ଗଣପର୍ବ ନୂଆଖାଇର ଧୁମ୍: ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୂଆଖାଇଲେ ପଶ୍ଚିମ ଓଡ଼ିଶାବାସୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୂଆଖାଇ ଲାଗି ସମଗ୍ର ପଶ୍ଚିମ ଓଡ଼ିଶା ଉତ୍ସବମୁଖର। ନିର୍ଦ୍ଧାରିତ ଶୁଭଲଗ୍ନ ଅନୁସାରେ ଆଜି ସକାଳ ୯ଟା ୫ରୁ ୯ଟା ୧୫ ମିନିଟ୍ ମଧ୍ୟରେ ସମ୍ବଲପୁରର ଇଷ୍ଟଦେବୀ ମାଆ ସମଲେଶ୍ୱରୀଙ୍କ ନିକଟରେ ଲାଗି ହୋଇଥିଲା ନବାନ୍ନ। ନୂଆ ଶସ୍ୟରେ ପ୍ରସ୍ତୁତ କ୍ଷୀରି, ପିଠା ଆଦି ନୈବେଦ୍ୟ ଅର୍ପଣ କରାଯିବା ପରେ ପ୍ରସାଦ ପାଇଥିଲେ ଲୋକେ। ଏହାପରେ ଘରେ ଘରେ ପ୍ରସ୍ତୁତ ହୋଇଥିବା ଭଳିକି ଭଳି ପିଠା ଓ ମିଠା ସାଙ୍ଗକୁ ସୁସ୍ୱାଦୁ ବ୍ୟଞ୍ଜନ। ପରେ […]

Rakesh Mallick
  • Published: Saturday, 26 August 2017
  • , Updated: 26 August 2017, 08:52 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୂଆଖାଇ ଲାଗି ସମଗ୍ର ପଶ୍ଚିମ ଓଡ଼ିଶା ଉତ୍ସବମୁଖର। ନିର୍ଦ୍ଧାରିତ ଶୁଭଲଗ୍ନ ଅନୁସାରେ ଆଜି ସକାଳ ୯ଟା ୫ରୁ ୯ଟା ୧୫ ମିନିଟ୍ ମଧ୍ୟରେ ସମ୍ବଲପୁରର ଇଷ୍ଟଦେବୀ ମାଆ ସମଲେଶ୍ୱରୀଙ୍କ ନିକଟରେ ଲାଗି ହୋଇଥିଲା ନବାନ୍ନ। ନୂଆ ଶସ୍ୟରେ ପ୍ରସ୍ତୁତ କ୍ଷୀରି, ପିଠା ଆଦି ନୈବେଦ୍ୟ ଅର୍ପଣ କରାଯିବା ପରେ ପ୍ରସାଦ ପାଇଥିଲେ ଲୋକେ। ଏହାପରେ ଘରେ ଘରେ ପ୍ରସ୍ତୁତ ହୋଇଥିବା ଭଳିକି ଭଳି ପିଠା ଓ ମିଠା ସାଙ୍ଗକୁ ସୁସ୍ୱାଦୁ ବ୍ୟଞ୍ଜନ। ପରେ ଅନୁଷ୍ଠିତ ହୋଇଥିଲା ଜୁହାର ପର୍ବ, ପରିବାରର ବଡ଼ମାନଙ୍କୁ ମୁଣ୍ଡିଆ ମାରି ସାନମାନେ ଆଶୀର୍ବାଦ ଭିକ୍ଷା କରିଥିଲେ। ବଲାଙ୍ଗିରର ଇଷ୍ଟଦେବୀ ମାଆ ପାଟଣେଶ୍ୱରୀଙ୍କଠାରେ ଶୁଭଲଗ୍ନ ଧାର୍ଯ୍ୟ ହୋଇଥିଲା ୯ଟା ୩୫ରୁ ୧୧ଟା ୩୧ରେ ମଧ୍ୟରେ। ଏହି ସମୟରେ ମାଙ୍କ ପାଖରେ ଲାଗି ହୋଇଥିଲା ନବାନ୍ନ ତା ପରେ ନିଜ ନିଜର ଇଷ୍ଟ ଦେବାଦେବୀଙ୍କୁ ନବାନ୍ନ ଅର୍ପଣ ପରେ ପରିବାର ଲୋକେ ଏକାଠି ବସି ନୂଆ ଖାଇଥିଲେ।

ସୁନ୍ଦରଗଡ଼ରେ ବି ଆନନ୍ଦ ଉଲ୍ଲାସର ସହ ପାଳନ ହେଉଛି ଗଣପର୍ବ ନୂଆଖାଇ। ସକାଳେ ୯ଟା ୫୦ରେ ଇଷ୍ଟ ଦେବୀ ମା ସମଲେଇଙ୍କଠାରେ ନବାନ୍ନ ଲାଗି ହୋଇଥିଲା ଓ  ପରେ ଘରେ ଘରେ ନୂଆ ଖାଇବା ଲାଗି ଆରମ୍ଭ ହୋଇଥିଲା ପ୍ରସ୍ତୁତି। ସୋନପୁରରେ ବି ମହା ଆଡ଼ମ୍ବରରେ ପାଳିତ ହୋଇଛି ନୂଆଖାଇ ପର୍ବ। ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ହେବାପାଇଁ ସକାଳୁ ସ୍ଥାନୀୟ ସମଲେଇ ମନ୍ଦିରକୁ ବାହାରିଥିଲା ବିରାଟ ଶୋଭାଯାତ୍ରା। ଦେବୀଙ୍କ ନିକଟରେ ଭୋଗ ଲାଗି ହେବାପରେ କ୍ଷେତକୁ ଯାଇ ମାଟି ମା’ର ପୂଜା କରିଥିଲା ଚଷାପୁଅ।

ସବୁ ବର୍ଷ ନୂଆଖାଇରେ ବଲାଙ୍ଗିର ଶୈଳଶ୍ରୀ ରାଜ ଉଆସ ଚଳଚଞ୍ଚଳ ହେଉଥିବା ବେଳେ ଏଥର କିନ୍ତୁ ଉତ୍ସବ ପାଳନ କରାଯାଇନି। କୌଣସି କାରଣରୁ ପାଟଣାଗଡ଼ର ରାଜା କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ ପରିବାରର ଅନ୍ୟ ସଦସ୍ୟ ଯୋଗ ଦେଇନଥିଲେ। ସେପଟେ ନୂଆଖାଇ ଅବସରରେ ବଧାଇ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

Related story