ସ୍କୁଲ ଶିକ୍ଷାର ବିକଟାଳ ଚିତ୍ର: ଶିକ୍ଷକ ପ୍ରଶିକ୍ଷିତ ନୁହଁନ୍ତି କି ୯୪% ସ୍କୁଲରେ ନାହିଁ ଇଣ୍ଟରନେଟ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଏବେ ଗ୍ରାମାଂଚଳର ସ୍କୁଲଗୁଡ଼ିକର ଟ୍ରାନ୍ସଫରମେସନ୍ ଉପରେ ଗୁରୁତ୍ୱ ଦେଇ କୋଟିକୋଟି ଟଙ୍କା ବ୍ୟୟ କରୁଥିବାବେଳେ ରାଜ୍ୟର ୯୪ ପ୍ରତିଶତ ସ୍କୁଲରେ ଇଣ୍ଟରନେଟ୍ ସଂଯୋଗ ସୁବିଧା ନାହିଁ। ରାଜ୍ୟରେ ବହୁସଂଖ୍ୟକ ସ୍କୁଲ ଶିକ୍ଷକ ଇଣ୍ଟରନେଟ୍ ଉପଯୋଗ କରିବାକୁ ପ୍ରଶିକ୍ଷିତ ହୋଇନଥିବାବେଳେ ଅଫଲାଇନରେ ପାଠ ପଢ଼ାଇବା ନିମନ୍ତେ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ମଧ୍ୟ ସେମାନଙ୍କର ନାହିଁ। ୟୁନେସ୍କୋ ପକ୍ଷରୁ ଗତ ମଙ୍ଗଳବାର ଜାରି ‘ଷ୍ଟେଟ୍ ଅଫ ଦି ଏଜୁକେସନ୍ ରିପୋର୍ଟ ଫର ଇଣ୍ଡିଆ’ରେ ଏଭଳି […]

school-student

Ordigital Desk
  • Published: Thursday, 07 October 2021
  • , Updated: 07 October 2021, 10:08 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଏବେ ଗ୍ରାମାଂଚଳର ସ୍କୁଲଗୁଡ଼ିକର ଟ୍ରାନ୍ସଫରମେସନ୍ ଉପରେ ଗୁରୁତ୍ୱ ଦେଇ କୋଟିକୋଟି ଟଙ୍କା ବ୍ୟୟ କରୁଥିବାବେଳେ ରାଜ୍ୟର ୯୪ ପ୍ରତିଶତ ସ୍କୁଲରେ ଇଣ୍ଟରନେଟ୍ ସଂଯୋଗ ସୁବିଧା ନାହିଁ। ରାଜ୍ୟରେ ବହୁସଂଖ୍ୟକ ସ୍କୁଲ ଶିକ୍ଷକ ଇଣ୍ଟରନେଟ୍ ଉପଯୋଗ କରିବାକୁ ପ୍ରଶିକ୍ଷିତ ହୋଇନଥିବାବେଳେ ଅଫଲାଇନରେ ପାଠ ପଢ଼ାଇବା ନିମନ୍ତେ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ମଧ୍ୟ ସେମାନଙ୍କର ନାହିଁ। ୟୁନେସ୍କୋ ପକ୍ଷରୁ ଗତ ମଙ୍ଗଳବାର ଜାରି ‘ଷ୍ଟେଟ୍ ଅଫ ଦି ଏଜୁକେସନ୍ ରିପୋର୍ଟ ଫର ଇଣ୍ଡିଆ’ରେ ଏଭଳି ତଥ୍ୟ ପଦାକୁ ଆସିଛି।

ଏହି ରିପୋର୍ଟ ଅନୁସାରେ, ଓଡ଼ିଶାର ନିମ୍ନପ୍ରାଥମିକ ସ୍କୁଲରେ ୨.୮୬ ପ୍ରତିଶତ ଶିକ୍ଷକଙ୍କର ପାଠ ପଢ଼ାଇବା ପାଇଁ ଆବଶ୍ୟକ ଯୋଗ୍ୟତା ନଥିବାବେଳେ ପ୍ରାଥମିକ ସ୍କୁଲର ୩.୪୬ ପ୍ରତିଶତ ଶିକ୍ଷକ, ଉଚ୍ଚ ପ୍ରାଥମିକ ସ୍କୁଲର ୧.୬୧%, ମାଧ୍ୟମିକ ସ୍କୁଲର ୦.୪୫ % ଓ ଉଚ୍ଚ ମାଧ୍ୟମିକ ସ୍କୁଲର ୦.୩୪ ପ୍ରତିଶତ ଶିକ୍ଷକଙ୍କ ପାଖରେ ପାଠ ପଢ଼ାଇବା ପାଇଁ ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ନାହିଁ।

ସେହିପରି ରାଜ୍ୟରେ ମୋଟ ୬୮୭୧୭ଟି ସ୍କୁଲ ଥିବାବେଳେ ଏଥିରେ ମୋଟ ୩ଲକ୍ଷ ୪୦ହଜାର ୪୭୭ଜଣ ଶିକ୍ଷକ କାର୍ଯ୍ୟ କରୁଛନ୍ତି। ୨୮୮୧୬ଟି ଶିକ୍ଷକ ପଦବୀ ଖାଲି ପଡ଼ିଛି । ମୋଟ ସ୍କୁଲ ମଧ୍ୟରୁ ୯୧ ପ୍ରତିଶତ ସ୍କୁଲ ଗ୍ରାମାଂଚଳରେ ଥିବାବେଳେ ୮୪% ଶିକ୍ଷକ ଗ୍ରାମାଂଚଳ ସ୍କୁଲରେ କାର୍ଯ୍ୟ କରୁଛନ୍ତି । ମୋଟ ଶିକ୍ଷକଙ୍କ ମଧ୍ୟରେ ମାତ୍ର ୪୫% ମହିଳା ଶିକ୍ଷୟିତ୍ରୀ ହୋଇଥିବାବେଳେ ୩୧୯୭ଟି ସ୍କୁଲରେ ଜଣେ ଶିକ୍ଷକ ରହିଛନ୍ତି । ଆଉ ଏହି ଜଣକିଆ ଶିକ୍ଷକରେ ଚାଲୁଥିବା ସ୍କୁଲ ମଧ୍ୟରେ ୮୮ ପ୍ରତିଶତ ଗାଁରେ ରହିଛି । ସେହିପରି ୧୧ପ୍ରତିଶତ ସ୍କୁଲରେ ଶିକ୍ଷକ ପଦବୀ ଖାଲି ପଡ଼ିଛି। ଯେଉଁ ୨୮୮୧୬ଟି ଶିକ୍ଷକ ପଦବୀ ଖାଲି ପଡ଼ିଛି ସେଥିରୁ ୬୭ ପ୍ରତିଶତ ଗ୍ରାମାଂଚଳରେ ଆବଶ୍ୟକ।

ସେହିପରି ରାଜ୍ୟର ୯୪ ପ୍ରତିଶତ ସ୍କୁଲରେ ଲାଇବ୍ରେରୀ ଥିବାବେଳେ ୮୪ ପ୍ରତିଶତ ସ୍କୁଲକୁ ମାଗଣା ପାଠ୍ୟପୁସ୍ତକ ମିଳିଥାଏ । ୭୦ ପ୍ରତିଶତ ସ୍କୁଲକୁ ଶିକ୍ଷା ଅଧିକାରୀ ବା କର୍ତ୍ତୃପକ୍ଷମାନେ ପରିଦର୍ଶନରେ ଯାଇଥାନ୍ତି । ରାଜ୍ୟର ୯୯ ପ୍ରତିଶତ ସ୍କୁଲରେ ପାନୀୟ ଜଳ ସୁବିଧା, ୯୨ ପ୍ରତିଶତ ସ୍କୁଲକୁ ରାସ୍ତା, ୯୦ ପ୍ରତିଶତ ସ୍କୁଲରେ ପୁଅଙ୍କ ପାଇଁ ଶୌଚାଳୟ, ୯୩ ପ୍ରତିଶତ ସ୍କୁଲରେ ଝିଅଙ୍କ ପାଇଁ ଶୌଚାଳୟ, ୩୮ ପ୍ରତିଶତ ସ୍କୁଲରେ ବିଦ୍ୟୁତ ସଂଯୋଗ ଥିବାବେଳେ ୯୦ ପ୍ରତିଶତ ସ୍କୁଲର ଶ୍ରେଣୀଗୃହ ଭଲ ସ୍ଥିତିରେ ରହିଛି। ତେବେ ମାତ୍ର ୧୦ ପ୍ରତିଶତ ସ୍କୁଲରେ କମ୍ପ୍ୟୁଟର ସୁବିଧା ଥିବାବେଳେ ୬ ପ୍ରତିଶତ ସ୍କୁଲରେ ଇଣ୍ଟରନେଟ୍ ଓ ଆଇସିଟି ଲ୍ୟାବ୍ ସୁବିଧା ରହିଛି।

ରାଜ୍ୟର ଶିକ୍ଷକମାନେ ଆଇସିଟି ପାଠ୍ୟକ୍ରମ ନିମନ୍ତେ ପ୍ରଶିକ୍ଷଣ ନେବାର ଆବଶ୍ୟକତା ରହିଛି ବୋଲି ଏହି ରିପୋର୍ଟରେ ଉଳ୍ଲେଖ ଅଛି । ଅନ୍ୟପକ୍ଷରେ ରାଜ୍ୟ ସରକାର ସ୍କୁଲ ଟ୍ରାନ୍ସଫରମେସନ୍ ନାଁରେ ପ୍ରଥମ ପର୍ଯ୍ୟାୟରେ ୧୬୦୦ ସ୍କୁଲ ଓ ଏବେ ଆଉ ୩୩୦୦ ସ୍କୁଲର ଟ୍ରାନ୍ସଫରମେସନ୍ କରି ସେସବୁରେ ସ୍ମାର୍ଟ କ୍ଲାସ୍ ସ୍ଥାପନ କରିବାକୁ କୋଟିକୋଟି ଟଙ୍କା ଅନୁଦାନ ମଞ୍ଜୁର କରିଛନ୍ତି । ମାତ୍ର ଶିକ୍ଷକମାନେ ପ୍ରଶିକ୍ଷଣ ଅଭାବରୁ ଓ ସ୍କୁଲରେ ଇଣ୍ଟରନେଟ୍ ଓ କମ୍ପ୍ୟୁଟର ନଥିବାରୁ ପିଲାମାନେ ଆଇସିଟି ବ୍ୟବସ୍ଥାରେ ପଢ଼ିବା ସମ୍ଭବପର ହୋଇପାରୁନି ।

Related story