ବଲାଙ୍ଗିର (ସସ୍ମିତା ସାହୁ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇକୁ ଆଉ ମାତ୍ର ସପ୍ତାହେ ବାକି ଅଛି। ପର୍ବ ପାଖେଇ ଆସୁଥିବାରୁ ଚଳଚଞ୍ଚଳ ହୋଇପଡ଼ିଛି ପଶ୍ଚିମ ଓଡ଼ିଶା। ଦୋକାନ ବଜାରରେ ଭିଡ଼ ଜମୁଛି। ସାହି ସାହିରେ ଶୁଭୁଛି ଢିଙ୍କିର ଶବ୍ଦ। ଏହାସହ ଚାଉଳ ଚୂନାର ମହକ ବି ବାରି ହୋଇ ପଡ଼ୁଛି। ଏବେ ପ୍ରାୟ ସବୁ ପର୍ବପର୍ବାଣୀରେ ଆଧୁନିକତା ବାରି ହୋଇପଡ଼ୁଛି। ହେଲେ ନୂଆଁଖାଇ ତା’ର ମୌଳିକତା ଆଜିବି ବଜାୟ ରଖିଛି। ଆଜି ବି ପ୍ରସ୍ତୁତ ହେଉଛି ନଅ ତିଅଣ ଛ ଭଜା। ଜୁହାର ଭେଟ୍ରେ ଗୁରୁଜନଙ୍କ ଆଶୀର୍ବାଦ ନେଉଛନ୍ତି ସାନ।
ହରାଇନି ମୌଳିକତା
ନୂଆଁଖାଇକୁ ଆଉ ଅଳ୍ପଦିନ ବାକି ଅଛି। ପଶ୍ଚିମ ଓଡ଼ିଶାର ଲୋକେ ଯିଏ ଯୁଆଡ଼େ ରହୁଛନ୍ତି ସବୁ ଏବେ ଘରମୁହାଁ। କିଛିକିଛି ଲୋକ ତ ଘରେ ପହଞ୍ଚି ସାରିଲେଣି। ଏବେ ସମସ୍ତଙ୍କ ଅପେକ୍ଷା ସେହି ଦିନକୁ। ପୁଣି ନୂଆଁଖାଇର ରଙ୍ଗରେ ରଙ୍ଗେଇ ଯିବ ପୂରା ପଶ୍ଚିମ ଓଡ଼ିଶା।
ଏହା ମଧ୍ୟରେ ଦେଖିବାକୁ ମିଳିବ ସେହି ପୁରୁଣା ପରମ୍ପରା। ଟିକେ ବି ନ ଥିବ ଆଧୁନିକତାର ଛାପ। ପୂଜାବିଧି ହେଉ କି ନବାନ୍ନ ଲାଗି ସବୁ ପରମ୍ପରା ଅନୁସାରେ। କେବଳ ପୂଜାବିଧି କି ନୂଆ ଲୁଗାରେ ନୁହେଁ, ଗୀତ ଓ ସାହିତ୍ୟରେ ବି ନୂଆଁଖାଇ ବଜାୟ ରଖିଛି ପାରମ୍ପାରିକତା। ବ୍ୟଙ୍ଗ ସାହିତ୍ୟ ଓ ଗାୟକଙ୍କ ଗୀତରେ ବାରି ହୋଇପଡୁଛି ନୂଆଁଖାଇର ମହକ।
ଆଜି ବି ବାଜୁଛି ଡେଙ୍ଗୁରା
ଏବେ ଲୋକଙ୍କୁ କୌଣସି ସୂଚନା ଦେବାକୁ ହେଲେ ଡାକବାଜି ଯନ୍ତ୍ର ବ୍ୟବହାର କରାଯାଉଛି। ହେଲେ ପଶ୍ଚିମ ଓଡ଼ିଶାରେ ଏବେବି ଡେଙ୍ଗୁରା ପରମ୍ପରା ଅତୁଟ ରହିଛି। ଅନ୍ୟ କୌଣସି ପର୍ବରେ ନହେଉ ପଛେ ନୂଆଁଖାଇ ପାଇଁ ଗାଁ ଦାଣ୍ଡରେ ଏବେ ଶୁଣିବାକୁ ମିଳୁଛି ଡେଙ୍ଗୁରା। ଡେଙ୍ଗୁରା ବଜା ଯାଇ ନୂଆଁଖାଇ ସମ୍ପର୍କରେ ଲୋକଙ୍କୁ ସୂଚନା ଦିଆଯାଉଛି।
ଏହି ଡେଙ୍ଗୁରା ପରମ୍ପରା ଆଜିର ନୁହେଁ। ରାଜରାଜୁଡ଼ା ଅମଳରୁ ଏହି ପରମ୍ପରା ରହିଆସିଛି। ସେତେବେଳେ ରାଜାଙ୍କ ନିର୍ଦ୍ଦେଶ ପରେ ଗାଁ ଗଉଁନ୍ତିଆଙ୍କ ଲୋକେ ଡେଙ୍ଗୁରା ପିଟି ଲୋକଙ୍କୁ ଶୁଭଲଗ୍ନ ବିଷୟରେ ଅବଗତ କରାଉଥିଲେ। ସେବେଠାରୁ ଏହି ଡେଙ୍ଗୁରା ପିଟା ପରମ୍ପରା ରହି ଆସିଛି।
ଚାଉଳ ଚୂନାରେ ମହକୁଛି ଗାଁ ଦାଣ୍ଡ
ଯୁଗ ସହ ତାଳ ଦେଇ ବଦଳିଛି ଚଳିଣୀ। ଏଣିକି ଆଉ ଚାଉଳ ଚୂନା ପ୍ରସ୍ତୁତ କରିବାକୁ ଢିଙ୍କି ଉପରେ ନିର୍ଭର କରିବାକୁ ପଡ଼ୁନାହିଁ। ଏହାର ସ୍ଥାନ କଳ ଓ ଗ୍ରାଇଣ୍ଡର ନେଇଛି। ହେଲେ ନୂଆଁଖାଇ ପାଇଁ ଚାଉଳ ଚୂନା ପ୍ରସ୍ତୁତ କରିବାର ପରମ୍ପରା ଆଜି ବି ଅତୁଟ ରହିଛି। ନୂଆଁଖାଇରେ ଘରେ ନଅ ତିଅଣ ଛଅ ଭଜା ପ୍ରସ୍ତୁତ ହେବ। ଏହାସହ ବିଭିନ୍ନ ସ୍ୱାଦିଷ୍ଟ ଖାଦ୍ୟ ବି ପ୍ରସ୍ତୁତ କରାଯିବ। ଏଥିପାଇଁ ଲୋକେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ରାସ୍ତାରେ ଗଲେ ଢିଙ୍କିର ଶବ୍ଦ କାନରେ ପଡୁଛି। ଏହାସହ ଚାଉଳ ଚୂନାର ମହକରେ ଗାଁ ଦାଣ୍ଡ ଫାଟିପଡ଼ୁଛି।
ଉତ୍ସାହିତ ଚଷାପୁଅ
ଚାଷୀ ଓ ଚାଷର ପର୍ବ ହେଲା ନୂଆଁଖାଇ। ନୂଆଁଖାଇ ନେଇଆସେ ଚାଷୀ ପରିବାରରେ ହସ ଖୁସିର ପରିବେଶ। କାରଣ ଶ୍ରାବଣ ଓ ଭାଦ୍ରବର ପ୍ରଥମ ସପ୍ତାହ ମଧ୍ୟରେ ଚଷାପୁଅ ବିଲରେ ସବୁ କାମ ସାରି ଦେଇଥାଏ। ହଳ ଲଙ୍ଗଳ ସଫା କରି ଘରେ ରଖି ଦେଇଥାଏ। ଅପେକ୍ଷା ଥାଏ ଅମଳକୁ।
ଏଥର ଭଲ ବର୍ଷା ହୋଇଥିବାରୁ ଚାଷ ବି ଭଲ ହେବ ବୋଲି ଚଷାପୁଅ ଆଶା ବାନ୍ଧିଛି। ଶୀଘ୍ର ଚାଷ ହୋଇଥିବା କିଛି ସ୍ଥାନରେ ଧାନଗଛରେ କେଣ୍ଡା ମଧ୍ୟ ଆସିବା ଆରମ୍ଭ ହୋଇଗଲାଣି। ଯାହା ଚାଷୀ ପରିବାରରେ ଖୁସି ନେଇ ଆସିଛି।
https://www.youtube.com/watch?v=OT1uZtaw7U0