ସଙ୍କଟରେ ଓଡ଼ିଶା ‘ଚାଟଶାଳୀ’: ପଶ୍ଚିମବଙ୍ଗ ସ୍କୁଲ ମୁହାଁ ଓଡ଼ିଆ ପିଲା

ଜଳେଶ୍ୱର(ଅଜିତ ଦାସ): ଦିନ ଥିଲା ଓଡ଼ିଆଙ୍କ ଆଦ୍ୟ ଶିକ୍ଷାନୁଷ୍ଠାନ ଥିଲା ‘ଚାଟଶାଳୀ’। ଆଉ ଓଡ଼ିଆ ଭାଷାର ଆଦ୍ୟ ପୁସ୍ତକ ଥିଲା ‘ମଧୁ ବର୍ଣ୍ଣବୋଧ’। ଅବଶ୍ୟ ଆଜି ବି ଅଛି ‘ଚାଟଶାଳୀ’ ଓ ‘ମଧୁ ବର୍ଣ୍ଣବୋଧ’। ହେଲେ ଓଡ଼ିଆ ପଢ଼ିବାକୁ ନା ପିଲାଙ୍କ ଆଗ୍ରହ ଅଛି ନା ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଆନ୍ତରିକତା ରହିଛି। ଏଭଳି ଘଡ଼ିସନ୍ଧି ସମୟ ଦେଇ ଗତି କରୁଛି ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ବିଚ୍ଛିନ୍ନାଞ୍ଚଳରେ ଥିବା ସବୁ ‘ଚାଟଶାଳୀ’। କାରଣ ପିଲାଙ୍କୁ ମାଗଣା ବହି ଓ ଖାଦ୍ୟ […]

chatasali

Manoranjan Sial
  • Published: Sunday, 19 January 2020
  • , Updated: 19 January 2020, 09:07 PM IST

ଜଳେଶ୍ୱର(ଅଜିତ ଦାସ): ଦିନ ଥିଲା ଓଡ଼ିଆଙ୍କ ଆଦ୍ୟ ଶିକ୍ଷାନୁଷ୍ଠାନ ଥିଲା ‘ଚାଟଶାଳୀ’। ଆଉ ଓଡ଼ିଆ ଭାଷାର ଆଦ୍ୟ ପୁସ୍ତକ ଥିଲା ‘ମଧୁ ବର୍ଣ୍ଣବୋଧ’। ଅବଶ୍ୟ ଆଜି ବି ଅଛି ‘ଚାଟଶାଳୀ’ ଓ ‘ମଧୁ ବର୍ଣ୍ଣବୋଧ’। ହେଲେ ଓଡ଼ିଆ ପଢ଼ିବାକୁ ନା ପିଲାଙ୍କ ଆଗ୍ରହ ଅଛି ନା ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଆନ୍ତରିକତା ରହିଛି। ଏଭଳି ଘଡ଼ିସନ୍ଧି ସମୟ ଦେଇ ଗତି କରୁଛି ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ବିଚ୍ଛିନ୍ନାଞ୍ଚଳରେ ଥିବା ସବୁ ‘ଚାଟଶାଳୀ’। କାରଣ ପିଲାଙ୍କୁ ମାଗଣା ବହି ଓ ଖାଦ୍ୟ ମିଳୁନି। ଏପରିକି ‘ଚାଟଶାଳୀ’ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ମଧ୍ୟ ମାସିକ ଦରମା ୧୫୦୦ ଟଙ୍କା ନିୟମିତ ଭାବେ ମିଳିପାରୁନି। ଫଳରେ ସମସ୍ତେ ‘ଚାଟଶାଳୀ’ ପ୍ରତି ମୁହଁ ବୁଲାଇ ପଶ୍ଚିମବଙ୍ଗ(ବେଙ୍ଗଲ) ସ୍କୁଲ ଆଡେ ଯାଉଛନ୍ତି।

ଚାଟଶାଳୀରେ ପଢ଼ୁଥିବା ଛାତ୍ର ସ୍ୱସ୍ତିକ ପଣ୍ଡା କହିଛନ୍ତି-“ଆମକୁ ବହି, ସିଲଟ ଓ ଖଡି ମିଳୁନି। ସେଥିପାଇଁ ପିଲାମାନେ ଏଠାକୁ ପଢ଼ିବାକୁ ଆସୁନାହାନ୍ତି। ବେଙ୍ଗଲ ସ୍କୁଲକୁ ଚାଲି ଯାଉଛନ୍ତି।”

ଚାଟଶାଳୀ ଶିକ୍ଷୟିତ୍ରୀ ସଂଯୁକ୍ତା ଦାସ କହିଛନ୍ତି-“ଚାଟଶାଳୀରେ ପାଠ ପଢ଼ୁଥିବା ପିଲାଙ୍କୁ କଣ ମିଳୁଛି ବୋଲି ସେମାନଙ୍କ ଅଭିଭାବକ ପଚାରୁଛନ୍ତି? ଏକଥା ଶୁଣିବା ପରେ ମୋତେ ଦୁଃଖ ଲାଗୁଛି। କାରଣ ମୋତେ ଦରମା ମିଳୁନି। ଦୁଇ ବର୍ଷ ହେଲା ମୁଁ ଦରମା ପାଇନି। ଆଉ ପିଲାମାନଙ୍କୁ କଣ ଦେବି?”

ପଶ୍ଚିମବଙ୍ଗ ସୀମା ସେପଟେ ଓଡ଼ିଆ ଲିପି ଶିକ୍ଷାର ପ୍ରସାର, ପ୍ରସାର ଓ ଶିକ୍ଷାଦାନ ଉଦ୍ଦେଶ୍ୟରେ ୨୦୦୪ରେ ପ୍ରତିଷ୍ଠା କରାଯାଇଥିଲା ୧୩୫ଟି ‘ଚାଟଶାଳୀ’। ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ସହ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଏହାର ପରିଚାଳନା ଦାୟିତ୍ୱ ନେଇଛି ‘ଉତ୍କଳ ସମ୍ମିଳନୀ’। ଓଡ଼ିଆ ଭାଷା ସମ୍ପର୍କରେ ପ୍ରଥମରୁ ଚତୁର୍ଥ ଶ୍ରେଣୀ ପିଲାଙ୍କୁ ପାଠ ପଢ଼ାଇବାକୁ ନିଯୁକ୍ତ ହୋଇଛନ୍ତି ଶିକ୍ଷକ ଓ ଶିକ୍ଷୟିତ୍ରୀ। ଇତିମଧ୍ୟରେ ‘ଚାଟଶାଳୀ’ ବ୍ୟବସ୍ଥାକୁ ବିତିଗଲାଣି ୧୬ ବର୍ଷ। ହେଲେ ଯେଉଁ ଉଦ୍ଦେଶ୍ୟରେ ‘ଚାଟଶାଳୀ’ ପ୍ରତିଷ୍ଠା ହୋଇଥିଲା, ତାହା ସାଧିତ ହୋଇନାହିଁ! ‘ଚାଟଶାଳୀ’ରେ ପଢ଼ୁଥିବା ପିଲାଙ୍କୁ ପାଠ୍ୟ ଉପକରଣ ମିଳୁନାହିଁ। ଏପରିକି ମଧ୍ୟାହ୍ନ ଭୋଜନ ମଧ୍ୟ ମିଳୁନି। ଯେଉଁଥିପାଇଁ ପିଲାମାନେ ବେଙ୍ଗଲ ସ୍କୁଲରେ ପାଠ ପଢ଼ିବାକୁ ଚାଲି ଯାଉଛନ୍ତି। କାରଣ ସେଠି ସେମାନଙ୍କୁ ବେଙ୍ଗଲୀ ଭାଷାରେ ପୁସ୍ତକ ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ମିଳୁଛି। ତେଣୁ ସେମାନେ କାହିଁକି ଓଡ଼ିଶା ସରକାର ପ୍ରତିଷ୍ଠା କରିଥିବା ‘ଚାଟଶାଳୀ’କୁ ଯିବେ?

ସୀମାନ୍ତ ଜିଲ୍ଲାରେ ଓଡ଼ିଆ ଭାଷା ସଙ୍କଟ ଦେଇ ଗତି କରୁଥିବା ବେଳେ ଉତ୍କଳ ସମ୍ମିଳନୀ ଆରମ୍ଭ କରିଛି ଅଭିଯାନ। ପଶ୍ଚିମ ମେଦିନପୁର, ଝାଡ଼ଗ୍ରାମ ଆଦି ଅଞ୍ଚଳକୁ ଯାଇ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ଉତ୍କଳ ସମ୍ମିଳନୀ ଅଭିଯାନ ଜାରି ରଖିବା ସହ ‘ଚାଟଶାଳୀ’ର ବିକାଶ ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେବାକୁ ଦାବି କରିଛି।

Related story