‘ସ୍ମାର୍ଟ ସ୍କୁଲ’ ପରେ ଏବେ ‘ସ୍ମାର୍ଟ କଲେଜ’, ହେବ ନବକଳେବର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଫାଇଭ-ଟି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଥମ ପର୍ଯ୍ୟାୟରେ ୧୦୭୮ଟି ସ୍କୁଲର ରୂପାନ୍ତର କାର୍ଯ୍ୟ ଶେଷ କରିଥିବାବେଳେ ଏବେ କଲେଜଗୁଡ଼ିକୁ ଅନୁରୂପ ଶୈଳୀରେ ରୂପାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସରକାର ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଡିଷ୍ଟ୍ରକ୍ଟ କଲେଜ ଡେଭଲପମେଣ୍ଟ ଫେସିଲେସନ କମିଟି(ଡିସିଡିଏଫସି) ଗଠନ କରିଛନ୍ତି ଓ ଡିସେମ୍ବର ଦ୍ୱିତୀୟାର୍ଦ୍ଧ ସୁଦ୍ଧା ଏହି କମିଟିର ପ୍ରଥମ ବୈଠକ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି କଲେଜଗୁଡ଼ିକର ନବକଳେବର ପାଇଁ […]

college

college

Ordigital Desk
  • Published: Friday, 03 December 2021
  • Updated: 03 December 2021, 04:39 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଫାଇଭ-ଟି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଥମ ପର୍ଯ୍ୟାୟରେ ୧୦୭୮ଟି ସ୍କୁଲର ରୂପାନ୍ତର କାର୍ଯ୍ୟ ଶେଷ କରିଥିବାବେଳେ ଏବେ କଲେଜଗୁଡ଼ିକୁ ଅନୁରୂପ ଶୈଳୀରେ ରୂପାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସରକାର ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଡିଷ୍ଟ୍ରକ୍ଟ କଲେଜ ଡେଭଲପମେଣ୍ଟ ଫେସିଲେସନ କମିଟି(ଡିସିଡିଏଫସି) ଗଠନ କରିଛନ୍ତି ଓ ଡିସେମ୍ବର ଦ୍ୱିତୀୟାର୍ଦ୍ଧ ସୁଦ୍ଧା ଏହି କମିଟିର ପ୍ରଥମ ବୈଠକ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି କଲେଜଗୁଡ଼ିକର ନବକଳେବର ପାଇଁ ସରକାରଙ୍କ ଦ୍ୱାରା ଉକ୍ତ କମିଟି ଗଠନ ହୋଇଥିବାବେଳେ ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ର ଓ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ଗୁରୁବାର ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିବା ଜଣାପଡ଼ିଛି।

ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମସ୍ତ ଜିଲ୍ଲାର ଅଧିକାରୀମାନଙ୍କ ସହ ଏହି ସ୍ମାର୍ଟ କଲେଜ ବା ଫାଇଭ-ଟି ଅନ୍ତର୍ଗତ କଲେଜ ରୂପାନ୍ତର କାର୍ଯ୍ୟକ୍ରମକୁ ନେଇ ବିସ୍ତୃତ ଆଲୋଚନା ହୋଇଛି। ସରକାରଙ୍କ ଦ୍ୱାରା ଗଢ଼ାଯାଇଥିବା କମିଟିକୁ ଆସନ୍ତା ୧୫ରୁ ୩୧ତାରିଖ ମଧ୍ୟରେ ନିଶ୍ଚିତ ଭାବେ ଥରେ ବୈଠକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିିଲ୍ଲାରେ ବହୁ ସଂଖ୍ୟାରେ କଲେଜ ଥିବାରୁ ଫଳପ୍ରଦ ବୈଠକ ପାଇଁ ସମସ୍ୟା ଥିବା କଲେଜକୁ ଚିହ୍ନଟ କରି ତା’ର କର୍ତ୍ତୃପକ୍ଷଙ୍କୁ ଡାକି ସେହି ପ୍ରସଙ୍ଗରେ ଆଲୋଚନା କରିବାକୁ ପରାମର୍ଶ ଦିଆଯାଇଛି। କମିଟିର ବୈଠକରେ କେଉଁ ପ୍ରସଙ୍ଗରେ ଆଲୋଚନା ହେବ ତାହା ପୂର୍ବରୁ ସ୍ଥିର କରି ସେହି ସଂକ୍ରାନ୍ତ ସମସ୍ୟା ଥିବା କଲେଜର ଅଧ୍ୟକ୍ଷମାନଙ୍କୁ ଡାକି ଆଲୋଚନା କଲେ ତାହା ଖୁବଶୀଘ୍ର ଫଳପ୍ରଦ ହୋଇପାରିବ। ପ୍ରଥମ ପର୍ଯ୍ୟାୟରେ ଜମି ସମସ୍ୟା ଥିବା କଲେଜଗୁଡ଼ିକ ସହ ଆଲୋଚନା କରିବାକୁ କୁହାଯାଇଛି।

କମିଟି ନିଶ୍ଚିତ ଭାବେ ପ୍ରତି ତିନିମାସରେ ଥରେ ବୈଠକ କରି ଜିଲ୍ଲାର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜର ସମସ୍ୟାଗୁଡ଼ିକ ଉପରେ ଆଲୋଚନା ସହ ତା’ର ସମାଧାନ କରିବେ । ଅଧିକାଂଶ କଲେଜର ଜମିଜମା ସମସ୍ୟା ଥିବାରୁ ତା’ର ସମାଧାନ କରାଇବେ।

ସେହିପରି କଲେଜଗୁଡ଼ିକର ଭିତ୍ତିଭୂମି ସୁଧାର କରିବା ସହ ସ୍ମାର୍ଟ କ୍ଲାସରୁମ, ଇ-ଲାଇବ୍ରେରୀ, ଅତ୍ୟାଧୁନିକ ଲାବ୍ରୋଟେରୀ, କମ୍ପ୍ୟୁଟର ରୁମ୍ ଆଦି ସୁବିଧାର ବନ୍ଦୋବସ୍ତ କରାଯିବ। କଲେଜରେ ମରାମତି, ପୁନରୁଦ୍ଧାର, ନୂଆ ନିର୍ମାଣ ଆଦି କାର୍ଯ୍ୟ ହାତକୁ ନିଆଯିବ। ସାଂସଦ ପାଣ୍ଠି, ଏମଏଲଏ ଲ୍ୟାଡ, ପଶ୍ଚିମଓଡ଼ିଶା ବିକାଶ ପରିଷଦ ପାଣ୍ଠି, କେବିକେ ପାଣ୍ଡି, ଡିଏମଏଫ ଓ ଓଏମବିଏଡିସି ପାଣ୍ଠିରୁ କଲେଜ ଭିତ୍ତିଭୂମି ବିକାଶ ନିମନ୍ତେ ଖର୍ଚ୍ଚ କରିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି।

କଲେଜ ପରିସରରେ ନିଶା କାରବାର ଓ ଅସାମାଜିକ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ଯେପରି ନହୁଏ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ପୁଲିସ ଏସପିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କଲେଜ ପରିସରରେ ବୃକ୍ଷରୋପଣ, ଛାତ୍ରଛାତ୍ରୀମାନଙ୍କ ନିୟମିତ ସ୍ୱାସ୍ଥ୍ୟ ଯାଂଚ, ସ୍ୱେଚ୍ଛାମୂଳକ କାର୍ଯ୍ୟ ଆଦି ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି ।

କେବଳ ସେତିକି ନୁହେଁ, କଲେଜର ପୁରାତନ ଛାତ୍ରଛାତ୍ରୀଙ୍କୁ କଲେଜ ସହ ଯୋଡ଼ି ସେମାନଙ୍କଠୁ କଲେଜର ବିକାଶ ପାଇଁ ପାଣ୍ଠି ସଂଗ୍ରହ କରିବା ଓ ଯେତିକି ଅର୍ଥ ସଂଗ୍ରହ ହେବ ତା’ର ଦ୍ୱିଗୁଣ ଅର୍ଥ ସରକାର ସମ୍ପୃକ୍ତ କଲେଜକୁ ଯୋଗାଇ ଦେବେ ବୋଲି ହୋଇଥିବା ପୂର୍ବ ନିଷ୍ପତ୍ତିକୁ ବିଶେଷ ଭାବେ ପ୍ରୋତ୍ସାହିତ କରିବାକୁ କୁହାଯାଇଛି । ଡିଗ୍ରୀ କଲେଜରୁ ଅଲଗା ହୋଇଥିବା ଯୁକ୍ତ ଦୁଇ କଲେଜଗୁଡ଼ିକର ଭିତ୍ତିଭୂମି ନିର୍ମାଣକୁ ବିଶେଷ ଗୁରୁତ୍ୱ ଦେବାକୁ ମଧ୍ୟ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତ ୪ ଦିନ ତଳେ ରାଜ୍ୟ ସରକାର ଏହି ‘ସ୍ମାର୍ଟ କଲେଜ’ ରୂପାନ୍ତର ପାଇଁ ଡିଷ୍ଟ୍ରକ୍ଟ କଲେଜ ଡେଭଲପମେଣ୍ଟ ଫେସିଲେସନ କମିଟି(ଡିସିଡିଏଫସି) ଗଠନ କରିଥିଲେ । ଏହି ସ୍ମାର୍ଟ କଲେଜ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସରକାର ପ୍ରତ୍ୟେକ ଜିଲ୍ଲା ପାଇଁ ଗଢ଼ିଥିବା କମିଟିରେ ଜିଲ୍ଲାପାଳ ଅଧ୍ୟକ୍ଷତା କରୁଥିବାବେଳେ ପୁଲିସ ଏସପି, ଉପଜିଲ୍ଲାପାଳ, ଜିଲ୍ଲାର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ବେସରକାରୀ ଡିଗ୍ରୀ କଲେଜର ଅଧ୍ୟକ୍ଷଙ୍କ ସମେତ ଆରଡି,ଆରଆଣ୍ଡବି, ଜିଇଡି, ପିଏଚଡି ଆଦି ବିଭାଗର ଡିଭିଜନ ମୁଖ୍ୟ(ଜିଲ୍ଲାପାଳ ନିର୍ଦ୍ଧାରଣ କରିବେ)ଙ୍କୁ ସଦସ୍ୟ ଭାବେ ଏହି କମିଟିରେ ସାମିଲ କରାଯିବ । କମିଟିର ଆବାହକ ଭାବେ ଉଚ୍ଚଶିକ୍ଷା ବିଭାଗର ଆଂଚଳିକ ନିର୍ଦ୍ଦେଶକ କିମ୍ବା ଉପନିର୍ଦ୍ଦେଶକ କାର୍ଯ୍ୟ କରିବେ । ଏହି କମିଟିର ସଂଯୋଜକ ସଦସ୍ୟ ଭାବେ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ରହିବେ । ଜିଲ୍ଲାପାଳ ଚାହିଁଲେ ଆବଶ୍ୟକତା ଅନୁସାରେ ମ୍ୟୁନିସପାଲ କମିଶନର ଓ ସିଡିଏମଓଙ୍କୁ ଏହି କମିଟିରେ ସାମିଲ କରିପାରିବେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos