ପାସ୍ ନଥିଲେ ଓଡ଼ିଆଙ୍କୁ ଓଡ଼ିଶାରେ ପ୍ରବେଶ ମନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲକଡାଉନ୍ ଯୋଗୁ ଅନ୍ୟ ରାଜ୍ୟରେ ଅଟକି ରହିଥିବା ଓଡ଼ିଆମାନେ ଏବେ ବିନା ପାସରେ ଓଡ଼ିଶାରେ ପ୍ରବେଶ କରିପାରିବେ ନାହିଁ। ସେମାନଙ୍କୁ ନିଶ୍ଚିତ ଭାବେ ସେମାନେ ଅଟକି ରହିଥିବା ରାଜ୍ୟ ସରକାରଙ୍କଠୁ ପାସ୍ ଆଣିବାକୁ ପଡ଼ିବ। ଏହାବ୍ୟତୀତ ରାଜ୍ୟ ସରକାରଙ୍କ କୋଭିଡ୍ ୱେବସାଇଟରେ ସେମାନେ ଆସୁଥିବା ଗାଡ଼ି ଓ ଯାତ୍ରୀମାନଙ୍କୁ ପଞ୍ଜିକରଣ କରିବା ଜରୁରୀ ବୋଲି ରାଜ୍ୟ ପରିବହନ କମିଶନର ସଞ୍ଜିବ ପଣ୍ଡା ସୂଚନା ଦେଇଛନ୍ତି। ଆଜି ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ପଣ୍ଡା […]

bus

Manoranjan Sial
  • Published: Monday, 04 May 2020
  • , Updated: 04 May 2020, 06:03 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲକଡାଉନ୍ ଯୋଗୁ ଅନ୍ୟ ରାଜ୍ୟରେ ଅଟକି ରହିଥିବା ଓଡ଼ିଆମାନେ ଏବେ ବିନା ପାସରେ ଓଡ଼ିଶାରେ ପ୍ରବେଶ କରିପାରିବେ ନାହିଁ। ସେମାନଙ୍କୁ ନିଶ୍ଚିତ ଭାବେ ସେମାନେ ଅଟକି ରହିଥିବା ରାଜ୍ୟ ସରକାରଙ୍କଠୁ ପାସ୍ ଆଣିବାକୁ ପଡ଼ିବ। ଏହାବ୍ୟତୀତ ରାଜ୍ୟ ସରକାରଙ୍କ କୋଭିଡ୍ ୱେବସାଇଟରେ ସେମାନେ ଆସୁଥିବା ଗାଡ଼ି ଓ ଯାତ୍ରୀମାନଙ୍କୁ ପଞ୍ଜିକରଣ କରିବା ଜରୁରୀ ବୋଲି ରାଜ୍ୟ ପରିବହନ କମିଶନର ସଞ୍ଜିବ ପଣ୍ଡା ସୂଚନା ଦେଇଛନ୍ତି।

ଆଜି ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ପଣ୍ଡା କହିଛନ୍ତି ଯେ, ଅନ୍ୟ ରାଜ୍ୟରେ ଅଟକି ଥିବା ଓଡ଼ିଶାର ଲୋକମାନେ ଯଦି ଓଡ଼ିଶା ଫେରିବାକୁ ଚାହୁଁଥାନ୍ତି ତା’ହେଲେ ସେମାନେ ସେଠାର ସରକାର ବା ପ୍ରଶାସନଠୁ ପାସ୍ ଆଣିବା ବାଧ୍ୟତାମୂଳକ। ଯେଉଁ ଗାଡ଼ିରେ ଆସିବେ ସେହି ଗାଡ଼ି ସମ୍ପର୍କରେ ଓ ସେଥିରେ ଆସିବାକୁ ଥିବା ଯାତ୍ରୀଙ୍କ ସମ୍ପର୍କରେ ଓଡ଼ିଶା ସରକାରଙ୍କ କୋଭିଡ୍ ୱେବସାଇଟରେ ପଞ୍ଜିକରଣ କରାଇବେ। ଓଡ଼ିଶାରେ ପ୍ରବେଶ ପାଇଁ ୧୨ଟି ବର୍ଡର ଚେକପଏଣ୍ଟ ହୋଇଛି।

ସେଠାରେ ସମସ୍ତ ଗାଡ଼ି ଓ ଯାତ୍ରୀଙ୍କ ସମ୍ପର୍କରେ ଯାଂଚ କରାଯିବ। ପଞ୍ଜିକୃତ ହୋଇଥିବା ଯାତ୍ରୀ ଓ ଗାଡ଼ି ସମ୍ପର୍କରେ ସୂଚନା ପୂର୍ବରୁ ବର୍ଡର ଚେକପଏଣ୍ଟରେ ମୁତୟନ ହୋଇଥିବା କର୍ମଚାରୀମାନଙ୍କ ପାଖରେ ଉପଲବ୍ଧ ରହିଥିବ। ସେଠାରେ ଆବଶ୍ୟକ ଯାଂଚ ପରେ ସମସ୍ତ ଯାତ୍ରୀଙ୍କ ହାତରେ ଅଲିଭା କାଳିର ଷ୍ଟାମ୍ପ ଲଗାଯିବ। ଆଉ ସେମାନେ ଆସୁଥିବା ଗାଡ଼ିକୁ ରୁଟ୍ ଚାର୍ଟ ପ୍ରଦାନ କରାଯିବ। ସେଥିରେ ସ୍ପଷ୍ଟ ଭାବେ ଗାଡ଼ି କେଉଁ ସ୍ଥାନକୁ ଯିବ ଓ କେଉଁ ବାଟ ଦେଇ ଯିବ ତାହା ଉଲ୍ଲେଖ ରହିବ। ଏହାବ୍ୟତୀତ ଏହି ପୋର୍ଟାଲ ମାଧ୍ୟମରେ ମଧ୍ୟ ଜିଲ୍ଲାପାଳ ଓ ଏସପିମାନେ ସେମାନଙ୍କ ଜିଲ୍ଲାକୁ କେଉଁ ରାଜ୍ୟରୁୁ କେତେ ଲୋକ କେଉଁଦିନ ଆସିବେ ତାହା ଯାଂଚ କରି ସେମାନଙ୍କୁ ୧୪ଦିନିଆ କ୍ୱାରେଣ୍ଟାଇନରେ ରଖିବା ନିମନ୍ତେ ଆଗୁଆ ଆବଶ୍ୟକ ବ୍ୟବସ୍ଥା କରିପାରିବେ। ଯଦି କୌଣସି ଯାତ୍ରୀ ଅବା ଗାଡ଼ି ପୂର୍ବରୁ ଓଡ଼ିଶା ସରକାରଙ୍କ କୋଭିଡ୍ ପୋର୍ଟାଲରେ ପଞ୍ଜିକରଣ କରିନଥିବେ ତା’ହେଲେ ସେହି ବର୍ଡର ଚେକପଏଣ୍ଟରେ ଏହା କରିବାର ସୁବିଧା ପାଇବେ। ମାତ୍ର ପୂର୍ବରୁ ଏହି ପଞ୍ଜିକରଣ କରାଇ ନେବା ଭଲ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ତେବେ ଯେଉଁ ଯାତ୍ରୀ ବା ଗାଡ଼ି ସେମାନେ ରହୁଥିବା ରାଜ୍ୟରୁ ପାସ୍ ଆଣିନଥିବେ ସେମାନଙ୍କୁ ଓଡ଼ିଶା ଭିତରେ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ ବୋଲି ଶ୍ରୀ ପଣ୍ଡା ସ୍ପଷ୍ଟ କରିଛନ୍ତି।

Related story