ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଆ ପୁଅ ଅଂଶୁମାନ କାମିଲା ହେଲେ ଇଣ୍ଡିଆନ୍ ଇକୋନୋମିକ୍ ସର୍ଭିସ୍ (ଆଇଇଏସ୍) ଟପ୍ପର। ଆଇଇଏସ୍ ୨୦୧୯ ପରୀକ୍ଷାରେ ଯୋଗ୍ୟ ବିବେଚିତ ୩୨ ଜଣଙ୍କ ମଧ୍ୟରେ ସେ ଏକ ନମ୍ବର ସ୍ଥାନ ଅଧିକାର କରିଛନ୍ତି।
ଅଂଶୁମାନ ହେଉଛନ୍ତି ପୂର୍ବତନ ଚିଫ୍ ପୋଷ୍ଟମାଷ୍ଟର ଜେନେରାଲ ସନ୍ତୋଷ କାମିଲା ଓ ଜଣାଶୁଣା କଣ୍ଠଶିଳ୍ପୀ ତଥା ଅର୍ଥଶାସ୍ତ୍ର ପ୍ରଫେସର ମିତାଲି ଚିନାରାଙ୍କ ପୁଅ।
ଅଂଶୁମାନ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ଡିଏଭିରେ ପାଠପଢ଼ା ଶେଷ କରିବା ପରେ ଦିଲ୍ଲୀର ଷ୍ଟିଫେନ୍ କଲେଜ୍ରୁ ଇକୋନୋମିକ୍ସରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ସେ ଦିଲ୍ଲୀ ସ୍କୁଲ୍ ଅଫ୍ ଇକୋନୋମିକ୍ସରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ଜେଏନ୍ୟୁରେ ଏମ୍ଫିଲ୍ କରିଥିଲେ।
ଏ ଖବର ପାଇବା ପରେ ଅଂଶୁମାନ ନିଜ ଖୁସି ଜାହିର କରିବା ସହିତ ଏହାର ଶ୍ରେୟ ତାଙ୍କ ବାପାମା’, ଅଜା, ଗୁରୁଜନ ଓ ସାଙ୍ଗସାଥୀଙ୍କୁ ଦେଇଛନ୍ତି। ତୃତୀୟ ଚେଷ୍ଟାରେ ସେ ଏହି ସଫଳତା ପାଇଛନ୍ତି। ଏଥିପାଇଁ ତାଙ୍କ ପରିବାର ସମ୍ପୂର୍ଣ୍ଣ ସହଯୋଗ କରିଥିଲା ବୋଲି ସେ କହିଛନ୍ତି। ସେ ତାଙ୍କ ବାପାମା’ଙ୍କଠାରୁ ସବୁବେଳେ ପ୍ରେରଣା ଓ ପରାମର୍ଶ ପାଇଥିଲେ, ଯାହା ତାଙ୍କୁ ସଫଳତା ଦେଇଛି। ପୂର୍ବରୁ ଦୁଇ ଥର ବିଫଳ ହୋଇଥିବାରୁ ପରିବାରର ସହଯୋଗ ବିନା ଏହା ସମ୍ଭବ ହୋଇ ନଥା’ନ୍ତା ବୋଲି ଅଂଶୁମାନ କହିଛନ୍ତି। ସେହିପରି ଏହି ଖବର ପାଇବା ପରେ ତାଙ୍କ ବାପାମା’ ବହୁତ ଖୁସି ହୋଇଥିବାରୁ ସେ ବି ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି।
ସିଭିଲ ସିର୍ଭସ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ପରାମର୍ଶ ଦେଇ ସେ କହିଛନ୍ତି ଯେ ଯାହା ସିଲାବସ୍ରେ ଅଛି, ତାକୁ ଫଲୋ କରିବା ଉଚିତ୍। ସିଲାବସ୍ ଅନୁଯାୟୀ, ସବୁଦିନ ଭଲ ଭାବେ ପଢ଼ିଲେ ନିହାତି ଭାବେ ମେରିଟ୍ ଲିଷ୍ଟରେ ବହୁତ ଓଡ଼ିଆ ସ୍ଥାନ ପାଇପାରିବେ।
ଅର୍ଥଶାସ୍ତ୍ରର ଛାତ୍ର ହୋଇଥିବା ଯୋଗୁ ଅଂଶୁମାନ ବର୍ତ୍ତମାନର ମାନ୍ଦାବସ୍ଥା ସମ୍ପର୍କରେ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଆନ୍ତର୍ଜାତିକ ସ୍ତରରେ ଦେଖାଦେଇଥିବା ସ୍ଥିତି ଯୋଗୁ ଭାରତରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି। ଏହାକୁ ଦୂର କରିବା ପାଇଁ ଭାରତ ସରକାର, ରାଜ୍ୟ ସରକାର ଓ ରିଜର୍ଭ ବ୍ୟାଙ୍କ ଚେଷ୍ଟା ଚଳାଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।