ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ୪ ଦିନ ତଳେ ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନରେ ସମସ୍ତ ପ୍ରକାରର ସରକାରୀ କାର୍ଯ୍ୟରେ ଜାତୀୟ ଭାଷା ‘ହିନ୍ଦୀ’ ଉପଯୋଗକୁ ଦୃଢ଼ ବିରୋଧ କରିଥିବା ଶାସକ ବିଜେଡିର ‘ଭାଷା ପ୍ରୀତି’ ପଦାରେ ପଡ଼ିଛି। ଏମ୍ସରେ ଓଡ଼ିଆ ଭାଷାର ଅପମାନ ହେଉଛି ଦର୍ଶାଇ ‘ଓଡ଼ିଆ ଭାଷା’ର ସୁରକ୍ଷା ନିମନ୍ତେ ଶାସକ ବିଜେଡିର ବିଧାୟକ ଓ ସାଂସଦମାନେ ଏକଜୁଟ୍ ହୋଇ ବିରୋଧ ଦର୍ଶାଇଥିବାବେଳେ ଏବେ ନିଜ ଦଳ ଶାସିତ ସରକାରରେ ‘ଓଡ଼ିଆ ଭାଷା’ ସଙ୍କଟରେ ପଡ଼ିଛି। ତା’ର ପ୍ରମାଣ ଆଜି ବିଧାନସଭାରେ ମିଳିଛି। ବିଜେଡି ବିଧାୟକ ପ୍ରଶାନ୍ତ କୁମାର ଜଗଦେବଙ୍କ ଦ୍ୱାରା ‘ସରକାରୀ ନଥିପତ୍ରରେ ଓଡ଼ିଆ ଭାଷାରେ କାର୍ଯ୍ୟକାରୀ’ ସଂକ୍ରାନ୍ତ ପ୍ରଶ୍ନର ଉତ୍ତର ‘ଓଡ଼ିଆ’ରେ ଦେବା ପରିବର୍ତ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଇଂରାଜୀ’ରେ ଉତ୍ତର ରଖିବା ହିଁ ପରୋକ୍ଷରେ ରାଜ୍ୟ ସରକାରଙ୍କ ‘ଓଡ଼ିଆ ଭାଷା’ ପ୍ରୀତି ଓ ଆନ୍ତରିକତାକୁ ପଦାରେ ପକାଇଛି।
ଆଜି ବିଧାନସଭାରେ ଚିଲିକାର ବିଜେଡି ବିଧାୟକ ଶ୍ରୀ ଜଗଦେବ ପ୍ରଶ୍ନ କରିଥିଲେ ଯେ, ଓଡ଼ିଶାର ସମସ୍ତ ସରକାରୀ କାର୍ଯ୍ୟାଳୟ ଲୋକସେବା ଭବନ, ଖାରବେଳ ଭବନରୁ ବିଭିନ୍ନ ଜିଲ୍ଲା, ସବଡିଭିଜନ, ବ୍ଲକ ଓ ତହସିଲମାନଙ୍କରେ ଓଡ଼ିଆ ଭାଷାରେ ଅଫିସ୍ କାଗଜାତ, ନଥିପତ୍ର ଆଦି ଅନୁପାଳନ କାର୍ଯ୍ୟକାରୀ ହେଉଛି କି? ଏହି ବ୍ୟବସ୍ଥାକୁ ସଠିକ୍ କାର୍ଯ୍ୟକାରିତା ଓ ଯେଉଁ ଅଫିସରମାନେ ଖିଲାପ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ କି ପ୍ରକାରର ଦଣ୍ଡ ଗ୍ରହଣ କରାଯାଇଛି।
ତେବେ ଶ୍ରୀ ଜଗଦେବ ଓଡ଼ିଆ ଭାଷାରେ ପଚାରିଥିବା ଏହି ପ୍ରଶ୍ନର ଉତ୍ତର କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଂରାଜୀ ଭାଷାରେ ଦେଇଛନ୍ତି। ଓଡ଼ିଆ ଭାଷାର ସୁରକ୍ଷା ପାଇଁ ନିଜ ଦଳର ଜଣେ ବିଧାୟକଙ୍କୁ ଉତ୍ତର ମୁଖ୍ୟମନ୍ତ୍ରୀ ଇଂରାଜୀ ଭାଷାରେ ଦେବାପରେ ତାହା ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ଉପଯୋଗିତାର ଆନ୍ତରିକତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଇଂରାଜୀ ଭାଷାରେ ଉତ୍ତର ରଖି କହିଛନ୍ତି ଯେ, ରାଜ୍ୟର ସମସ୍ତ ସରକାରୀ ଅଫିସରରେ ଓଡ଼ିଆ ଭାଷାର ବ୍ୟାପକ ଉପଯୋଗ ନିମନ୍ତେ ବିଭିନ୍ନ ସମୟରେ ନିର୍ଦ୍ଦେଶନାମା ଜାରି କରାଯାଉଛି। ସରକାରୀ ଉଦ୍ଦେଶ୍ୟରେ ଓଡ଼ିଆ ଭାଷାକୁ ଉପଯୋଗ କରିବାରେ ଯେଉଁଠି ପର୍ଯ୍ୟାପ୍ତ କାର୍ଯ୍ୟ ହେଉନି ଓ କ୍ରମାଗତ ଅପମାନ କରାଯାଉଛି ସେଠାରେ ଓଡ଼ିଆ ପ୍ରଶାସନିକ ସେବା ନିୟମ-୧୯୬୨ ଓ ଓଡ଼ିଶା ସରକାରୀ ଭାଷା ନିୟମ-୨୦୧୬ର ନିୟମ-୫(କ) ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।