ମାନସଙ୍କୁ ମାଡ଼ ମାରିଥିଲେ ନିରଞ୍ଜନ, ଶର୍ମିଷ୍ଠାଙ୍କୁ ଫେରାର ବି କରାଇଥିଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ଘଟଣାରେ ଆଉ କିଛି ତଥ୍ୟ ସାମ୍ନାକୁ ଆସିଛି। ଆଜି ରିମାଣ୍ଡର ପଞ୍ଚମ ଦିନରେ ଅନ୍ୟତମ ଅଭିଯୁକ୍ତ ତଥା ପୂର୍ବତନ ଓଆଇଏସ୍‌ ଅଫିସର ନିରଞ୍ଜନ ସେଠୀ ଦେଇଛନ୍ତି ଏହି ତଥ୍ୟ। ଜେରା ବେଳେ କ୍ରାଇମବ୍ରାଞ୍ଚକୁ ନିରଞ୍ଜନ କହିଛନ୍ତି ଯେ ସେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଫେରାର କରାଇଥିଲେ। ଫେରାର ହେବା ପାଇଁ ସେ ଶର୍ମିଷ୍ଠାଙ୍କୁ ୧୦ ହଜାର ଟଙ୍କା ସହିତ ଗାଡ଼ି ଯୋଗାଇ ଦେଇଥିଲେ। […]

Sarmista-and-Niranjan

Jitendra Garnayak
  • Published: Saturday, 02 April 2022
  • , Updated: 02 April 2022, 06:49 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ଘଟଣାରେ ଆଉ କିଛି ତଥ୍ୟ ସାମ୍ନାକୁ ଆସିଛି। ଆଜି ରିମାଣ୍ଡର ପଞ୍ଚମ ଦିନରେ ଅନ୍ୟତମ ଅଭିଯୁକ୍ତ ତଥା ପୂର୍ବତନ ଓଆଇଏସ୍‌ ଅଫିସର ନିରଞ୍ଜନ ସେଠୀ ଦେଇଛନ୍ତି ଏହି ତଥ୍ୟ। ଜେରା ବେଳେ କ୍ରାଇମବ୍ରାଞ୍ଚକୁ ନିରଞ୍ଜନ କହିଛନ୍ତି ଯେ ସେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଫେରାର କରାଇଥିଲେ। ଫେରାର ହେବା ପାଇଁ ସେ ଶର୍ମିଷ୍ଠାଙ୍କୁ ୧୦ ହଜାର ଟଙ୍କା ସହିତ ଗାଡ଼ି ଯୋଗାଇ ଦେଇଥିଲେ। ଏହା ପରେ ଶର୍ମିଷ୍ଠା ପ୍ରଥମେ ଯାଜପୁରର କାଳିଆପାଣି ସ୍ଥିତ ତାଙ୍କ ଶାଶୁ ଘରକୁ ପଳାଇ ଯାଇଥିଲେ।

କ୍ରାଇମବ୍ରାଞ୍ଚ ଦେଇଥିବା ତଥ୍ୟ ଅନୁଯାୟୀ, ଏହି ହତ୍ୟାକାଣ୍ଡ ଘଟଣାରେ ନିରଞ୍ଜନ ସେଠୀ ଅନେକ କଥା ସ୍ୱୀକାର କରି ସାରିଛନ୍ତି। ସେ ନିୟମିତ ଭାବେ ଦୟାଲ ଆଶ୍ରମକୁ ଯାଉଥିଲେ। ସେ ସଂପୂର୍ଣ୍ଣ ଅଫିସ୍‌କୁ ବି ନିୟମିତ ଭାବେ ଯାଉଥିଲେ। ଫେବ୍ରୁଆରୀ ୭ ତାରିଖ ଦିନ (ଯେଉଁ ଦିନ ମାନସଙ୍କୁ ଅପହରଣ କରାଯାଇଥିଲା) ନିରଞ୍ଜନ ସଂପୂର୍ଣ୍ଣ ଅଫିସ୍‌କୁ ଯାଇଥିଲେ। ସନ୍ଧ୍ୟା ପ୍ରାୟ ୭ଟା ବେଳେ ସେ ସେଠାରେ ପହଞ୍ଚିଥିଲେ। ସେ ସେଠାରେ ପହଞ୍ଚିଲା ବେଳକୁ ଶର୍ମିଷ୍ଠା, ଝୁନା, ଝୁନାଙ୍କ ସ୍ୱାମୀ, ରାଜ୍‌, ଜଣେ କଂପ୍ୟୁଟର ଅପରେଟର ଓ ଶର୍ମିଷ୍ଠାଙ୍କ ଭାଉଜ ଉପସ୍ଥିତ ଥିଲେ। ମାନସଙ୍କୁ ଦୟାଲ ଆଶ୍ରମରୁ ସେଠାକୁ ଅଣାଯାଇଥିଲା। ସେଠାରେ ନିରଞ୍ଜନ ମଧ୍ୟ ମାନସଙ୍କୁ ପିଟି ଥିଲେ। ପ୍ରାୟ ରାତି ୧୦ଟା ବେଳେ ସେ ସଂପୂର୍ଣ୍ଣ ଅଫିସ୍‌ରୁ ବାହାରି ଯାଇଥିଲେ।

କ୍ରାଇମବ୍ରାଞ୍ଚକୁ ନିରଞ୍ଜନ ଦେଇଥିବା ସୂଚନା ଅନୁଯାୟୀ, ଫେବ୍ରୁଆରୀ ୮ ତାରିଖରେ ଶର୍ମିଷ୍ଠା ତାଙ୍କୁ ତାଙ୍କ ପ୍ରଶାନ୍ତି ବିହାର ସ୍ଥିତ ଘରେ ଆସି ସାକ୍ଷାତ କରିଥିଲେ। ସେତେବେଳେ ନିରଞ୍ଜନ ତାଙ୍କୁ ୧୦ ହଜାର ଟଙ୍କା ଦେବା ସହିତ ଏକ ଗାଡ଼ି ବ୍ୟବସ୍ଥା କରି ଦେଇଥିଲେ। ସେହି ଗାଡ଼ିରେ ଶର୍ମିଷ୍ଠା ଓ ଝୁନା କାଳିଆପାଣି ପଳାଇଥିଲେ।

ଆଜି ରିମାଣ୍ଡର ପଞ୍ଚମ ଦିନରେ କ୍ରାଇମବ୍ରାଞ୍ଚ ଶର୍ମିଷ୍ଠା ଓ ନିରଞ୍ଜନଙ୍କୁ ସଂପୂର୍ଣ୍ଣ ଅଫିସ୍‌କୁ ନେଇ ଯାଇଥିଲେ। ସେଠାରେ ଫେବ୍ରୁଆରୀ୭ ତାରିଖରେ କ’ଣ ସବୁ ଘଟିଥିଲେ ତା’ର ଡେମୋ ଦେଖାଇଥିଲେ ଶର୍ମିଷ୍ଠା ଓ ନିରଞ୍ଜନ। ଏହା ସହିତ ଶର୍ମିଷ୍ଠାଙ୍କୁ ସଂପୂର୍ଣ୍ଣ ଅଫିସ୍‌ ପାଖରେ ଥିବା ତାଙ୍କର ଭଡ଼ା ଘରକୁ ନିଆଯାଇଥିଲା। ସେହି ଘରେ ସେ ତାଙ୍କ ମୋବାଇଲ ଛାଡ଼ିଥିଲେ। କ୍ରାଇମବ୍ରାଞ୍ଚ ମୋବାଇଲଟିକୁ ଜବତ କରିଛି।

ଆଜି ରିମାଣ୍ଡ ଅବଧି ସରିଥିବା ବେଳେ ଶର୍ମିଷ୍ଠା ଓ ନିରଞ୍ଜନଙ୍କ ସହିତ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଆସନ୍ତାକାଲି ଚାନ୍ଦବାଲି ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଯିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି। କିନ୍ତୁ ଏବେ ସୁଦ୍ଧା ହତ୍ୟା ପଛର କାରଣ ସଂପର୍କରେ କ୍ରାଇମବ୍ରାଞ୍ଚ କିଛି କହି ନାହିଁ।

Related story