ନୂଆପଡ଼ା (ଓଡ଼ିଶା ରିପୋର୍ଟର): ଧାର ଟଙ୍କା ଫେରାଇବାରେ ବିଳମ୍ୱ ହେବାରୁ ଜଙ୍ଗଲକୁ ଡାକି ନେଇ ପଥରରେ ଛେଚିଦେଲେ। ମରିଯାଇଛି ବୋଲି ଭାବି ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ। ଏପରିକି ଧରାପଡ଼ିଯିବା ଭୟରେ ନାଟକ ମଧ୍ୟ କରିଥିଲେ। ଏପରି ଦୁଇ ନାଟୁଆଙ୍କୁ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ପୋଲିସ ଗିରଫ କରିଛି।
ପୂରା ଘଟଣା ଏମିତି। ମନୋରଞ୍ଜନ ସରାଫଙ୍କ ଠାରୁ ଖରିଆର ଗାଁର ଲୁଗା ବ୍ୟବସାୟୀ କୈଳାଶ ସରାଫଙ୍କ ପୁଅ ବୈଭବ ୭,୦୦୦ ଟଙ୍କା ଧାର ନେଇଥିଲେ। ମାତ୍ର ଏହି ଟଙ୍କା ଫେରାଇବାରେ ବିଳମ୍ବ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଟଙ୍କା ଦେବାରେ ଯେତେ ବିଳମ୍ବ ହେଉଥିଲା ଉଭୟଙ୍କ ମଧ୍ୟରେ ଶତ୍ରୁତା ସେତିକି ବଢ଼ୁଥିଲା। ଶେଷରେ ମନୋରଞ୍ଜନ, ବୈଭବକୁ ରାସ୍ତାରୁ ଉଠାଇବାକୁ ଯୋଜନା କରିଥିଲେ।
ଗତ ୩୦ ତାରିଖରେ ମନୋରଞ୍ଜନ ଓ ତାଙ୍କ ସାଙ୍ଗ ରାହୁଲ କୁମାର ଯୋଜନାବଦ୍ଧ ଭାବେ ବୈଭବଙ୍କୁ ଏକ ବାଇକ୍ରେ ରାନୀପୁର ଜଙ୍ଗଲକୁ ଡାକି ନେଇଥିଲେ। ସେଠାରେ ଧାର ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଉତ୍କ୍ଷିପ୍ତ ମନୋରଞ୍ଜନ ପଥରରେ ବୈଭବଙ୍କ ମୁଣ୍ଡକୁ ଛେଚି ଦେଇଥିଲେ। ଫଳରେ ବୈଭବ ଚେତା ହରାଇ ତଳେ ପଡ଼ିଯାଇଥିଲେ। ମରିଯାଇଛି ଭାବି ତାଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ ମନୋରଞ୍ଜନ ଓ ରାହୁଲ। ଘଟଣାକୁ ଭିନ୍ନ ରୂପ ଦେବା ପାଇଁ ସେହିଦିନ ରାତି ୧୦ଟା ବେଳେ ସେମାନେ ବୈଭବ ଫୋନ୍ରୁ ତାଙ୍କ ବାପାଙ୍କୁ ଫୋନ୍ କରି ୩୦ ଲକ୍ଷ ଟଙ୍କା ମାଗିଥିଲେ। ଟଙ୍କା ନଦେଲେ ତାଙ୍କ ପୁଅକୁ ମାରିଦେବେ ବୋଲି ଧମକ ମଧ୍ୟ ଦେଇଥିଲେ।
ଏହି ଫୋନ୍କଲ୍ ଓ ଅନ୍ୟାନ୍ୟ ପ୍ରମାଣକୁ ଆଧାର କରି ଅଭିଯୁକ୍ତଙ୍କ ପାଖରେ ପହଞ୍ଚିଛି ପୋଲିସ। ଘଟଣା ପଛରେ ଆଉ କିଛି କାରଣ ଅଛିକି ନାହିଁ ଜାଣିବା ପାଇଁ ଏବେ ମଧ୍ୟ ତଦନ୍ତ ଚାଲିଛି ବୋଲି ନୂଆପଡ଼ା ଏସ୍ପି କହିଛନ୍ତି।