ପାକ ସୁନ୍ଦରୀଙ୍କ ପ୍ରେମରେ ଫସିଲେ ଓଡ଼ିଆ ଯବାନ, ରହିଛି କି ଆଇଏସ୍‌ଆଇ ଲିଙ୍କ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶତ୍ରୁପକ୍ଷର ହନିଟ୍ରାପ୍‌ରେ ଭାରତୀୟ ସେନାର ଓଡ଼ିଆ ଯବାନ। ପୁଣି ପାକ ସୁନ୍ଦରୀଙ୍କ ପ୍ରେମ ଫାଶରେ ସେନା କର୍ମଚାରୀ। ଭାରତୀୟ ସେନାରେ କାର୍ଯ୍ୟରତ ଗଞ୍ଜାମ ଜିଲ୍ଲାର ବିଚିତ୍ର ବେହେରା ଛନ୍ଦି ହୋଇଛନ୍ତି ହନିଟ୍ରାପ୍‌ରେ। ମାସେ କି ଦୁଇ ମାସ ନୁହଁ, ପ୍ରାୟ ୨ ବର୍ଷ ଧରି ପ୍ରେମ୍‌ଫାଶରେ ପଡ଼ି ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇର ସନ୍ଦିଗ୍ଧ ମହିଳା ଏଜେଣ୍ଟଙ୍କୁ ଗୋପନୀୟ ତଥ୍ୟ ଦେଇଥିବା ଆଶଙ୍କା କରାଯାଉଛି। ଯାହାଙ୍କୁ ଗତକାଲି ରାଜସ୍ଥାନ ପୁଲିସର ସିଆଇଡି କ୍ରାଇମବ୍ରାଞ୍ଚ […]

ganjam-boy-in-honey-trap

Manoranjan Sial
  • Published: Friday, 08 November 2019
  • , Updated: 08 November 2019, 10:24 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶତ୍ରୁପକ୍ଷର ହନିଟ୍ରାପ୍‌ରେ ଭାରତୀୟ ସେନାର ଓଡ଼ିଆ ଯବାନ। ପୁଣି ପାକ ସୁନ୍ଦରୀଙ୍କ ପ୍ରେମ ଫାଶରେ ସେନା କର୍ମଚାରୀ। ଭାରତୀୟ ସେନାରେ କାର୍ଯ୍ୟରତ ଗଞ୍ଜାମ ଜିଲ୍ଲାର ବିଚିତ୍ର ବେହେରା ଛନ୍ଦି ହୋଇଛନ୍ତି ହନିଟ୍ରାପ୍‌ରେ। ମାସେ କି ଦୁଇ ମାସ ନୁହଁ, ପ୍ରାୟ ୨ ବର୍ଷ ଧରି ପ୍ରେମ୍‌ଫାଶରେ ପଡ଼ି ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇର ସନ୍ଦିଗ୍ଧ ମହିଳା ଏଜେଣ୍ଟଙ୍କୁ ଗୋପନୀୟ ତଥ୍ୟ ଦେଇଥିବା ଆଶଙ୍କା କରାଯାଉଛି। ଯାହାଙ୍କୁ ଗତକାଲି ରାଜସ୍ଥାନ ପୁଲିସର ସିଆଇଡି କ୍ରାଇମବ୍ରାଞ୍ଚ ଜୟପୁର ରେଳଷ୍ଟେସନରୁ ତାଙ୍କ ଗିରଫ କରିଛି। ଯିଏ ସୋଶାଲ୍‌ ମିଡ଼ିଆ ଜରିଆରେ ପୋଖରାନ ଅଞ୍ଚଳର ସେନା ଶିବିର ଓ ସୀମା ସଂକ୍ରାନ୍ତୀୟ କିଛି ତଥ୍ୟ ଦେବା ସହ ଏ ବାବଦକୁ କିଛି ଟଙ୍କା ପାଇଥିବା କୁହାଯାଉଛି। ବିଚିତ୍ରଙ୍କୁ ଗୋଇନ୍ଦା ତଥ୍ୟ ଆଧାରରେ ଅଧିକ ପଚରାଉଚରା ପାଇଁ ୫ ଦିନିଆ ରିମାଣ୍ଡରେ ନେଇଛି ରାଜସ୍ଥାନ ପୁଲିସ। ଜେରା ବେଳେ ସନ୍ଦିଗ୍ଧ ମହିଳାଙ୍କ ସହ ସମ୍ପର୍କ ଥିବା କଥାକୁ ବିଚିତ୍ର ସ୍ୱୀକାର କରିଥିବା ଜଣାପଡ଼ିଛି।

ଗତ ୪ ବର୍ଷ ତଳେ ଭାରତୀୟ ସେନାରେ ଯୋଗଦେଇଥିବା ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଆଙ୍କୋରଡ଼ାର ବିଚିତ୍ରଙ୍କୁ ପୋଖରାନରେ ନିୟୋଜିତ କରାଯାଇଥିଲା। ରାଜସ୍ଥାନ ଡିଜିପିଙ୍କ ସୂଚନା ଅନୁଯାୟୀ, ଗତ ୨ ବର୍ଷ ତଳେ ପ୍ରଥମେ ଫେସ୍‌ବୁକ୍‌ରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇର ଜଣେ ମହିଳା ଏଜେଣ୍ଟଙ୍କ ସହ ସଂସ୍ପର୍ଶରେ ଆସିଥିଲେ। ତା’ପରେ ଉଭୟଙ୍କ ମଧ୍ୟରେ ବଢ଼ିଥିଲା ଅନ୍ତରଙ୍ଗତା। ଆଉ ଅନ୍ତରଙ୍ଗତାରୁ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ। ସେହି ପ୍ରେମର ପାଲରେ ପକାଇ ବିଚିତ୍ରଙ୍କଠାରୁ ସନ୍ଦିଗ୍ଧ ମହିଳା ଏଜେଣ୍ଟ ହ୍ୱାଟ୍ସଆପ୍‌ରେ ସେନାର କିଛି ଗୋପନୀୟ ତଥ୍ୟ ହାତେଇଥିବା ଆଶଙ୍କା କରାଯାଉଛି। ତେବେ ଏକମାତ୍ର ରୋଜଗାରିଆ ପୁଅ ବିରୋଧରେ ଆସିଥିବା ଏଭଳି ଆରୋପକୁ ନେଇ ଭାଙ୍ଗି ପଡ଼ିଥିବା ପରିବାର ଲୋକେ କିନ୍ତୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି।

ଭାରତୀୟ ସେନାକୁ ଆଇଏସ୍‌ଆଇର ହନିଟ୍ରାପ୍‌ ଚିନ୍ତା ନୂଆ ନୁହେଁ। ଗତ ଜାନୁୟାରୀ ୧୩ରେ ହନିଟ୍ରାପ୍‌ରେ ଶିକାର ହୋଇ ଗୁପ୍ତ ବିବରଣୀ ପଠାଇଥିବା ଅଭିଯୋଗରେ ରାଜସ୍ଥାନ ଜୈସଲମେର୍ ଜିଲ୍ଲାରେ ଜଣେ ଯବାନଙ୍କୁ ଗିରଫ କରିଥିଲା ପୁଲିସ। ଏହାର କିଛି ମାସର ବ୍ୟବଧାନ ପରେ ଏବେ ପୁଣି ସାମ୍ନାକୁ ଆସିଛି ଜଣେ ଓଡ଼ିଆ ଯବାନଙ୍କ ଲିଙ୍କ୍।

Related story