ଏଣିକି ନିର୍ଦ୍ଦେଶ ଅବମାନନା ପାଇଁ ଦଣ୍ଡ ଦେଇପାରିବେ ଲୋକାୟୁକ୍ତ, ‘ଚାନ୍ଦା’ର ତଦନ୍ତ କରିପାରିବେନି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ଯଦି କୌଣସି ସରକାରୀ କର୍ମଚାରୀ ଉଦ୍ଦେଶ୍ୟମୂଳକ ଭାବେ ଲୋକାୟୁକ୍ତଙ୍କ ନିର୍ଦ୍ଦେଶକୁ ଅମାନ୍ୟ କରିବେ, ତାଙ୍କ ବିରୁଦ୍ଧରେ କୋର୍ଟ ଅବମାନନା ଆଇନ-୧୯୭୧ର ପ୍ରାବଧାନ ଆଧାରରେ ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ଭଳି ଲୋକାୟୁକ୍ତ ଦଣ୍ଡବିଧାନ କରିପାରିବେ । ଓଡ଼ିଶା ଲୋକାୟୁକ୍ତ ଆଇନ-୨୦୧୪ର ସଂଶୋଧନକୁ ରାଜ୍ୟ ବିଧାନସଭା ଅନୁମୋଦନ କରିବା ପରେ ଲୋକାୟୁକ୍ତଙ୍କୁ ଏହି ନୂଆ କ୍ଷମତା ମିଳିବାର ମାର୍ଗ ପ୍ରଶସ୍ତ ହୋଇଛି ।

ତେବେ ‘ଲୋକଙ୍କଠୁ ଯେକୌଣସି ପ୍ରକାରର ଚାନ୍ଦା’ ଗ୍ରହଣ କଲେ ତା’ର ଖୋଳତାଡ଼ କରିବାର କ୍ଷମତା ପୂର୍ବରୁ ଲୋକାୟୁକ୍ତଙ୍କ ପାଖରେ ଥିବାବେଳେ ଆଜି ବିଧାନସଭାରେ ପାରିତ ସଂଶୋଧିତ ବିଲରେ ଏହି ପ୍ରାବଧାନକୁ ହଟାଇ ଦିଆଯାଇଛି । କେନ୍ଦ୍ରୀୟ ଲୋକପାଳ ଓ ଲୋକାୟୁକ୍ତ ଆଇନ-୨୦୧୩ରେ ଏହି ପ୍ରାବଧାନ ନଥିବା ଦର୍ଶାଇ ରାଜ୍ୟ ସରକାର ଓଡ଼ିଶା ଲୋକାୟୁକ୍ତ ଆଇନର ଧାରା ୧(ଏଚ)ର ପ୍ରାବଧାନକୁ ଉଚ୍ଛେଦ କରିଛନ୍ତି । ଯାହାଫଳରେ ଲୋକଙ୍କଠୁ ଚାନ୍ଦା ଗ୍ରହଣ କରୁଥିବା ସଂସ୍ଥା ଅବା ସଂଗଠନ ସମ୍ପର୍କରେ ତଦନ୍ତ କରିବା ଏଣିକି ଲୋକାୟୁକ୍ତଙ୍କ କ୍ଷମତା ପରିସରଭୁକ୍ତ ରହିବ ନାହିଁ ।

ଆଜି ବିଧାନସଭାରେ ଓଡ଼ିଶା ଲୋକାୟୁକ୍ତ ସଂଶୋଧନ ବିଲ-୨୦୨୨ ପାରିତ ହୋଇଛି । ଏଥିରେ ଥିବା ସଂଶୋଧିତ ପ୍ରାବଧାନ ଅନୁସାରେ, ପୂର୍ବରୁ ବିଭାଗର ‘ଉପଯୁକ୍ତ କର୍ତ୍ତୃପକ୍ଷ’ କହିଲେ ‘ଦାୟିତ୍ୱରେ ଥିବା ସମ୍ପୃକ୍ତ ବିଭାଗୀୟ ମନ୍ତ୍ରୀ’ଙ୍କୁ ବୁଝାଉଥିଲା । କୌଣସି ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆସିଲେ ତାଙ୍କ ବିରୁଦ୍ଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ପାଇଁ ଲୋକାୟୁକ୍ତ ସମ୍ପୃକ୍ତ ବିଭାଗର ‘ଉପଯୁକ୍ତ କର୍ତ୍ତୃପକ୍ଷ’ଙ୍କୁ ସୁପାରିସ୍ କରୁଥିଲେ । ମାତ୍ର ଏଥିଯୋଗୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବା ପ୍ରକ୍ରିୟା ବିଳମ୍ବ ହେବାରୁ ତଥା ଲୋକାୟୁକ୍ତଙ୍କ ସୁପାରିସ୍ ଉପରେ ତ୍ୱରିତ୍ କାର୍ଯ୍ୟାନୁଷ୍ଠାନ ଓ ପ୍ରଶାସନିକ ସୁବିଧା ନିମନ୍ତେ ‘ଉପଯୁକ୍ତ କର୍ତ୍ତୃପକ୍ଷ’ରେ ପରିବର୍ତ୍ତନ କରାଯାଇଛି । ‘ବିଭାଗୀୟ ମନ୍ତ୍ରୀ’ଙ୍କ ବଦଳରେ ଏବେ ସମ୍ପୃକ୍ତ ବିଭାଗର ସଚିବ ହିଁ ‘ଉପଯୁକ୍ତ କର୍ତ୍ତୃପକ୍ଷ’ ହେବେ ।

ସେହିପରି ଓଡ଼ିଶା ଲୋକାୟୁକ୍ତ ଆଇନର ଧାରା ୧୪ର ୧(ଏଚ) ଅନୁସାରେ ଯେକୌଣସି ଲୋକ, ସଂଗଠନ, ସଂସ୍ଥା ଯଦି ଲୋକ ଅବା ବିଦେଶରୁ ଚାନ୍ଦା ନେଉଥିବେ ତା’ହେଲେ ସେ ଲୋକାୟୁକ୍ତଙ୍କ ତଦନ୍ତ ପରିସରଭୁକ୍ତ ହେବେ । ମାତ୍ର ଏହି ଚାନ୍ଦା ଆଦିର ଖୋଳତାଡ଼ ରାଜ୍ୟ ସରକାରଙ୍କ ଏଜେନ୍ସି କରିବ ତଥା କେନ୍ଦ୍ରୀୟ ଲୋକପାଳ ଆଇନରେ ଏଭଳି ପ୍ରାବଧାନ ନଥିବାରୁ ରାଜ୍ୟ ସରକାର ସେହି ପ୍ରାବଧାନକୁ ଉଚ୍ଛେଦ କରିଛନ୍ତି । ସଂଶୋଧିତ ପ୍ରାବଧାନ ଅନୁସାରେ ଏଣିକି ଲୋକାୟୁକ୍ତ କୌଣସି ଚାନ୍ଦାର ଖୋଳତାଡ଼ କରିପାରିବେ ନାହିଁ ।

ସେହିପରି ଲୋକାୟୁକ୍ତଙ୍କ ନିର୍ଦ୍ଦେଶକୁ ଅମାନ୍ୟ କଲେ ସମ୍ପୃକ୍ତ ସରକାରୀ ଅଧିକାରୀ ବା କର୍ମଚାରୀଙ୍କ ବିରୁଦ୍ଧରେ ଦଣ୍ଡର ପ୍ରାବଧାନ କରିବା କ୍ଷମତା ଲୋକାୟୁକ୍ତଙ୍କର ନଥିଲା । ଲୋକାୟୁକ୍ତ ନିଜର ୨୦୨୦ ମସିହା ବାର୍ଷିକ ରିପୋର୍ଟରେ ଏହି ଦଣ୍ଡର ଉପଯୁକ୍ତ ପ୍ରବଧାନ କରାଇବା ନିମନ୍ତେ ସରକାରଙ୍କୁ ସୁପାରିଶ କରିଥିଲେ । ଯଦି କୌଣସି କର୍ମଚାରୀ ଉଦ୍ଦେଶ୍ୟମୂଳକ ଭାବେ ଅବା ମନ୍ଦ ଆଚରଣ ରଖି ଲୋକାୟୁକ୍ତଙ୍କ ସୁପାରିଶକୁ ଅମାନ୍ୟ କରୁଛନ୍ତି ତା’ହେଲେ ତାଙ୍କ ବିରୁଦ୍ଧରେ ଦଣ୍ଡର ବ୍ୟବସ୍ଥା ଲୋକାୟୁକ୍ତ କରିପାରିବେ । ଏଥିପାଇଁ ଆଇନ ବିଭାଗର ସୁପାରିଶରେ ରାଜ୍ୟ ସରକାର ପ୍ରଚଳିତ ଆଇନରେ ସଂଶୋଧନ କରିଛନ୍ତି । କୋର୍ଟ ଅବମାନନା ଆଇନ-୧୯୭୧ର ପ୍ରାବଧାନ ଆଧାରରେ ଲୋକାୟୁକ୍ତ ଏଣକି ତାଙ୍କ ନିର୍ଦ୍ଦେଶ ଉଲ୍ଳଂଘନ କରୁଥିବା କର୍ମଚାରୀଙ୍କ ବିରୁଦ୍ଧରେ ଦଣ୍ଡବିଧାନ କରିପାରିବେ ।

ଏହାସହିତ ପ୍ରଚଳିତ ଲୋକାୟୁକ୍ତ ଆଇନରେ ରାଜ୍ୟ ସରକାର ପ୍ରତିବର୍ଷ ଲୋକାୟୁକ୍ତ କାର୍ଯ୍ୟାଳୟଙ୍କ ନାଁରେ ପାଣ୍ଠି ଆବଂଟନ କରିଥାନ୍ତି । ଯାହାକିି ଲୋକାୟୁକ୍ତଙ୍କ ଦରମା , ଭତ୍ତା ଓ ଅନ୍ୟାନ୍ୟ ପ୍ରଶାସନିକ ବ୍ୟୟ ପାଇଁ ଉପଯୋଗ ହୋଇଥାଏ । କିନ୍ତୁ ଏହି ପାଣ୍ଠି ଆବଂଟନ ଉପରେ ସିଏଜି ତାଙ୍କ ଅଡିଟ୍ ସମୟରେ ଆପତ୍ତି ଉଠାଇବା ସହ ପ୍ରଚଳିତ ବ୍ୟବସ୍ଥାରେ ଲୋକାୟୁକ୍ତଙ୍କ ଅଫିସ ପାଇଁ ବଜେଟରେ ପାଣ୍ଠି ଆବଂଟନ ପରିବର୍ତ୍ତେ ଲୋକାୟୁକ୍ତ ଗ୍ରାଂଟ୍‌(ଅନୁଦାନ) ଭାବେ ବଜେଟରେ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥିଲେ । ଯାହାକୁ ସଂଶୋଧିତ ଆଇନରେ ସାମିଲ କରାଯାଇଛି ।

ତେବେ ଏହି ବିଲ୍ ଉପରେ ଆଲୋଚନାବେଳେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଆପତ୍ତି ଉଠାଇଥିଲେ । ସରକାର ଆଣିଥିବା ବିଲରେ ‘ମୁଖ୍ୟଶାସନ’ ମାନେ ‘ମୁଖ୍ୟମନ୍ତ୍ରୀ’ ବୋଲି ଉଲେଖ ଅଛି ବୋଲି କହିଥିଲେ । କିନ୍ତୁ ଏହାସତ୍ତ୍ୱେ ସରକାର ଏହି ବିଲକୁ ଗୃହରେ ପାରିତ କରାଇ ନେବାରେ ସକ୍ଷମ ହୋଇଥିଲେ ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।