ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କୁ ଏଣିକି ପୁଲିସ ଅଧିକାରୀମାନେ ମାନୁଆଲ ଚାଲାଣ ବଦଳରେ ଇ-ଚାଲାଣ ଦେବେ। ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କୁ ଆଜି ପର୍ଯ୍ୟନ୍ତ ପୁଲିସ ଅଧିକାରୀମାନେ ଉଭୟ ଇ-ଚାଲାଣ ଓ ମାନୁଆଲ ଚାଲାଣ ଦେଉଥିଲେ। ତେବେ ଇ-ଚାଲାଣ ବ୍ୟବସ୍ଥାରେ ସ୍ୱଚ୍ଛତା ଓ ଉତ୍ତମ ପରିଚାଳନା ପାଇଁ ରାଜ୍ୟ ସରକାର ମାନୁଆଲ ଚାଲାଣକୁ ଆଜିଠୁ ସମ୍ପୂର୍ଣ୍ଣ ବନ୍ଦ ପାଇଁ ନିଷ୍ପତ୍ତି ନେଇଛନ୍ତି ତଥା ପୁଲିସ ଡିଜିଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି।
ରାଜ୍ୟ ସଡ଼କ ଓ ପରିବହନ ମଧୁସୂଦନ ପାଢ଼ୀ ଆଜି ପୁଲିସ ଡିଜି ଅଭୟଙ୍କୁ ଚିଠି ଲେଖି ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କୁ କେବଳ ଇ-ଚାଲାଣ ମାଧ୍ୟମରେ ଜୋରିମାନା ଆଦାୟ ନିମନ୍ତେ ପରାମର୍ଶ ଦେଇଛନ୍ତି। ଫାଇଭ-ଟି ଅନ୍ତର୍ଗତ ଟ୍ରାଫିକ ଉଲ୍ଲଘଂନ ସଂକ୍ରାନ୍ତ ଜୋରିମାନା ଆଦାୟ ପାଇଁ ପୁଲିସ ଥାନାଗୁଡ଼ିକୁ ଦିଆଯାଇଥିବା ପିଓଏସ(ପଏଣ୍ଟ ଅଫ ସର୍ଭିସ) ଡିଭାଇସ୍ ମାଧ୍ୟମରେ ଇ-ଚାଲାଣ ଆଦାୟ କରିବାକୁ କୁହାଯାଇଛି। ରାଜ୍ୟରେ ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ ନିମନ୍ତେ ଇ-ଚାଲାଣ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ନିମନ୍ତେ ରାଜ୍ୟ ସରକାର ପୂର୍ବରୁ ସମସ୍ତ ଆରଟିଓଙ୍କୁ ୨୪୩ଟି ପିଓଏସ ଡିଭାଇସ୍ ଦେଇଥିବାବେଳେ ୭୦୦ଟି ଡିଭାଇସ୍ ସମସ୍ତ ଥାନାକୁ ଦେଇଛନ୍ତି।
ପରିବହନ ବିଭାଗରେ ଫାଇଭ-ଟି କାର୍ଯ୍ୟକାରୀ କରିବା ନିମନ୍ତେ ହୋଇଥିବା ସମୀକ୍ଷା ବୈଠକରେ ମଧ୍ୟ ଇ-ଚାଲାଣ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ନିମନ୍ତେ ନିଷ୍ପତ୍ତି ହୋଇଥିଲା। ତେଣୁ ଶ୍ରୀ ପାଢ଼ୀ ଚିଠି ଲେଖି ପୁଲିସ ଅଧିକାରୀମାନେ ଏଣିକି ଯେପରି ପିଓଏସ୍ ଡିଭାଇସ୍ ମାଧ୍ୟମରେ ଇ-ଚାଲାଣ କାଟିବେ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବା ନିମନ୍ତେ ଡିଜିଙ୍କୁ ଅନୁରୋଧ କରିଛନ୍ତି।
ସୂଚନାଯୋଗ୍ୟ, ପୁଲିସ ଅଧିକାରୀମାନେ ଟ୍ରାଫିକ ନିୟମ ଉଲ୍ଲଘଂନ ନାଁରେ ରସିଦ୍ ଦେଉଥିଲେ। ଯେଉଁଥିରେ ଆର୍ଥିକ ଅନିୟମିତତା ହେଉଥିବାର ଅଭିଯୋଗ ବିଭିନ୍ନ ସମୟରେ ଆସୁଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।