ଜଗନ-ନବୀନ ଆଲୋଚନା: ୯ଟି ପ୍ରସଙ୍ଗରେ ଏକାଠି କାମ କରିବାକୁ ଓଡ଼ିଶା-ଆନ୍ଧ୍ର ସହମତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘଦିନ ଧରି ଚାଲିଥିବା ଛକାପଞ୍ଝା ପରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସରକାର ଦୁଇ ରାଜ୍ୟର ସ୍ୱାର୍ଥ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ଏକାଠି କାମ କରିବାକୁ ସହମତ ହୋଇଛନ୍ତି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନମୋହନ ରେଡ୍ଡୀ ଆଜି ଭୁବନେଶ୍ୱରରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିବା ପରେ ୯ଟି ପ୍ରସଙ୍ଗରେ ଦୁଇ ରାଜ୍ୟ ଏକାଠି ମିଶି କାମ କରିବେ ବୋଲି ଦୁଇ ମୁଖ୍ୟମନ୍ତ୍ରୀ ମିଳିତ ବିବୃତି ଜାରି କରିଛନ୍ତି। ଦୁଇ ରାଜ୍ୟର […]

Jagam-and-Naveen

Ordigital Desk
  • Published: Tuesday, 09 November 2021
  • , Updated: 09 November 2021, 07:50 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘଦିନ ଧରି ଚାଲିଥିବା ଛକାପଞ୍ଝା ପରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସରକାର ଦୁଇ ରାଜ୍ୟର ସ୍ୱାର୍ଥ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ଏକାଠି କାମ କରିବାକୁ ସହମତ ହୋଇଛନ୍ତି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନମୋହନ ରେଡ୍ଡୀ ଆଜି ଭୁବନେଶ୍ୱରରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିବା ପରେ ୯ଟି ପ୍ରସଙ୍ଗରେ ଦୁଇ ରାଜ୍ୟ ଏକାଠି ମିଶି କାମ କରିବେ ବୋଲି ଦୁଇ ମୁଖ୍ୟମନ୍ତ୍ରୀ ମିଳିତ ବିବୃତି ଜାରି କରିଛନ୍ତି। ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କର ଆଲୋଚନାରେ କୋଟିଆ ସୀମାବିବାଦ ଓ ପୋଲାଭରମ ଭଳି ବହୁ ପୁରୁଣା ବିବାଦ ସମେତ ଏକାଧିକ ପ୍ରସଙ୍ଗ ସ୍ଥାନ ପାଇଥିଲେ ମଧ୍ୟ କୌଣସି ପ୍ରସଙ୍ଗରେ ସ୍ପଷ୍ଟ ନିର୍ଯ୍ୟାସ ବାହାରି ପାରିନି। ଅବଶ୍ୟ ଦୁଇ ରାଜ୍ୟ ପରସ୍ପରର ସ୍ୱାର୍ଥ ପାଇଁ ସବୁ କ୍ଷେତ୍ରରେ ସହଯୋଗ କରିବେ ବୋଲି ସହମତ ହୋଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମିଳିତ ବିବୃତ୍ତି ଅନୁସାରେ ଦୁଇ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଓ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ମୁଖ୍ୟତଃ ଜଳସମ୍ପଦ, ସୀମା ବିବାଦ, ଶକ୍ତି ଓ ନକ୍ସଲ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଦୁଇ ରାଜ୍ୟ ସରକାର କୋଟିଆ ଗ୍ରାମପୁଞ୍ଜ, ନେରେଡ଼ି ବ୍ୟାରେଜ, ଝଞ୍ଜାବତୀ ଜଳଭଣ୍ଡାର, ପୋଲାଭରମ, ବାହୁଡ଼ା ନଦୀରୁ ଜଳ ଛାଡ଼ିବା, ଜଳବିଦ୍ୟୁତ ଉତ୍ପାଦନ ହେଉଥିବା ବାଲିମେଳା ଓ ଉପର ସିଲେର ପାଇଁ ମିଳିତ ଅନାପତ୍ତି ପ୍ରମାଣପତ୍ର ନିମନ୍ତେ ଏକାଠି କାମ କରିବାକୁ ସହମତି ହୋଇଛନ୍ତି। ସେହିପରି ମାଓବାଦୀ ସମସ୍ୟା ଓ ଗଞ୍ଜେଇ ଚାଷ ସମସ୍ୟାର ମୁକାବିଲା ପାଇଁ ଦୁଇ ରାଜ୍ୟ ସରକାର ପରସ୍ପରକୁ ସହଯୋଗର ପ୍ରତିଶ୍ରୁତି ଦେଇଛନ୍ତି।

ଏସବୁ ବ୍ୟତୀତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ତେଲଗୁ ଭାଷାକୁ ପ୍ରୋତ୍ସାହିତ କରିବା ନିମନ୍ତେ ଏକ ତେଲଗୁ ଭାଷା ଚେୟାର ସ୍ଥାପନ ଓ ଅନୁରୂପ ଭାବେ ଶ୍ରୀକାକୁଲମସ୍ଥିତ ବିଆର ଆମ୍ବେଦକର ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଭାଷା ଚେୟାର ପ୍ରତିଷ୍ଠା କରିବାକୁ ଦୁଇ ରାଜ୍ୟ ସରକାର କାମ କରିବେ । ସେହିପରି ଦୁଇ ରାଜ୍ୟର ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଥିବା ସ୍କୁଲଗୁଡ଼ିକରେ ଭାଷାଭିତ୍ତିକ ଶିକ୍ଷକ ନିଯୁକ୍ତି, ପାଠ୍ୟପୁସ୍ତକ ଯୋଗାଣ, ଭାଷା ପରୀକ୍ଷା କରାଇ ଭାଇଚାରାକୁ ପ୍ରୋତ୍ସାହିତ କରାଯିବ ।

ପାରସ୍ପରିକ ସହଯୋଗ ଓ ସଂଘୀୟ ଢାଂଚାକୁ ସୁରକ୍ଷିତ ରଖିବା ଦିଗରେ ଦୁଇ ରାଜ୍ୟ କାମ କରିବେ । ଦୁଇ ରାଜ୍ୟ ମଧ୍ୟରେ ରହିଥିବା ସମସ୍ୟାଗୁଡ଼ିକର ସମାଧାନ ପାଇଁ ଉଭୟ ରାଜ୍ୟର ମୁଖ୍ୟ ସଚିବସ୍ତରରେ ଏକ ବ୍ୟବସ୍ଥା କାର୍ଯ୍ୟକାରୀ କରି ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଜନସାଧାରଣଙ୍କ ସ୍ୱାର୍ଥରେ ସମାଧାନ ଖୋଜିବାକୁ ପ୍ରୟାସ କରାଯିବ ବୋଲି ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି ।

ସୂଚନାଯୋଗ୍ୟ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଏହି ବୈଠକ ପୂର୍ବରୁ ଆନ୍ଧ୍ରପ୍ରଦେଶ ମୁଖ୍ୟ ସଚିବଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଟିମ୍ ଓଡ଼ିଶା ସରକାରଙ୍କ ମୁଖ୍ୟ ସଚିବଙ୍କ ସହ ଦୁଇ ରାଜ୍ୟର ବିଭିନ୍ନ ବିବାଦୀୟ ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାପଡ଼ିଛି ।
ଅବଶ୍ୟ ପୋଲାଭରମ, କୋଟିଆ, ନେରେଡ଼ି ଆଦି ବିବାଦୀୟ ପ୍ରସଙ୍ଗ ଏବେ କୋର୍ଟଙ୍କ ବିଚାରାଧୀନ ରହିଛି ।

Related story