର୍ଯ୍ୟ ନିମନ୍ତେ ପରିବେଶ ଅନୁମତି ପାଇଁ ସମ୍ ହସ୍ପିଟାଲ ପକ୍ଷରୁ ରାଜ୍ୟ ପରିବେଶ ପ୍ରଭାବ ଆକଳନ ପ୍ରାଧିକରଣଙ୍କ ନିକଟରେ ୨୦୨୨ ଅଗଷ୍ଟ ୨୦ତାରିଖରେ ଆବେଦନ କରାଯାଇଛି । କିନ୍ତୁ ଏହା ପୂର୍ବରୁ ସେଠାରେ ୨୦୨୨ ଜୁଲାଇ ମାସରେ ନିର୍ମାଣ କାର୍ଯ୍ୟ ହୋଇଥିବାର ତଥ୍ୟପ୍ରମାଣ ଆବେଦନକାରୀଙ୍କ ଦ୍ୱାରା ଦିଆଯାଇଥିଲା । ଅନୁମତି ମିଳିବା ପୂର୍ବରୁ ପ୍ରକଳ୍ପ ଅଂଚଳରେ ନିର୍ମାଣ କାର୍ଯ୍ୟ ହୋଇଥିବାରୁ ସମ୍ ହସ୍ପିଟାଲ କର୍ତ୍ତୃପକ୍ଷ ଆବେଦନକୁ ଖାରଜ କରିବା ପାଇଁ ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଛି । ଏହି ଜମି ନୟନଜୋରି କିସମ (ଜଳାଶୟ) ହୋଇଥିବାବେଳେ ତାହା ସାବିକ ରେକର୍ଡରେ ପ୍ରାଚୀ ନଦୀ ଉଲ୍ଲେଖ ରହିଛି । ମହାନଦୀର ଅବବାହିକା ଅଂଚଳରେ ପୁରୀ, ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ପ୍ରାଚୀ ନଦୀ ପ୍ରବାହିତ ହୋଇଛି । ସୁପ୍ରିମକୋର୍ଟ ୨୦୦୧ ଓ ୨୦୧୧ ମସିହାରେ ୨ଟି ମାମଲାରେ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି ଯେ, ଜଳାଶୟ ଜମିର କିସମକୁ ପରିବର୍ତ୍ତନ କରାଯାଇ ପାରିବ ନାହିଁ ଓ ଏହାକୁ ଜଳାଶୟ ଭାବେ ସଂରକ୍ଷଣ କରାଯିବ । ଏପରିକି ସେହି ଜମିରେ ‘ଲଖେଶ୍ୱର କ୍ଷୁଦ୍ର ଜଳସେଚନ କେନାଲ’ ରହିଛି ଓ ଏହାକୁ ବି ଜବରଦଖଲ କରାଯାଇଛି । ଜଳ ନିଷ୍କାସନ ଓ ଜଳାଶୟ କିସମ ଜମିକୁ କିଭଳି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସମ୍ ହସ୍ପିଟାଲକୁ ଦ୍ୱିତୀୟ କ୍ୟାମ୍ପସ ନିର୍ମାଣ ପାଇଁ ଆବଂଟନ କରାଗଲା ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି ।

କେବଳ ସେତିକି ନୁହେଁ , ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଦ୍ୱାରା ରାସ୍ତା କଡ଼ରେ ଥିବା ପ୍ରାୟ ଅବ୍ୟବହୃତ ୨ହେକ୍ଟର ଜମିରେ ଓଡ଼ିଶା ବନ ଉନ୍ନୟନ ନିଗମ ଦ୍ୱାରା ବୃକ୍ଷରୋପଣ କରାଯାଇଥିଲା, ସେହି ଜମିରେ ଥିବା ଗଛକୁ କାଟି ସେଠାରେ ଏହି ପ୍ରସ୍ତାବିତ ହସ୍ପିଟାଲ ନିର୍ମାଣ ପାଇଁ ଯୋଜନା ହୋଇଛି ବୋଲି ଆବେଦନକାରୀ ଅଭିଯୋଗ କରିଛନ୍ତି ।

ଅନ୍ୟପକ୍ଷରେ ସମ୍ ହସ୍‌ପିଟାଲ୍ କର୍ତ୍ତୃପକ୍ଷଙ୍କ ସହ ଏ ସଂପର୍କରେ ଯୋଗାଯୋଗ କରାଯାଇଥିବା ବେଳେ ସେମାନେ ଏନ୍‌ଜିଟିଙ୍କ ଅର୍ଡର ହସ୍ତଗତ ହେବା ପରେ ତାକୁ ଅନୁଧ୍ୟାନ କରି ସେମାନଙ୍କ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ଚିନ୍ତା କରିବେ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ଜାତୀୟ ରାଜପଥ କଡ଼ରେ ଫୁଲନଖରା ନିକଟରେ ଜଳାଶୟ ଜମିରେ ସମ୍ ହସ୍ପିଟାଲର ଦ୍ୱିତୀୟ କ୍ୟାମ୍ପସ ନିର୍ମାଣ କାର୍ଯ୍ୟ ଏବେ ଜୋରସୋରରେ ଜାରି ରହିଛି । ଯାହାକୁ ବିରୋଧ କରି ପ୍ରତାପ ଚନ୍ଦ୍ର ମହାନ୍ତି, ନଳିନୀ କୁମାର ସ୍ୱାଇଁ, ପ୍ରତାପ କୁମାର ଦାସ, ଗଣେଶ ଚନ୍ଦ୍ର ଚେହେରା ଓ ତପନ କୁମାର ବଳିୟାରସିଂ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

Related story