ଏବେ ଓଡ଼ିଶାକୁ କେବଳ ଜଗନ୍ନାଥ ହିଁ ଭରସା: ନିରଞ୍ଜନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମୁକାବିଲା ପାଇଁ ସରକାର ହାତ ଟେକି ଦେଇସାରିଲେଣି, ଏବେ କେବଳ ମହାପ୍ରଭୁ ଜଗନ୍ନାଥ ହିଁ ଭରସା ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ରାଜ୍ୟର ବର୍ତ୍ତମାନର ସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରି ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ସରକାର କରୋନାକୁ କିଭଳି ଢଙ୍ଗରେ ମୁକାବିଲା କରିବାକୁ ଚାହୁଁଛନ୍ତି,ତାହା ସେ କିଛି ବୁଝି ପାରୁନାହାନ୍ତି। ବିଭିନ୍ନ କ୍ୱାରେଣ୍ଟାଇନ୍ ସେଂଟର ଏବେ ବିପର୍ଯ୍ୟସ୍ତ ଅବସ୍ଥାରେ। ଯେଉଁମାନେ କ୍ୱାରେଣ୍ଟାଇନରୁ ଡିସଚାର୍ଜ ହୋଇ […]

niranjan2

Manoranjan Sial
  • Published: Monday, 25 May 2020
  • , Updated: 25 May 2020, 05:48 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମୁକାବିଲା ପାଇଁ ସରକାର ହାତ ଟେକି ଦେଇସାରିଲେଣି, ଏବେ କେବଳ ମହାପ୍ରଭୁ ଜଗନ୍ନାଥ ହିଁ ଭରସା ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

ରାଜ୍ୟର ବର୍ତ୍ତମାନର ସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରି ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ସରକାର କରୋନାକୁ କିଭଳି ଢଙ୍ଗରେ ମୁକାବିଲା କରିବାକୁ ଚାହୁଁଛନ୍ତି,ତାହା ସେ କିଛି ବୁଝି ପାରୁନାହାନ୍ତି। ବିଭିନ୍ନ କ୍ୱାରେଣ୍ଟାଇନ୍ ସେଂଟର ଏବେ ବିପର୍ଯ୍ୟସ୍ତ ଅବସ୍ଥାରେ। ଯେଉଁମାନେ କ୍ୱାରେଣ୍ଟାଇନରୁ ଡିସଚାର୍ଜ ହୋଇ ଯାଉଛନ୍ତି, ସେମାନଙ୍କୁ ଯେଉଁ ୨ ହଜାର ଟଙ୍କା ଲେଖାଏଁ ଦେବେ ବୋଲି ସରକାର କହିଥିଲେ, କିନ୍ତୁ ଏହି ଟଙ୍କା ଦିଆଯାଉନାହିଁ। କ୍ୱାରେଣ୍ଟାଇନ୍ ସେଂଟରରେ ବଗିଚା କାମ ଓ ରଙ୍ଗ କାମ କେତେ ବାଟ ଗଲା ତାହା କେହି କିଛି ଜାଣି ପାରୁନାହାନ୍ତି।

ଯେଉଁ ପ୍ରବାସୀମାନେ ଫେରୁଛନ୍ତି, ସେମାନଙ୍କୁ ଚାଉଳ ଓ ଡାଲି ଦେବେ ବୋଲି ସରକାର କହିଥିଲେ, ତାହା ବି କଲେନି। ମନରେଗା କାମ ବି ହେଉନି। ଆଉ କିଛିଦିନ ପରେ ବର୍ଷା ଦିନ ବି ଆରମ୍ଭ ହୋଇଯିବ, ଲୋକ କେବେ କାମ କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି। ସବୁଠାରୁ ଚିନ୍ତାର ବିଷୟ ଯେ ଓଡ଼ିଶାକୁ ପ୍ଲେନ୍ ଓ ଟ୍ରେନ୍ ଆସୁଛି କିନ୍ତୁ ଆମ ସରକାର ଜାଣି ପାରୁନାହାନ୍ତି କି ସରକାରଙ୍କୁ ଖବର ଦିଆଯାଉନାହିଁ। ଗତକାଲି ହଜାର ହଜାର ଲୋକ ଆସି ପହଂଚିଛନ୍ତି। ସେମାନଙ୍କ ଅବସ୍ଥା କହିଲେ ନସରେ। ଏବେ କ୍ୱାରେଣ୍ଟାଇନକୁ ୨୧ ଦିନ ପରିବର୍ତେ ୭ ଦିନ କରିଦିଆଯାଇଛି, ଏବେ ଅବସ୍ଥା କ’ଣ ହେବ? କେଉଁ ଅବସ୍ଥା ଆଡ଼କୁ ବର୍ତ୍ତମାନ ଆମ ରାଜ୍ୟ ଯାଉଛି? କରୋନା ମୁକାବିଲା ନେଇ ଏବେ ସରକାର ଉପରକୁ ହାତ ଟେକି ଦେଇଛନ୍ତି କି? ପ୍ରଶାସନ କ’ଣ କରିବାକୁ ଚାହୁଁଛନ୍ତି କିଛି ବୁଝାପଡୁନି। ଓଡ଼ିଶାରେ ସ୍ଥିତି ସାଂଘାତିକ ଅବସ୍ଥାରେ ପହଂଚିଲାଣି। ଏଥିରୁ ଜଣାପଡ଼ୁଛି ଯେ, ସରକାରଙ୍କର ସାଧାରଣ ଲୋକଙ୍କୁ ସାହାଯ୍ୟ କରିବା ମନୋବୃତ୍ତି ହିଁ ନଥିଲା।

ସରକାରଙ୍କର କୌଣସି ନିଷ୍ପତ୍ତି ଠିକ୍‌ରେ ଚାଲୁନାହିଁ। ଲକଡାଉନ ଶେଷ ପର୍ଯ୍ୟନ୍ତ ମଦ ବିକ୍ରି ବନ୍ଦ ରଖିଥିଲେ ସରକାରଙ୍କର କ’ଣ କ୍ଷତି ହୋଇଥାନ୍ତା ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିବା ସହ ଓଡ଼ିଶାର ଲୋକେ ମଦ ବିକ୍ରିକୁ ବିରୋଧ କରିବାର ସମୟ ଆସିଛି ବୋଲି କହିଛନ୍ତି। ଲୋକଙ୍କୁ ବିନା ମଦରେ ରଖି ଭବିଷ୍ୟତରେ ରାଜ୍ୟକୁ ସଂପୂର୍ଣ୍ଣ ନିଶା ନିବାରଣ କରିବାର ସୁଯୋଗ ସରକାରଙ୍କ ପାଖରେ ଥିଲା। କରୋନା ଏକ ଦୁର୍ଯୋଗ କିନ୍ତୁ ସରକାରଙ୍କ ପାଖରେ ଏହି କରୋନାଜନିତ କଟକଣାବେଳେ ଅନେକ ଗୁଡ଼ିକ ସୁଯୋଗ ରହିଥିଲା, ଯାହାକୁ ଠିକ ଭାବେ ଉପଯୋଗ କରିପାରିଲେ ନାହିଁ କି ଶାସନକୁ ଶୃଙ୍ଖଳିତ କରିପାରିଲେନି ବୋଲି ଶ୍ରୀ ପଟ୍ଟନାୟକ କ୍ଷୋଭର ସହ କହିଛନ୍ତି।

ଏବେ ଆମ ପାଇଁ ଆଉ କେହି ନାହାନ୍ତି। କେବଳ ଜଗନ୍ନାଥ ହିଁ ଭରସା। ସେ ହିଁ ଓଡ଼ିଶାବାସୀଙ୍କୁ ରକ୍ଷା କରନ୍ତୁ ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି।

Related story