ରୁଷରେ ଜାହାଜରେ ନିଆଁ ଲାଗିବା ଘଟଣା: ଓଡ଼ିଆ ଯୁବକ ନିଖୋଜ

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ରୁଷ୍‌ରେ ଦୁଇଟି କାର୍ଗୋ ଜାହାଜରେ ନିଆଁ ଲାଗି ବିସ୍ଫୋରଣ ଘଟିବା ଘଟଣାରେ ୬ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ନିଖୋଜ ଅଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଗତକାଲି ଏ ନେଇ ସୂଚନା ଦିଆଯାଇଛି। ୬ ନିଖୋଜ ଭାରତୀୟଙ୍କ ମଧ୍ୟରେ ଜଣେ ଓଡ଼ିଆ ଯୁବକ ଅଛନ୍ତି। ତାଙ୍କ ନାଁ ସିଦ୍ଧାର୍ଥ ମେହେର। ତାଙ୍କ ଘର ସମ୍ବଲପୁରରେ। ସିଦ୍ଧାର୍ଥ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜାହାଜ ମାଏଷ୍ଟ୍ରୋରରେ କାମ କରୁଥିଲେ। ଦୁର୍ଘଟଣା ପରେ […]

car

Jitendra Garnayak
  • Published: Thursday, 24 January 2019
  • , Updated: 24 January 2019, 12:20 PM IST

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ରୁଷ୍‌ରେ ଦୁଇଟି କାର୍ଗୋ ଜାହାଜରେ ନିଆଁ ଲାଗି ବିସ୍ଫୋରଣ ଘଟିବା ଘଟଣାରେ ୬ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ନିଖୋଜ ଅଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଗତକାଲି ଏ ନେଇ ସୂଚନା ଦିଆଯାଇଛି।

୬ ନିଖୋଜ ଭାରତୀୟଙ୍କ ମଧ୍ୟରେ ଜଣେ ଓଡ଼ିଆ ଯୁବକ ଅଛନ୍ତି। ତାଙ୍କ ନାଁ ସିଦ୍ଧାର୍ଥ ମେହେର। ତାଙ୍କ ଘର ସମ୍ବଲପୁରରେ।

ସିଦ୍ଧାର୍ଥ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜାହାଜ ମାଏଷ୍ଟ୍ରୋରରେ କାମ କରୁଥିଲେ। ଦୁର୍ଘଟଣା ପରେ ତାଙ୍କ ସମ୍ପର୍କରେ ଆଉ କୌଣସି ସୂଚନା ମିଳୁ ନ ଥିବାରୁ ସମ୍ବଲପୁରରେ ଥିବା ତାଙ୍କ ପରିବାର ଲୋକ ଚିନ୍ତିତ ଅଛନ୍ତି।

ସିଦ୍ଧାର୍ଥଙ୍କ ବାପା ସତ୍ୟନାରାୟଣ ମେହେର କହିଛନ୍ତି,“ଆମ ପୁଅ ଯେଉଁ ଜାହାଜରେ ଥିଲା, ସେଥିରେ ନିଆଁ ଲାଗିଯାଇଥିବା ନେଇ ୨୧ ତାରିଖ ରାତିରେ ଆମେ ଖବର ପାଇଥିଲୁ। ୨୨ ତାରିଖ ଦିନ ମୁଁ କମ୍ପାନୀ ସହ କଥା ହୋଇଥିଲି। ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ମେଲ୍‌ କରିଥିଲି। ମୁଁ କମ୍ପାନୀ ସହ ଯୋଗାଯୋଗରେ ରହିଛି।”

ସେ ଆହୁରି କହିଛନ୍ତି,“ଜାହାଜରେ ନିଆଁ ଲାଗିବାରୁ ସିଦ୍ଧାର୍ଥ ଓ ତା’ର ଅନ୍ୟ ଦୁଇ ଜଣ ଲାଇଫ୍ ଜ୍ୟାକେଟ୍ ନେଇ ସମୁଦ୍ରକୁ ଡେଇଁ ପଡ଼ିଥିଲେ। ତା’ର ସାଙ୍ଗମାନଙ୍କୁ ଉଦ୍ଧାରକାରୀ ଦଳ ଉଦ୍ଧାର କରିଥିଲେ। ତା’ର ସାଙ୍ଗମାନେ ବେହୋସ୍ ହୋଇଯାଇଥିଲେ। ଚେତା ଫେରିବା ପରେ ସିଦ୍ଧାର୍ଥ ତାଙ୍କ ସହିତ ଡେଇଁଥିଲା ବୋଲି କହିଥିଲେ।”

ଗତ ବର୍ଷ ମେ’ ୨୨ ତାରିଖରେ ମର୍ଚ୍ଚାଣ୍ଟ୍ ନାଭିରେ ସିଦ୍ଧାର୍ଥ ଯୋଗ ଦେଇ ଟ୍ରେନିଂରେ ଥିଲେ। ଘଟଣା ଘଟିବା ସମୟରେ ୩ଜଣ ସାଙ୍ଗଙ୍କ ସହ ସିଦ୍ଧାର୍ଥ ସମୁଦ୍ରକୁ ଡେଇଁ ପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସିଦ୍ଧାର୍ଥଙ୍କର ପତ୍ତା ମିଳୁନାହିଁ।

ଗତ ସୋମବାର ରୁଷିଆର କ୍ରିମିଆ ନିକଟରେ ତାଞ୍ଜାନିଆର ଦୁଇଟି କାର୍ଗୋ ଜାହାଜ ମଧ୍ୟରେ ଇନ୍ଧନ ଅଦଳବଦଳ ବେଳେ ହଠାତ୍ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ଜାହାଜ ଦୁଇଟିରେ ତୁର୍କୀ, ଲିବିୟା ସହ ଭାରତୀୟ କର୍ମଚାରୀ ଥିଲେ।

Related story